ISFR Report: ୨ ବର୍ଷରେ ଦେଶରେ ବୃଦ୍ଧି ପାଇଛି ୨,୨୬୧ ବର୍ଗ କିମି ଜଙ୍ଗଲ

author img

By

Published : Jan 13, 2022, 7:40 PM IST

ISFR report: ଗତ ୨ ବର୍ଷରେ ଦେଶରେ ବଢିଛି ଜଙ୍ଗଲ

ଦେଶରେ ଗତ ୨ ବର୍ଷରେ ୨,୨୬୧ ବର୍ଗ କିଲୋମିଟର ବୃଦ୍ଧି ପାଇଛି ଜଙ୍ଗଲ ପରିମାଣ । India state of forest report (ISFR) ଅନୁଧ୍ୟାନରେ ଆସିଲା ତଥ୍ୟ । ଖୁସି ବ୍ୟକ୍ତ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ବୃଦ୍ଧି ପାଇଛି ଜଙ୍ଗଲ ତଥା ବୃକ୍ଷର ପରିମାଣ । ଗତ ଦୁଇ ବର୍ଷରେ ପ୍ରାୟ ୨,୨୬୧ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଥିବା ଜଙ୍ଗଲ ଅନୁଧ୍ୟାନ ରିପୋର୍ଟ (India state of forest report-ISFR 2021)ରେ ଦର୍ଶାଯାଇଛି । ୨୦୨୧ ର ଏହି ଅନୁଧ୍ୟାନ ଗତକାଲି ପ୍ରକାଶ କରିବା ସହ ଏଥିରେ ଏହି ସକରାତ୍ମକ ପରବର୍ତ୍ତନ ଆସିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ।

ଏହି ଅନୁଧ୍ୟାନ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା (FSI) ଦ୍ବାର କରାଯାଇଥିଲା । ଦେଶରେ ଥିବା ମୋଟ ଜଙ୍ଗଲ ପରିମାଣ ଓ ଜଙ୍ଗଲ ସମ୍ପଦ ଆଦି ଦିଗକୁ ଏହି ଅନୁଧ୍ୟାନ ଅନ୍ତର୍ଭୂକ୍ତ କରାଯାଇଥିଲା । ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୧୯ ମସିହା ତୂଳନାରେ ଦେଶରେ ଉଭୟ ଜଙ୍ଗଲ ଓ ବୃକ୍ଷର ପରିମାଣ ବୃଦ୍ଧି ପାଇଛି । ଜଙ୍ଗଲ ପରିମାଣ ୧୫୪୦ ବର୍ଗ କିମି ବୃଦ୍ଧି ପାଇଥିବା ବେଳେ ବୃକ୍ଷରାଜି ମଧ୍ୟ ୭୨୧ ବର୍ଗ କି.ମି ବୃଦ୍ଧି ପାଇଛି ।

ତେବେ ଏହି ରିପୋର୍ଟ ପ୍ରକାଶ କରିବା ବେଳେ ମନ୍ତ୍ରୀ କହିଛନ୍ତି, ଏହି ସକାରତ୍ମକ ଫଳାଫଳ ଅତ୍ୟନ୍ତ ସନ୍ତୋଷଜନକ । ଦେଶରେ ବୃକ୍ଷ ଏବଂ ଜଙ୍ଗଲ ଆବରଣ ବୃଦ୍ଧି ପାଇବା ଜଳବାୟୁ ପରିବର୍ତ୍ତନ ସମେତ ବିଭିନ୍ନ ଦିଗରୁ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ଫଳାଫଳ ଦର୍ଶାଉଛି ଯେ ଆମେ ସବୁଜ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରୁଛୁ । ଜଙ୍ଗଲ ସଂରକ୍ଷଣ ମିଶନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ମନ୍ତ୍ରଣାଳୟ ଅନେକ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି, 2030 ମସିହା ସୁଦ୍ଧା ଭାରତ 2.5 ରୁ 3 ବିଲିୟନ ଟନ୍ ଅତିରିକ୍ତ କାର୍ବନ ସିଙ୍କ (additional carbon sink) ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଏହା ଫଳରେ ବାୟୁମଣ୍ଡଳରେ ଅଙ୍ଗାର କାମ୍ଳର ପରିମାଣକୁ ନିୟନ୍ତ୍ରଣ କରିବା ସହ ପ୍ରଦୂଷଣ ମଧ୍ୟ କମ କରାଯାଇ ପାରିବ । ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ‘ନଗର ବନ ଯୋଜନା’ ଅଧୀନରେ ଦେଶ ସବୁଜ ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ହେବ ବୋଲି ବଭାଗୀୟ ମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.