ମମତାଙ୍କ ମିଶନ ୨୦୨୪; ଏଥର ଦେଶରେ ଖେଲା ହବେ !

author img

By

Published : Jul 28, 2021, 9:43 PM IST

ମମତାଙ୍କ ମିଶନ ୨୦୨୪; ଏଥର ଦେଶରେ ଖେଲା ହବେ !

ଦିଲ୍ଲୀରେ ପଡିଛି ଦିଦିଙ୍କ ପାଦ । କମ୍ପୁଛି ପାୱାର କରିଡର । ଫୋକସରେ ରହିଛି ମିଶନ ୨୦୨୪ । ବଙ୍ଗ ପରେ ପୁରା ଦେଶ ଦେଖିବ ଦିଦିଙ୍କ ଖେଲା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଦଳୁଛି ପାଣିପାଗ । ମୋଡ ପରିବର୍ତ୍ତନ କରୁଛି ରାଜନୀତି । ପରଦା ପଛରେ ଚାଲିଛି ମହାସମରର ମହାପ୍ରସ୍ତୁତି । ଆଉ ହେବାକୁ ଯାଉଛି ପ୍ରତିଦ୍ବନ୍ଦିତାର କଡା ଟକ୍କର । କାରଣ ଫୋକସରେ ରହିଛି ମିଶନ ୨୦୨୪, ଯାହାର ମଙ୍ଗ ସମ୍ଭାଳିପାରନ୍ତି ମମତା ବାନାର୍ଜୀ ।

ଦିଲ୍ଲୀ ଦରବାରରେ ଦିଦିଙ୍କ ପାଦ ପଡିବା ପରେ ହଲଚଲ ହୋଇଉଠିଛି ଜାତୀୟ ରାଜନୀତିର ପାୱାର କରିଡର । କ୍ଷମତାର ଶୀର୍ଷରେ ଥିବା ମୋଦି ସରକାରଙ୍କୁ ମାତ ଦେବାକୁ ମିଶନ ମୋଡରେ ଅଛନ୍ତି ମମତା । ସରକାରଙ୍କ ବିରୋଧରେ ସ୍ବର ତୀବ୍ର ହେଉଥିବାବେଳେ ମିଳୁଛି ଖେଲା ହବେର ସଙ୍କେତ । ସେହି ଖେଲା, ଯାହାର ବଳରେ ବଙ୍ଗ ମୈଦାନରେ ବାଜି ମାରି ହ୍ୟାଟ୍ରିକ କ୍ଷମତା ଦଖଲ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଉ ଏହାପରେ 'ଏବାର ଶପଥ ଚଲୋ ଦିଲ୍ଲୀ' ନାରା ନେଇ ରାଜଧାନୀରେ ଡେରା ପକାଇଥିବା ଦିଦିଙ୍କ ନଜରରେ ରହିଛି ଦେଶର ରାଜନୀତି ।

ବଙ୍ଗ ରଣରେ ବିଜେପିକୁ ଧରାଶାୟୀ କରିବା ପରେ ଏବେ ଦିଲ୍ଲୀ ଗସ୍ତ କରିଛନ୍ତି ମମତା ବାନାର୍ଜୀ । ଦିଲ୍ଲୀ ପହଞ୍ଚିବା ପରେ ଗୋଟିଏ ତୀରରେ ତମାମ ଲକ୍ଷ୍ୟ ଭେଦ କରୁଛନ୍ତି ଦିଦି । ଗୋଟିଏ ପକ୍ଷେ ମମତାଙ୍କ ଉପରେ ବିଜେପି ବିରୋଧୀ ଦଳଗୁଡିକର ଫୋକସ ରହିଥିବାବେଳେ ବିଜେପି ମଧ୍ୟ ଦିଦିଙ୍କ ଦିଲ୍ଲୀ ଗସ୍ତ ଉପରେ ରଖିଛି କଡା ନଜର । ଜଣେ ପରେ ଜଣେ ବଡ ନେତାଙ୍କୁ ଭେଟି ଚାଲିଛନ୍ତି ମମତା । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି କଣ ରହିଛି ମମତାଙ୍କ ଆଗାମୀ ଯୋଜନା ? ଦିଲ୍ଲୀ ଗସ୍ତ କରି ୨୦୨୪ ନିର୍ବାଚନ ପାଇଁ ନିଜ ପକ୍ଷରେ ରଣଭୂମିର ମାଟିକୁ ମଜବୁତ କରୁଛନ୍ତି କି ଦିଦି ?

