ETV Bharat / bharat

Odisha Train Accident: ସିଗନାଲ ତ୍ରୁଟିରୁ ଘଟିଥିଲା ଟ୍ରେନ ଦୁର୍ଘଟଣା

author img

By

Published : Jul 22, 2023, 7:41 AM IST

Odisha Train Accident
Odisha Train Accident

ସିଗନାଲ ତ୍ରୁଟିରୁ ଘଟିଥିଲା ଟ୍ରେନ ଦୁର୍ଘଟଣା । ରାଜ୍ୟସଭାରେ ଲିଖିତ ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ ତ୍ରୁଟି । ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟି ଯୋଗୁଁ ଭୁଲ୍ ସିଗନାଲ ଯାଇଥିଲା । 12841 ନଂ ଟ୍ରେନ ଲୁପ୍ ଲାଇନରେ ଯିବାବେଳେ ମାଲବାହୀ ଟ୍ରେନ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ଓ ଏଥିରେ 295 ଜଣଙ୍କର ମୃତ୍ୟୁ ହୋଇଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଶୁକ୍ରବାର ରାଜ୍ୟସଭାରେ ଏହି ଉତ୍ତର ରଖିଛନ୍ତି । ରେଲୱେ ନିରାପତ୍ତା କମିଶନର ତାଙ୍କର ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ରେଳମନ୍ତ୍ରୀ ଗୃହରେ ଜଣାଇଛନ୍ତି ।

ବାହାନଗା ଟ୍ରେନ ଦୁର୍ଘଟଣା ନେଇ ସିପିଆଇ(ଏମ)ର ଜନ ବ୍ରିଟାସ ଓ ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ପ୍ରଶ୍ନରେ ରେଳମନ୍ତ୍ରୀ କହିଛନ୍ତି ଯେ, ଷ୍ଟେସନର ୯୪ ନଂ ଲେବଲ କ୍ରସିଂ ଗେଟରେ ଇଲେକ୍ଟ୍ରିକ ଲିଫ୍ଟିଂ ବ୍ୟାରିଅରକୁ ବଦଳାଇବା କାର୍ଯ୍ୟ ଚାଲିଥିବା ବେଳେ ସିଗନାଲରେ ତ୍ରୁଟି ଦେଖାଦେଇଥିଲା । ଏହି ତ୍ରୁଟି ଯୋଗୁଁ ଟ୍ରେନ ନମ୍ବର 12841କୁ ଭୁଲ୍ ସିଗନାଲ ମିଳିଥିଲା । ଅପ୍ ହୋମ ସିଗନାଲ ଷ୍ଟେସନର ଅପ ମେନ ଲାଇନରେ ଟ୍ରେନ ଚଳାଚଳ ପାଇଁ ଗ୍ରୀନ ସିଗନାଲ ଦେଇଥିଲା । ହେଲେ ଅପ୍ ମେନ ଲାଇନକୁ ଅପ୍ ଲୁପ ଲାଇନରେ ଯୋଡୁଥିବା କ୍ରସଓଭର ଅପ୍ ଲୁପ ଲାଇନରେ ସେଟ୍ କରାଯାଇଥିଲା । ଭୁଲ ସିଗନାଲ ଯୋଗୁଁ ଟ୍ରେନ ଲୁପ ଲାଇନରେ ଯାଉଥିବା ବେଳେ ସେଠାରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ବାହାନଗା ଟ୍ରେନ ଟ୍ରାଜେଡି: ୯ ଦିନିଆ ରିମାଣ୍ଡ ଅବଧି ଶେଷ, ଜେଲ ଗଲେ ତିନି ଅଭିଯୁକ୍ତ

ରେଲୱେ ନିରାପତ୍ତା କମିଶନ(CRS) ଟ୍ରେନ ଦୁର୍ଘଟଣା ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିଛନ୍ତି କି ନାହିଁ ଏବଂ ସିବିଆଇ ତଦନ୍ତ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବାକୁ ବିରୋଧି ଦଳ ନେତା ଗୃହରେ ଦାବି କରିଥିଲେ । ରେଳମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ଯେ, ସିଆରଏସ ପକ୍ଷରୁ ଟ୍ରେନ ଦୁର୍ଘଟଣାର ତଦନ୍ତ ଶେଷ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି । ଏବେ ସିବିଆଇ ଏହାର ତଦନ୍ତ ଜାରି ରଖିଛି । ଗତ ୫ ବର୍ଷରେ ୧୩ଟି ସିଗନାଲ ଜନିତ ଦୁର୍ଘଟଣା ଘଟିଛି ।

ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୧୭୬ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ୪୫୧ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୧୮୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛଡାଯାଇଥିଲା । ଏବେ ସୁଦ୍ଧା ୪୧ ଜଣ ମୃତକଙ୍କ ପରିଚୟ ମିଳିପାରିନି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.