New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ

author img

By

Published : May 25, 2023, 9:48 PM IST

differences between Old and New Parliament of India

ଦେଶର ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ନବନିର୍ମିତ ସଂସଦ ଭବନର ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଉଦଘାଟନ କରିବାକୁ ଯାଉଥିବା ବେଳେ ଜାଣନ୍ତୁ ପୁରୁଣା ଓ ନୂଆ ସଂସଦ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଏହା ପରସ୍ପରଠାରୁ କିପରି ଭିନ୍ନ ? ନୂତନ ସଂସଦରେ କଣ ସୁବିଧା ରହିଛି ? ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି । ଉଦଘାଟନୀ ଉତ୍ସବ ଲାଗି ସମସ୍ତ ବିରୋଧୀ ଦଳକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାସରିଛି । ଦେଶର ନୂତନ ସଂସଦ ଭବନରେ ମୋଟ ୧୨୭୨ଟି ସିଟ ରହିଛି । ଲୋକସଭାରେ ୮୮୮ଟି ସିଟ ଥିବାବେଳେ ରାଜ୍ୟସଭାରେ ୩୮୪ଟି ସିଟ ରହିଛି । ତେବେ ଆପଣ ଜାଣନ୍ତି କି ନୂତନ ଓ ପୁରାତନ ସଂସଦ ମଧ୍ୟରେ କଣ ରହିଛି ପାର୍ଥକ୍ୟ ? ଏହା ପରସ୍ପରଠାରୁ କିପରି ଭିନ୍ନ ? ନୂତନ ସଂସଦରେ କଣ ସୁବିଧା ରହିଛି ? ଆସନ୍ତୁ ଜାଣିବା ଉଭୟ ସଂସଦ ମଧ୍ୟରେ କଣ ସବୁ ପାର୍ଥକ୍ୟ ରହିଛି ।

ନୂତନ ଲୋକସଭାର ଭିତର ଦୃଶ୍ୟ
ନୂତନ ଲୋକସଭାର ଭିତର ଦୃଶ୍ୟ

ପୁରୁଣା ସଂସଦ ଭବନର ଶିଳାନ୍ୟାସ ୧୯୨୧ଫେବୃଆରୀ ୧୨ ତାରିଖରେ ହୋଇଥିବା ବେଳେ ସେହି ବର୍ଷ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୬ ବର୍ଷ ପରେ ଅର୍ଥାତ ୧୯୨୭ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ସେହି ସମୟରେ ତତ୍କାଳୀନ ଭାଇସରାୟ ଲର୍ଡ ଇରୱିନ ସଂସଦର ଉଦଘାଟନ କରିଥିଲେ । ନୂଆ ସଂସଦ ଭବନର ଶିଳାନ୍ୟାସ ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା । ଏହାପରେ ଏପ୍ରିଲ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚଳିତ ମାସ ୨୮ ତାରିଖରେ ଏହାର ଉଦଘାଟନ ହେବାକୁ ଯାଉଛି ।

କେତେ ହୋଇଛି ଖର୍ଚ୍ଚ ?

ପୁରାତନ ଓ ନୂତନ ସଂସଦ ଭବନର ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଆଲୋଚନା କଲେ ପୁରୁଣା ସଂସଦର ନିର୍ମାଣରେ ସେହି ସମୟରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏପରେ ନୂତନ ସଂସଦ ଭବନର ନିର୍ମାଣ ଖର୍ଚ୍ଚର ରିପୋର୍ଟ ଦେଖିଲେ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ନୂଆ ସଂସଦ ଭବନରେ ପବିତ୍ର ସେଙ୍ଗୋଲର ସ୍ଥାପନ ହେବାକୁ ଯାଉଛି । ଭାରତରେ ଯେତେବେଳେ ବ୍ରିଟିଶ ଶାସନର ଅବସାନ ଘଟିଥିଲା, ସେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବ୍ରିଟିଶମାନେ ଏହି ପବିତ୍ର ସେଙ୍ଗୋଲ ହସ୍ତାନ୍ତର କରିଥିଲେ । ଏହି ଐତିହାସିକ ସେଙ୍ଗୋଲକୁ ନୂତନ ସଂସଦରେ ମଧ୍ୟ ପ୍ରତିଷ୍ଠା କରାଯିବ ।

ପୁରୁଣା ଓ ନୂଆ ସଂସଦ ଭବନ ମଧ୍ୟରେ ପାର୍ଥକ୍ୟ
ପୁରୁଣା ଓ ନୂଆ ସଂସଦ ଭବନ ମଧ୍ୟରେ ପାର୍ଥକ୍ୟ

ଉଭୟ ସଂସଦ ଭବନର ଡିଜାଇନ କିପରି ଭିନ୍ନ ?

