ETV Bharat / bharat

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ

author img

By

Published : Jul 3, 2022, 9:50 AM IST

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ ଶିବସେନା ଜାରି କରିଛି ହ୍ବିପ । ହ୍ବିପକୁ ସିନ୍ଧେ ଗୋଷ୍ଠୀର ଅସ୍ବୀକାର । ଅଧିକ ପଢନ୍ତୁ

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ
ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ରରେ ନବଗଠିତ ସିନ୍ଧେ ସରକାର ଆଜି କ୍ଷମତାର (ଜୁଲାଇ 3) ପ୍ରଥମ ପରୀକ୍ଷା ଦେବା ପାଇଁ ଯାଉଛନ୍ତି । ଆଜି (ରବିବାର) ରାଜ୍ୟରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ଶିବସେନାର ଦୁଇ ଗୋଷ୍ଠୀ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି । ଦୀର୍ଘ 11 ଦିନ ପରେ ବିଦ୍ରୋହୀ ବିଧାୟକମାନେ ଗତକାଲି (ଶନିବାର) ରାତିରେ ମୁମ୍ବାଇ ଫେରିଛନ୍ତି ।

ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜନ ସାଲଭିଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବା ବେଳେ ବିଜେପି ପକ୍ଷରୁ ଯୁବ ନେତା ତଥା ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିବା ରାହୁଲ ନରଭେକର ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ନିର୍ବାଚନରେ ​​ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ୱାରା ଦଳୀୟ ବିଧାୟକଙ୍କ ପାଇଁ ଏକ ହ୍ବିପ ମଧ୍ୟ ଜାରି କରାଯାଇଛି । କିନ୍ତୁ ଏହା ତାଙ୍କ ଗୋଷ୍ଠୀର ବିଧାୟକଙ୍କ ପାଇଁ ବୈଧ ନୁହେଁ ବୋଲିି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ।

ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଡକା ଯାଇଥିବା ଦୁଇ ଦିନିଆ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆଜି ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ନିର୍ବାଚନ ସାଙ୍ଗକୁ ନୂଆ ଶପଥ ନେଇଥିବା ସିନ୍ଧେ ସରକାରକୁ ବହୁମତ ପ୍ରମାଣ ମଧ୍ୟ ଦେବାକୁ ପଡିବ । ଶିବସେନା ପକ୍ଷରୁ ଏକ ହ୍ବିପ ମଧ୍ୟ ଜାରି କରିଛନ୍ତି ଦଳର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ । ହ୍ବିପରେ କୁହାଯାଇଛି, ଶିବସେନା ପକ୍ଷରୁ ରାଜନ ସାଲଭିଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ସମସ୍ତ ଦଳୀୟ ବିଧାୟକ ଅଧିବେଶନରେ ଉପସ୍ଥିତ ରହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ । ସିନ୍ଧେ ଗୋଷ୍ଠୀ କିନ୍ତୁ ଏହି ଦଳୀୟ ହ୍ବିପକୁ ଅସ୍ବୀକାର କରିଛି । ବିଧାନସଭା ଅଧିବେଶନ ରବିବାର ଏବଂ ସୋମବାର (ଜୁଲାଇ3-4) ଅନୁଷ୍ଠିତ ହେବ । ଜୁଲାଇ 3 ତଥା ଆଜି ବାଚସ୍ପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ ।

ଅନ୍ୟପଟେ ବାଚସ୍ପତି ନିର୍ବାଚନ ନେଇ ରାଜ୍ୟପାଳଙ୍କୁ ଚିଠି ଲେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ପୂର୍ବ ମେଣ୍ଟ ସରକାରରେ ସହଯୋଗୀ ଥିବା କଂଗ୍ରେସ । କଂଗ୍ରେସ କହିଛି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବାରୁ ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରି ବାଚସ୍ପତି ନିର୍ବାଚନ କରିବା ଅସାମ୍ବିଧାନିକ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ MVA ସରକାର କ୍ଷମତାକୁ ଆସିବା ପରେ 2019 ରେ କଂଗ୍ରେସ ନେତା ନାନା ପାଟୋଲେ ବାଚସ୍ପତି ହୋଇଥିଲେ । ତେବେ, ଫେବୃଆରୀ 2021ରେ ରାଜ୍ୟ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ ହେବା ପରେ ପାଟୋଲ ଇସ୍ତଫା ଦେଇଥିଲେ ଏବଂ ପରେ ଏନସିପି ଉପାଧ୍ୟକ୍ଷ ନରହରି ଜିରୱାଲ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.