ETV Bharat / bharat

ଆଜିଠୁ କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

author img

By ETV Bharat Odisha Team

Published : Dec 23, 2023, 7:00 AM IST

Hijab ban lifted in Karnataka: ଆଜିଠୁ କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ । ହିଜାବ ପିନ୍ଧି ସ୍କୁଲ ଓ କଲେଜ ଆସିପାରିବେ ମୁସଲିମ ଛାତ୍ରୀ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ
କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହଟିଲା ହିଜାବ ବ୍ୟାନ । ସିଦ୍ଧରମୈୟାଙ୍କ କଂଗ୍ରେସ ସରକାର କର୍ଣ୍ଣାଟକରେ ହିଜାବ ବ୍ୟାନ ହଟାଇ ଦେଇଛନ୍ତି । ନିଜ ପସନ୍ଦରେ କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ବ ଅଧିକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଏଣିକି ମୁସଲିମ ଛାତ୍ରୀମାନେ ଆଗଭଳି ହିଜାବ ପିନ୍ଧି ସ୍କୁଲ ଓ କଲେଜକୁ ଆସିପାରିବେ । ଆଜିଠୁ (ଶନିବାର) ଏହି ବ୍ୟାନ ହଟାଇବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘୋଷଣା କରିଛନ୍ତି । ୨୦୨୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାର ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ ନିଷିଦ୍ଧ କରିଥିଲା ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, '' ପ୍ରଧାନମନ୍ତ୍ରୀଙ୍କ ସବ୍‌କା ସାଥ, ସବ୍‌କା ବିକାଶ କଥା ମିଛ । ବିଜେପି ପୋଷାକ ଓ ଜାତି ଆଧାରରେ ଲୋକ ଓ ସମାଜକୁ ବାଣ୍ଟୁଛନ୍ତି । ନିଜ ପସନ୍ଦରେ ଖାଦ୍ୟ ଖାଇବା ଓ ପୋଷାକ ପିନ୍ଧିବାର ଅଧିକାର ସମସ୍ତଙ୍କର ଅଛି । ଏଥିରେ କେହି ବାଧା ଦେବା ଅନୁଚିତ୍ । ତେଣୁ ରାଜ୍ୟରେ ଲାଗୁ ହିଜାବ ବ୍ୟାନ ନିର୍ଦ୍ଦେଶ ହଟାଇବାକୁ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ସମସ୍ତେ ନିଜ ଇଚ୍ଛାରେ ଖାଦ୍ୟ ଖାଇପାରିବେ ଓ ପୋଷାକ ପିନ୍ଧିପାରିବେ ।''

ଏହା ମଧ୍ୟ ପଢନ୍ତୁ: Hijab Violence: ତେଜୁଛି ହିଜାବ ବିବାଦ, ୨୨ ଯାଏଁ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

ଜଣେ ବ୍ୟକ୍ତିଙ୍କ ହିଜାବ କଟକଣା ପ୍ରଶ୍ନରେ ସିଦ୍ଧରମୈୟା ଆହୁରି କହିଛନ୍ତି ଯେ, ତୁମ ପସନ୍ଦ ତୁମର ଏବଂ ମୋ ପସନ୍ଦ ମୋର । ମୁଁ ଧୋତି କୁର୍ତ୍ତା ପିନ୍ଧିବାକୁ ପସନ୍ଦ କରେ ଓ ତୁମେ ପ୍ୟାଣ୍ଟ ସାର୍ଟ । ଏହା ତୁମର ବ୍ୟକ୍ତିଗତ ପସନ୍ଦ । ଏଥିରେ କିଛି ଭୁଲ୍ ନାହିଁ । ଲୋକଙ୍କ ଟ୍ୟାକ୍ସରୁ ରାଜନେତା ଏବଂ ଅଫିସରମାନେ ଦରମା ପାଉଛନ୍ତି । ତେଣୁ ଜନସେବା ଆମର ପ୍ରଥମ ପ୍ରାଥମିକତା । ସେଥିପାଇଁ ଲୋକେ ଆମକୁ ଭୋଟ ଦେଇଛନ୍ତି । କଂଗ୍ରେସ ପାର୍ଟି ଭୋଟ ରାଜନୀତି କରେନି । ଗରୀବ, ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସ କ୍ଷମତାକୁ ଆସିଛି । ଏଥିରେ କେବେ କୌଣସି ପ୍ରକାର ସାଲିସ୍ କରାଯିବନି ।

କ'ଣ ଥିଲା ମାମଲା:

୨୦୨୨ ଫେବୃୟାରୀରେ କର୍ଣ୍ଣାଟକ ଉଡୁପିର ଏକ ସରକାରୀ କଲେଜ କ୍ଲାସରୁମ ଭିତରେ ହିଜାବ ପିନ୍ଧିବା ନିଷେଧ କରିଥିଲା । ଏହାପରେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ ମଧ୍ୟ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ପରବର୍ତ୍ତୀ ସମୟରେ କର୍ଣ୍ଣାଟକର ତତ୍କାଳୀନ ବାସବରାଜ ବୋମାଇ ସରକାର ସ୍କୁଲ ଓ କଲେଜ କ୍ୟାମ୍ପସରେ ହିଜାବ ବ୍ୟାନ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସେତେବେଳେ ବହୁ ବାଦବିବାଦ ଦେଖାଯାଇଥିଲା । କର୍ଣ୍ଣାଟକରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.