କ୍ରନୋଲୋଜୀ ଉପରେ ପକାନ୍ତୁ ନଜର...

ପିଚ୍‌ ପ୍ରସ୍ତୁତ କରୁଛନ୍ତି ପିକେ

ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ମୋର୍ଚ୍ଚାବନ୍ଦୀ କରିସାରିଛନ୍ତି ବିରୋଧୀ ଦଳ । ଆଗକୁ ୨୦୨୪ର ବଡ ଲେଢେଇ । ମମତା ଭଲଭାବରେ ଜାଣିଛନ୍ତି ଯେ ପ୍ରଥମରୁ ବିଜେପି ବଙ୍ଗରେ ଯେପରି ହୁଙ୍କାର ଦେଇ ମାଡିଆସିଥିଲା ଏଭଳି ସ୍ଥିତିରେ ଯଦି ରାଜନୈତିକ ପ୍ରତିଆକ୍ରମଣ ନହୁଏ, ତାହେଲେ ବଡ କ୍ଷତି ସହିବାକୁ ପଡିବ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ସହିତ ଭେଟଘାଟ ଚଳାଇଛନ୍ତି ଦିଦି । ଯାହାପାଇଁ ମୈଦାନରେ ଆଗକୁ ହେବାକୁ ଥିବା ଖେଳା ପୂର୍ବରୁ ପିଚ୍‌ ପ୍ରସ୍ତୁତ କରିବାରେ ଲାଗିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମମତା ବାନାର୍ଜୀଙ୍କ ପାଇଁ କାମ କରି ନିର୍ବାଚନୀ ଲଢେଇରେ ବିଜୟ ହାସଲ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ଏବେ ୨୦୨୪ ନିର୍ବାଚନ ପାଇଁ ବିଜେପି ବିରୋଧରେ ବିପକ୍ଷ ଦଳଗୁଡିକୁ ଏକଜୁଟ କରିବାକୁ ପିକେଙ୍କ ଏହା ପ୍ରୟାସ କୁହାଯାଇପାରେ । ଏହି କ୍ରମରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଠୁ ନେଇ ଗାନ୍ଧୀ ପରିବାରକୁ ଭେଟିସାରିଛନ୍ତି ପିକେ । ଆଉ ଦିଦି ନିଜର ଦିଲ୍ଲୀ ଗସ୍ତରେ ବିରୋଧୀ ଦଳର ବଡ ବଡ ନେତାଙ୍କୁ ଭେଟିବା ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ସହ ବୈଠକ କରି ରାଜନୈତିକ ପରିସ୍ଥିତିକୁ ବୁଝିବାକୁ ପ୍ରୟାସ କରିଛନ୍ତି ।

ବିରୋଧୀଙ୍କୁ ଏକଜୁଟ କରି ଗଠନ ହେବ ଟିମ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ ଚେହେରା ଖୋଜୁଥିବାବେଳେ ବିପକ୍ଷର ବଡ ଚେହେରା ଭାବରେ ଉଭା ହୋଇଛନ୍ତି ଦିଦି । ବଙ୍ଗ ଦଖଲ ପରେ ଜାତୀୟ ରାଜନୀତିରେ ବଢୁଥିବା ଦିଦିଙ୍କ ପତିଆରା ଏହାର ସଦ୍ୟ ଉଦାହରଣ ବୋଲି କୁହାଯାଇପାରେ ।

ଦିଲ୍ଲୀରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହ ଦିଦିଙ୍କ ୪୦ ମିନିଟ ବୈଠକ ହୋଇଥିଲା । କେବଳ ଏତିକି ନୁହେଁ କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି ମମତା । ଆନନ୍ଦ ଶର୍ମା ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାବେଳେ ମମତା ୟୁଥ୍‌ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ । ଏଭଳିସ୍ଥିତିରେ ଏହି ସାକ୍ଷାତ କଂଗ୍ରେସରେ ଝାଉଁଳିପଡିଥିବା ପୁରୁଣା ସମ୍ପର୍କକୁ ଆଉଥରେ ପୁନଃର୍ଜୀବିତ କରିଛି ।

ସୋନିଆଙ୍କ ସହ ସକ୍ଷାତ ଅର୍ଥ କଣ ?

