ETV Bharat / bharat

Infiltration bid foiled: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିପୁଳ ମାରଣାସ୍ତ୍ର ସହ 3 ଆତଙ୍କୀ ଗିରଫ

author img

By

Published : May 31, 2023, 5:46 PM IST

ଦକ୍ଷିଣ କାଶ୍ମୀର ପୁଞ୍ଚ ସେକ୍ଟର ଅନୁପ୍ରବେଶ ଉଦ୍ୟମ ପଣ୍ଡ । ବିପୁଳ ମାରଣାସ୍ତ୍ର ସହ 3 ଆତଙ୍କୀ ଗିରଫ । କଡାକଡି ହେଲା ପାଟ୍ରୋଲିଂ ବ୍ୟବସ୍ଥା । ଅଧିକ ପଢନ୍ତୁ

Infiltration bid foiled: ଅନୁପ୍ରବେଶ ଉଦ୍ୟମ ପଣ୍ଡ, 3 ଆତଙ୍କୀ ଗିରଫ
Infiltration bid foiled: ଅନୁପ୍ରବେଶ ଉଦ୍ୟମ ପଣ୍ଡ, 3 ଆତଙ୍କୀ ଗିରଫ

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଞ୍ଚ ନିକଟବର୍ତ୍ତୀ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା । ଭାରତ ପାକିସ୍ତାନ ସୀମାରେ 3 ପାକିସ୍ତାନ ଆତଙ୍କୀଙ୍କୁ ସେନା ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ 10 କେ.ଜି ଓଜନର ଏକ ଆଇଇଡି ଜବତ କରାଯାଇଛି । ସମସ୍ତ 3 ଆତଙ୍କୀ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରଶିକ୍ଷଣ ନେଇ ଭାରତରେ ଅନୁପ୍ରେବଶ କରି ଆକ୍ରମଣ ଘଟାଇବା ଯୋଜନାରେ ଥିବା ସେନା ସୂତ୍ରରୁ ସୂଚନା ମିଳିଛି ।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟରାତ୍ରରେ ସେନା ଓ ସ୍ଥାନୀୟ ପୋଲିସ ପୁଞ୍ଚ୍‌ ସେକ୍ଟର ଅଧୀନ ନିୟନ୍ତ୍ରଣ ରେଖା ନିକଟରେ ଏକ ମିଳିତ ପାଟ୍ରୋଲିଂ ଅପରେସନ ଆରମ୍ଭ କରିଥିଲେ । ପାଗ ଖରାପ ଥିବା ସହ ସଂଧ୍ୟାରୁ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଥିଲା । ଯାହାର ସୁଯୋଗ ନେଇ 3ରୁ 4 ପାକିସ୍ତାନୀ ଆତଙ୍କୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ସେନାକୁ ସୂଚନା ମିଳିଥିଲା । ସେନା ଯବାନ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ସେମାନଙ୍କ ମଧ୍ୟରେ କିଛି ଆତଙ୍କୀ ଆହତ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

3 ଆତଙ୍କବାଦୀଙ୍କୁ ବିପୁଳ ଗୁଳିଗୋଳା ଓ ବିସ୍ଫୋରକ ସହ ଗିରଫ କରାଯାଇଛି । ଅନ୍ୟ କିଛି ଆତଙ୍କୀ ଖସି ପଳାଇବାରେ ମଧ୍ୟ ସଫଳ ହୋଇଛନ୍ତି । ସେନାର ଜଣେ ଯବାନ ମଧ୍ୟ ଗୁଳି ବିନିମୟରେ ଆହତ ହୋଇଛନ୍ତି । ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗିରଫ ଆତଙ୍କୀଙ୍କଠାରୁ ଏକାଧିକ ଏ.କେ-47 ରାଇଫଲ୍‌, ବିପୁଳ ଗୁଳି ଓ ମାଗାଜିନ୍‌, ପ୍ରାୟ 10 କେଜି ଓଜନର ଆଇଇଡି ମଧ୍ୟ ଜବତ କରାଯାଇଛି । ଗିରଫ ଆତଙ୍କୀମାନେ ପାକିସ୍ତାନର ଆତଙ୍କୀ କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ନେଇଛନ୍ତି । ସେମାନେ ଅନୁପ୍ରବେଶରେ ସକ୍ଷମ ହେବାପରେ କାଶ୍ମୀରରେ ଆତ୍ମଗୋପନ କରିବା ସହ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ।

ଘଟଣା ପରେ ପୁଞ୍ଚ ସେକ୍ଟର ସଂଲଗ୍ନ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ନଜର ରଖାଯାଇଛି । ପ୍ରତ୍ୟେକ ବର୍ଷ ଶୀତ ଦିନ ଆରମ୍ଭରୁ ତୁଷାରପାତ କାରଣରୁ ସୃଷ୍ଟି ହେଉଥିବା ଲୋ-ଭିଜିବିଲିଟି ସ୍ଥିତିର ସୁଯୋଗ ନେଇ ଆତଙ୍କବାଦୀମାନେ କାଶ୍ମୀରରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥାଆନ୍ତି । ସେମାନଙ୍କୁ ବର୍ଷ ସାରା ପାକ୍‌ ଅଧିକୃତ କାଶ୍ମୀରର ଆତଙ୍କୀ କ୍ୟାମ୍ପ୍‌ରେ ପାକିସ୍ତାନ ସେନାର ପ୍ରଚ୍ଛନ୍ନ ସହଯୋଗରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥାଏ । ସେହିସମୟରେ ଅନୁପ୍ରବେଶ ରୋକିବା ପାଇଁ ସୀମା ସୁରକ୍ଷା ବଳ, ସ୍ଥାନୀୟ ପୋଲିସ ଓ ଗୁଇନ୍ଦା ବିଭାଗ ଆଲର୍ଟ ମୋଡ୍‌କୁ ଆସିଥାନ୍ତି । ପ୍ରାୟ ପ୍ରତିବର୍ଷ ଅନୁପ୍ରବେଶ ଉଦ୍ୟମ ବେଳେ ସେନା ଗୁଳିରେ ଆତଙ୍କୀ ନିପାତ ହେବା କିମ୍ବା ଗିରଫ ହେବାର ଏକାଧିକ ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.