ପ୍ରତ୍ନତତ୍ତ୍ବବିତ ଏଡୱିନ ଲୁଟିୟଂସ ଓ ହର୍ବର୍ଟ ବେକର ପୁରୁଣା ସଂସଦ ଭବନର ଡିଜାଇନ ପ୍ରସ୍ତୁତ କରିଥିଲେ । ତେବେ ନୂଆ ସଂସଦ ଭବନର ଡିଜାଇନକୁ ଗୁଜୁରାଟର ଏକ କମ୍ପାନୀ ଏଚସିପି ଦ୍ବାରା କରାଯାଇଛି । ପୁରୁଣା ସଂସଦ ଭବନର ଆକାର ଗୋଲାକାର ରହିଥିବା ବେଳେ ଏହାର ବାହାର ପାର୍ଶ୍ବରେ ଥିଲା ୧୪୪ଟି ସ୍ତମ୍ଭ । ତେବେ ନୂଆ ସଂସଦ ଭବନର ଆକାର ତ୍ରିକୋଣୀୟ ରହିଥିବା ବେଳେ ୬୦ ହଜାର ଶ୍ରମିକ ଏହାର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିଲେ ।

ରହିବନି ସେଣ୍ଟ୍ରାଲ ହଲ୍‌:-

ସଂସଦର ପୁରୁଣା ଭବନରେ ୫୬୬ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିର୍ମାଣ କରାଯାଇଥିଲା । ଏହାର କ୍ଷେତ୍ରଫଳ ୬୪,୫୦୦ ବର୍ଗମିଟର ରହିଥିଲା । ପୁରୁଣା ଭବନର ନିମ୍ନ ସଦନ ଲୋକସଭାରେ ୫୫୦ ସିଟ ରହିଥିବା ବେଳେ ଉଚ୍ଚ ସଦନ ରାଜ୍ୟସଭାରେ ୨୫୦ ବିଶିଷ୍ଟ ସିଟର ବ୍ୟବସ୍ଥା ହୋଇଥିଲା । ମାତ୍ର ନୂତନ ସଂସଦର ଲୋକସଭାରେ ୮୮୮ଟି ସିଟ୍‌ ରହିଥିବା ବେଳେ ରାଜ୍ୟସଭାରେ ୩୮୪ଜଣ ସଦସ୍ୟ ବସିବା ଲାଗି ସିଟର ବ୍ୟବସ୍ଥା କରାଯାଇଛି । ନୂଆ ସଂସଦ ଭବନରେ ସେଣ୍ଟ୍ରାଲ ହଲ୍‌ ରଖାଯାଇନାହିଁ । ସଂସଦର ଯୁଗ୍ମ ଅଧିବେଶନ ବେଳେ ଉଭୟ ସଦନର ଯେକୌଣସି ସ୍ଥାନରେ ଯୁଗ୍ମ ଅଧିବେଶନ ଆୟୋଜିତ ହୋଇପାରିବ ।

ନୂତନ ରାଜ୍ୟସଭାର ଭିତର ଦୃଶ୍ୟ
ନୂତନ ରାଜ୍ୟସଭାର ଭିତର ଦୃଶ୍ୟ

ସୂଚନା ଥାଉ କି ଆସନ୍ତା ୨୮ ତାରିଖରେ ଦେଶର ଗଣତନ୍ତ୍ରକ ମନ୍ଦିର ନବନିର୍ମିତ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବାକୁ ଯାଉଛନ୍ତି । ହେଲେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ ଦଳ । ନୂଆ ସଂସଦ ଭବନକୁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ବିଟ ପରେ ଦେଶର ୧୯ଟି ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନକୁ ବିରୋଧ କରିଛନ୍ତି । କଂଗ୍ରେସ, ଆପ, ତୃଣମୂଳ କଂଗ୍ରେସ, ଆରଜେଡି, ଜନତା ଦଳ (ୟୁ ), ସିପିଆଇ ଭଳି ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ନୂତନ ସଂସଦ ଭବନର ଉଦଘାଟନ ପାଇଁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.