ଦେଶର ରାଜନୀତିରେ ଗାନ୍ଧୀ ପରିବାର ଠାରୁ ମୁହଁ ମୋଡି ସାରିଛନ୍ତି ଜନସାଧାରଣ । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ । ନେତୃତ୍ବ ସଂକଟ କଂଗ୍ରେସରେ ଆଭ୍ୟନ୍ତରୀଣ କଳହକୁ ପଦାରେ ପକାଉଥିବାବେଳେ ବଢୁଛି ଦଳର ପୁରୁଖା ନେତାଙ୍କ ମଧ୍ୟରେ ଅସନ୍ତୋଷ । ଆଉ ସେପଟେ ଗାନ୍ଧୀ ପରିବାରକୁ ବାଦ ଦେଇ କ୍ଷମତା ଦିଗକୁ ରାସ୍ତା ତିଆରି କରିବା ମଧ୍ୟ ଅସମ୍ଭବ । ଏଭଳିସ୍ଥିତିରେ ଏକଜୁଟ ରହି କ୍ଷମତାରେ ଶକ୍ତି ବିକେନ୍ଦ୍ରୀକରଣ ମମତାଙ୍କ ପ୍ରୟାସ ।

ବୁଧବାର ସଂଧ୍ୟାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି ମମତା । ୨୦୨୪ରେ ବିରୋଧୀଙ୍କୁ ଏକଜୁଟ କରିବାର ପ୍ରୟାସ ମଧ୍ୟରେ ଏହି ଭେଟ ବେଶ ମହତ୍ବପୂର୍ଣ୍ଣ କୁହାଯାଇପାରେ । ସେପଟେ କଂଗ୍ରେସ ବିନା ବିରୋଧୀଙ୍କ ଏକତା ସାକାର ହେବନାହିଁ ବୋଲି କହିଥିଲେ ପ୍ରଶାନ୍ତ କିଶୋର । ଆଉ ଏହାକୁ ସୋନିଆଙ୍କୁ ଭେଟ ସହ ଯୋଡି ଦେଖାଯାଇପାରେ । ବିଜେପିକୁ ହରାଇବା ପାଇଁ ଏକଜୁଟ ହେବାକୁ ପଡିବ ବୋଲି ସୋନିଆଙ୍କୁ ଭେଟି ବାର୍ତ୍ତା ଦେଇଛନ୍ତି ଦିଦି ।

ଏଭଳିସ୍ଥିତିରେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସମୀକରଣକୁ ନେଇ ଏହି ସାକ୍ଷାତରୁ ବଡ ପରିଣାମ ସାମ୍ନାକୁ ଆସିପାରେ । ମମତା ଓ ସୋନିଆଙ୍କ ମଧ୍ୟରେ ପୂର୍ବରୁ ତାଳମେଳ ବେଶ ଉତ୍ତମ ରହିଆସିଛି । ଆଉ ଏବେ ରାହୁଲ ଗାନ୍ଧୀ ଓ ମମତାଙ୍କ ମଧ୍ୟରେ ସମାନ ତାଳମେଳର ରହିଛି ଲକ୍ଷ୍ୟ ।

ମୋଦିଙ୍କୁ ଭେଟି ଚ୍ୟାଲେଞ୍ଜ ଦେଲେ ଦିଦି !

