ETV Bharat / bharat

Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ

author img

By ETV Bharat Odisha Team

Published : Aug 24, 2023, 7:38 PM IST

Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ
Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ

ଆଜି ସଂଧ୍ୟାରେ ଦିଲ୍ଲୀ ଆସି ଶାହଙ୍କୁ ରିପୋର୍ଟ ଦେବେ ମଣିପୁର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି । ସଂଧ୍ୟାରେ ଶାହଙ୍କ ସରକାରୀ ବାସଭବନରେ ହେବ ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ଓ ଦଳର ରାଜ୍ୟ ସଭାପତି ଶାରଦା ଦେବୀଙ୍କୁ ଦିଲ୍ଲୀ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉଭୟଙ୍କ ସହ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ହିଂସା ସ୍ଥିତିର ତାଜା ରିପୋର୍ଟ ମଧ୍ୟ ଗ୍ରହଣ କରିବେ ଶାହ । ଉଭୟ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଆଲୋଚନା କରିବେ ।

ସୂଚନା ଅନୁସାରେ, ଉଭୟ ନେତା ଆଜି ସଂଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାର ସୂଚନା ରହିଛି । ବିଳମ୍ବିତ ସଂଧ୍ୟାରେ ସେମାନେ ଶାହଙ୍କ ସରକାରୀ ବାସଭବନରେ ପହଞ୍ଚିବା ପରେ ଆଲୋଚନା ଆରମ୍ଭ ହେବ । ରାଜ୍ୟରେ ଜାରି ରହିଥିବା ହିଂସା ନିୟନ୍ତ୍ରଣ ଓ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଶାହଙ୍କୁ ଉଭୟ ଅବଗତ କରିବେ । ରାଜ୍ୟରେ ହିଂସା ନିୟନ୍ତ୍ରଣକୁ ନଆସିବା ନେଇ ବିରେନ ସିଂଙ୍କ ସରକାର କଡ଼ା ସମାଲୋଚନାର ଶିକାର ହୋଇସାରିଛି । ହେଲେ ସ୍ଥିତିରେ କ୍ରମଶଃ ସୁଧାର ଆସୁଥିବା ଦର୍ଶାଇ ବିରେନ ସିଂଙ୍କୁ ଦଳ ମନ୍ତ୍ରୀ ପଦରେ ବଜାୟ ରଖିଛି । ରାଜ୍ୟରେ ବିଜେପି ସରକାର ଥିବା ଓ ନିଜେ ଶାହ ମଣିପୁର ଗସ୍ତ କରିସାରିଥିଲେ ସୁଦ୍ଧା ସିସ୍ଥିରେ ସୁଧାର ଆସିନଥିଲା । ଯାହାକୁ ନେଇ ଦଳର ଭାବମୂର୍ତ୍ତିରେ ମଧ୍ୟ ଦାଗ ଲାଗିଥିଲା ।

ଏହା ପରେ ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଇସ୍ତଫା କିମ୍ବା ବରଖାସ୍ତ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ବିରେନ ସିଂ ମଧ୍ୟ ନିଜେ ଇସ୍ତଫା ଦେବା ପାଇଁ ରାଜଭବନ ଅଭିମୁଖେ ଯାଇଥିବା ବେଳେ ସମର୍ଥକଙ୍କ ବିରୋଧ ଯୋଗୁ ଇସ୍ତଫା ନଦେଇ ଫେରି ଆସିଥିବା କହିଥିଲେ । ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଏହି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଶାହ । କହିଥିଲେ ସ୍ଥିତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର-ରାଜ୍ୟ ଯଥାସମ୍ଭବ ସମନ୍ବିତ ପ୍ରୟାସ କରୁଛନ୍ତି । ମୁଖ୍ଯମନ୍ତ୍ରୀ କେନ୍ଦ୍ରକୁ ସହଯୋଗ ଜାରି ରଖିଛନ୍ତି । ରାଜ୍ୟରେ ସ୍ଥିତିରେ ସୁଧାର ମଧ୍ୟ ଆସିବାରେ ଲାଗିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାର ଆବଶ୍ୟକତା କିଛି ନାହିଁ ।

ଏହା ମଧ୍ୟ ପଢନ୍ତୁ :-ସଶକ୍ତ ହେବ ସଶସ୍ତ୍ର ବଳ, 7,800 କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ

ଏହା ପରେ ଶାହ ଏକାଧିକ ଥର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ସହ ହିଂସା ନିୟନ୍ତ୍ରଣ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରସାରିଛନ୍ତି । ରାଜ୍ୟରେ ଏବେ ନୂତନ ହିଂସା ମଧ୍ୟ ପ୍ରାୟତଃ ଦେଖିବାକୁ ମିଳିନି । ସ୍ଥିତିରେ କ୍ରମାଗତ ସୁଧାର ଆସିବାରେ ଲାଗିଛି । ଏବେ ଉଭୟ ମୁଖ୍ୟମନ୍ତ୍ରୀ ଓ ପାର୍ଟି ରାଜ୍ୟ ସଭାପତିଙ୍କୁ ଦିଲ୍ଲୀ ଡାକି ରିପୋର୍ଟ ତଲବ କରିଛନ୍ତି ଶାହ ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.