ETV Bharat / bharat

2 ବୃଦ୍ଧ ଚାଷୀଙ୍କୁ ED ନୋଟିସ: ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀଙ୍କ ଚିଠି

author img

By ETV Bharat Odisha Team

Published : Jan 2, 2024, 10:32 PM IST

2 ଚାଷୀଙ୍କୁ ED ନୋଟିସ: ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀ ଚିଠି
2 ଚାଷୀଙ୍କୁ ED ନୋଟିସ: ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀ ଚିଠି

IRS officer letter to President for dismiss Nirmala Sitharaman :2 ବୃଦ୍ଧ ଚାଷୀଙ୍କୁ ମନିଲଣ୍ଡ୍ରିଂ ଆକ୍ଟରେ ED ନୋଟିସ । କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀ ଚିଠି । ପଢନ୍ତୁ ପୁରା ଘଟଣା

ଚେନ୍ନାଇ: ଦେଶରେ ବିଜେପି ସରକାର ଇଡି, ସିବିଆଇ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ତାମିଲନାଡୁରେ ଏହି ଅଭିଯୋଗ ସହ ସମ୍ପର୍କିତ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ଦୁଇ ବୃଦ୍ଧ ଚାଷୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡ୍ରିଂ ଅଭିଯୋଗ ସହ ସମନ ଜାରି କରିଛି । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଟାର୍ଗେଟ କରିଛନ୍ତି ଜଣେ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ । ଏପରିକି ଅଧିକାରୀଜଣକ ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

ଏହି ଅଧିକାରୀଜଣକ ହେଉଛନ୍ତି ଚେନ୍ନାଇର ଜିଏସଟିି ବିଭାଗର ଡେପୁଟି କମିଶନର ବାଲା ମୁରୁଗନ । ତାଙ୍କ ଅଭିଯୋଗ ଅନୁସାରେ, ବିଜେପି ସରକାର କେନ୍ଦ୍ରୀୟ ସଂସ୍ଥାକୁ ଏକ ଅସ୍ତ୍ର ପରି ବ୍ୟବହାର କରୁଛି । ଦୁଇ ଗରିବ ବୃଦ୍ଧ ଚାଷୀ ଭାଇଙ୍କୁ କେନ୍ଦ୍ରୀୟ ସଂସ୍ଥାର ସମନ ଆସିବା ମାମଲାରେ ନିର୍ମଳା ସୀତାରମଣଙ୍କର ସମ୍ପୃକ୍ତି ରହିଛି । ତେଣୁ ତାଙ୍କୁ ପଦରୁ ବରଖାସ୍ତ କରିବାକୁ ନିବେଦନ କରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ସଂସ୍ଥାର ନୋଟିସ ପାଇଥିବା ଏହି ଦୁଇ ବୃଦ୍ଧ କୃଷକ ସମ୍ପର୍କରେ ଦୁଇ ଭାଇ । ସେମାନଙ୍କର ସ୍ଥାନୀୟ ଜଣେ ବିଜେପି ନେତାଙ୍କ ସହ ଜମି ବିବାଦ ରହିଛି । ସମ୍ପୃକ୍ତ ବିଜେପି ନେତା ଏହି ଦୁଇଭାଇଙ୍କୁ ଜମି ଦଖଲରୁ ହଟିଯିବା ପାଇଁ ଧମକ ସହ ଚାପ ପକାଉଥିଲେ । ସେହି କାରଣରୁ ଏବେ ବିଜେପି କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଦୁଇ କୃଷକଙ୍କୁ ନୋଟିସ ଜାରି କରିଛି ବୋଲି ଏହି ଅଧିକାରୀଜଣକ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି ।

2 ବୃଦ୍ଧ ଚାଷୀଙ୍କୁ ED ନୋଟିସ: ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀଙ୍କ ଚିଠି
2 ବୃଦ୍ଧ ଚାଷୀଙ୍କୁ ED ନୋଟିସ: ସୀତାରମଣଙ୍କ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ IRS ଅଧିକାରୀଙ୍କ ଚିଠି

କଣ ପୁରା ମାମଲା:-

ସୂଚନା ଅନୁସାରେ, ତାମିଲନାଡୁର ସେଲମ ଜିଲ୍ଲାର ଆଟୁର ଅଞ୍ଚଳର ରାମାନାୟାଗନପାଲାୟମ ଗ୍ରାମର ଦୁଇ ବୃଦ୍ଧ କୃଷକ 72 ବର୍ଷୀୟ କନ୍ନୟିଆନ ଓ 67 ବର୍ଷୀୟ କ୍ରିଷ୍ଣନଙ୍କ ନାମରେ 6.5 ଏକର ଜମି ରହିଛି । ଏହି ଜମିକୁ ନେଇ ସେଲମ-ପୂର୍ବ ଜିଲ୍ଲାର ବିଜେପି ସମ୍ପାଦକ ଗୁଣଶେଖରଙ୍କ ସହ ବିବାଦ ରହିଛି । ରାଜନୀତିରେ ସକ୍ରିୟ ଥିବା ଗୁଣଶେଖର ସେମାନଙ୍କୁ ଜମିକୁ ନିଜ ଜମି ବୋଲି ଦାବି କରିଆସୁଛନ୍ତି । ଉଭୟଙ୍କୁ ଜମି ଛାଡିଦେବା ପାଇଁ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଥିଲା । ହେଲେ ଗତବର୍ଷ ଜୁନ 26 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଦୁଇ ବୃଦ୍ଧ ଭାଇଙ୍କୁ ମନିଲଣ୍ଡ୍ରିଂ ଆକ୍ଟରେ ସମନ ପଠାଇଥିଲା । ଇଡି ସହକାରୀ ନିର୍ଦ୍ଦେଶକ ରିତେଶ କୁମାରଙ୍କ ଦ୍ବାରା 26 ଜୁନ୍ 2023 ତାରିଖରେ ସହ ସମନରେ ଜାରି କରାଯାଇଥିଲା । ଉଭୟ ଭାଇଙ୍କୁ ଜୁଲାଇ 5, 2023 ରେ ସଂସ୍ଥା ନିକଟରେ ହାଜର ହେବାକୁ ସମନ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- 'ତିସରି ବାର୍‌ ମୋଦି ସରକାର, ଅବ କି ବାର ୪୦୦ ପାର'

ତେବେ ଏହି ମାମଲାରେ ଚେନ୍ନାଇର ଜିଏସଟିି ବିଭାଗର ଡେପୁଟି କମିଶନର ଦାୟିତ୍ବରେ ଥିବା ବାଲା ମୁରୁଗନ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି, ଏହି ଦୁଇ ବୃଦ୍ଧ କୃଷକ ଅର୍ଥ ଅଭାବରେ ପରିଣତ ବୟସରେ ସରକାରୀ ଭତ୍ତା ଉପରେ ନିର୍ଭର କରି ଜୀବନ କାଟୁଛନ୍ତି । ସେମାନେ ନିରକ୍ଷର ହୋଇଥିବା କାରଣରୁ ବ୍ୟାଙ୍କ କାରବାର ସମ୍ପର୍କରେ ମଧ୍ୟ ଜାଣନ୍ତି ନାହିଁ । ସେମାନଙ୍କୁ କିପରି ଆର୍ଥିକ ହେରଫେର ଅଭିଯୋଗରେ ସମନ ଜାରି କରାଗଲା । ବିଜେପି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରି ବୃଦ୍ଧ, ଦଳିତ କୃଷକଙ୍କୁ ମଧ୍ୟ ଛାଡୁନାହିଁ ବୋଲି ସେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.