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ମମତା ବାନାର୍ଜୀ । ବଙ୍ଗ ନିର୍ବାଚନ ପରେ ଯେଭଳି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ସଂଘର୍ଷ ତୀବ୍ର ରୂପ ନେଇଛି, ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ସହ ମମତାଙ୍କ ଭେଟକୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ । ଗୋଟିଏ ପକ୍ଷେ ବିରୋଧୀ ଦଳର ନେତାଙ୍କୁ ଭେଟି ମମତା ଏକଜୁଟ ରହିବାର ବାର୍ତ୍ତା ଦେଇଥିବାବେଳେ ଅନ୍ୟପକ୍ଷେ ମୋଦିଙ୍କୁ ଭେଟି ଆଗାମୀ ନିର୍ବାଚନ ପାଇଁ ଦିଦି ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି ।

ଦିଦିଙ୍କ ତୁଣିରେ ତୃତୀୟ ମୋର୍ଚ୍ଚାର ତୀର

ବିରୋଧୀ ଦଳର ନେତାଙ୍କ ସହ ମମତାଙ୍କ ଭେଟ ଯଦି ସକାରାତ୍ମକତାର ରୂପ ନିଏ, ତେବେ ରାଜନୈତିକ ମୈଦାନରେ ଶକ୍ତି ପ୍ରଦର୍ଶନର ତ୍ରିକୋଣୀୟ ଝଲକ ଦେଖିବାକୁ ମିଳିବ ।

ମମତାଙ୍କ ସାହାରାରେ ମୋଦିଙ୍କ ସହ ଲଢିବ ବିରୋଧୀ

ଦିଲ୍ଲୀ ଆସିବା ପୂର୍ବରୁ ମମତା ବାନାର୍ଜୀ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ବିଗୁଲ ଫୁଙ୍କିଥିଲେ । ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ମମତା ବାନାର୍ଜୀଙ୍କ ବୈଠକରୁ ବଡ ରାଜନୈତିକ ଅର୍ଥ ବାହାରକୁ ଆସୁଛି । ଏବେ ବିରୋଧୀ ମମତାଙ୍କ ସାହାଯ୍ୟରେ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ବିଜେପି ଗଡରେ ହେବ ବଡ ଖେଳା

ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟ ହାସଲ କରିବା ପରେ ଏବେ ବିଜେପି ଶାସିତ ରାଜ୍ୟ ଉପରେ ରହିଛି ଦିଦିଙ୍କ ଫୋକସ । ମୋଦି-ଶାହାଙ୍କ ଗଡରେ ଏଣ୍ଟ୍ରି କରି ଖେଲା କରିବେ ଦିଦି । ଗୁଜୁରାଟରେ ମଧ୍ୟ ଖେଲା କରିବା ମୁଡରେ ଅଛନ୍ତି ମମତା । ୨୧ ଜୁଲାଇକୁ ମମତା ଶହୀଦ ଦିବସ ଭାବରେ ପାଳନ କରିଆସୁଛନ୍ତି । ଆଜି ପର୍ଯ୍ୟନ୍ତ ଏହି ଦିବସକୁ କୋଲକାତା ଭିତରେ ସୀମିତ ରଖିଆସିଥିବା ମମତା ଦେଶର ଅନ୍ୟ ରାଜ୍ୟରେ ଭର୍ଚୁଆଲ ମିଟିଂ କରିଛନ୍ତି । ଗୁଜୁରାଟରେ ମଧ୍ୟ ଭର୍ଚୁଆଲ ବୈଠକ ପାଇଁ ଗୁଜୁରାଟୀ ଭାଷାରେ ଦିଦିଙ୍କ ଫଟୋ ଥିବା ବ୍ୟାନର ଦେଖିବାକୁ ମିଳିଥିଲା । ଗୁଜୁରାଟ ରାଜନୀତିରେ ମମତା ବାନାର୍ଜୀଙ୍କ ଏଣ୍ଟ୍ରି ମୁକାବିଲାକୁ ଅଧିକ ରୋଚକ କରିବ ।

ମମତା ଅନ୍ୟ ବିରୋଧୀ ଦଳର ନେତାମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ପ୍ରୟାସ କରୁଛନ୍ତି । 2024 ପାଇଁ ଏହି ପ୍ରୟାସ ରଣନୀତି ପାଇଁ ବ୍ୟବହାର କରିବାକୁ ପଡିବ | ବିରୋଧୀଙ୍କ ଏକତା ଦେଖାଇବାକୁ ହେବ | ଉତ୍ତରପ୍ରଦେଶ ଏବଂ ଗୁଜୁରାଟ ନିର୍ବାଚନରେ ଉପରେ ରହିଛି ​​ମମତା ବାନାର୍ଜୀଙ୍କ ନଜର। ସମାଜବାଦୀ ପାର୍ଟି ସପକ୍ଷରେ ସେ ପ୍ରଚାର କରିପାରିବେ ବୋଲି ମଧ୍ୟ କୁହାଯାଉଛି । ସେପଟେ ଏହାପୂର୍ବରୁ ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନ 'ଖେଲା ହୋଇ' ନାରା ସହିତ ଲଢାଯିବ ବୋଲି ଘୋଷଣା କରିସାରିଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ତ୍ରିପୁରା ମୈଦାନରେ ମଧ୍ୟ ବିଜେପିକୁ ଘେରିବାକୁ ତୟାର ଦିଦି । ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ନିଜର ୨୦ କର୍ମଚାରୀଙ୍କ ଏକ ଟିମକୁ ପଠାଇଛନ୍ତି ତ୍ରିପୁରା । ଏଠାରେ ତୃଣମୂଳ କଂଗ୍ରେସର ରାଜନୈତିକ ମୈଦାନ ସ୍ଥିତି ପରଖିବାକୁ କର୍ମନଚାରୀ ଦଳ ଅଗରତାଲାରେ ଡେରା ପକାଇଛି । ତ୍ରିପୁରାରରେ ଟିଏମସିର ରାଜନୈତିକ ଦବଦବା ରହିଆସିଛି । ହେଲେ ଆଜିକାଲି ଏହି ରାଜ୍ୟରେ କମଜୋର ରହିଛି ଦଳ । ତେବେ ପୂର୍ବୋତ୍ତରର ଏହି ମହତ୍ବପୂର୍ଣ୍ଣ ରାଜ୍ୟରେ ହରାଇଥିବା ରାଜନୈତିକ ମୈଦାନର ଜମିକୁ ପାଇବା ଲକ୍ଷ୍ୟରେ ରହିଛନ୍ତି ମମତା ।

ସେପଟେ ଦକ୍ଷିଣ ଭାରତରେ ବି ଦେଖିବାକୁ ମିଳିଛି ଦିଦିଙ୍କ ଛାପ । ବଙ୍ଗ ବ୍ୟାଟେଲରେ ଦିଦିଙ୍କ ରଣକୌଶଳରେ ପ୍ରଭାବିତ ତାମିଲନାଡୁ ବି ମମତାଙ୍କୁ ଜଣାଇଛି ସମ୍ମାନ । ଖାସ ସେଥିପାଇଁ ମମତାଙ୍କୁ ମା’ର ଆଖ୍ୟା ଦେଇଛି ତାମିଲନାଡୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ତାମିଲନାଡୁ ଆମ୍ମା ଅର୍ଥାତ ମା’ର ଆଖ୍ୟା ଦେଇଥିବାବେଳେ ମମତାଙ୍କୁ ବି ସମାନ ନାମରେ ସମ୍ବୋଧନ କରି କାନ୍ଥରେ ଚିତ୍ରଣ କରିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଙ୍ଗ ବିଜୟ ପରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ରାଜନୈତିକ ରଙ୍ଗମଞ୍ଚରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିଦି ନିଜକୁ ଉପସ୍ଥାପନ କରିବାରେ କୌଣସି ବି ପ୍ରୟାସ ଛାଡି ନାହାନ୍ତି ।

ମମତାଙ୍କ ଦିଲ୍ଲୀ ଗସ୍ତର ତମାମ ଘଟଣାକୁ ଯଦି ଆଖିଆଗରେ ରଖାଯାଏ, ତେବେ ୨୦୨୪ ମହାସମର ପାଇଁ ମୈଦାନରେ ଗାର ଟାଣିସାରିଛନ୍ତି ଟିଏମସି ମୁଖିଆ । ଜାତୀୟ ରାଜନୀତିରେ ପତିଆରା ବୃଦ୍ଧି ଆଉ ଲୋକସଭା ନିର୍ବାଚନ ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ । ଏଭଳିସ୍ଥିତିରେ ବିଜେପି ପାଇଁ ୨୦୨୪ ଲୋକସଭା ନିର୍ବାଚନର ରାସ୍ତା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ଜୋର ଦେଇ କୁହାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.