ETV Bharat / bharat

Manipur: ଥମୁନି ହିଂସା, ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣ

author img

By

Published : Jun 17, 2023, 9:05 PM IST

ଗତକାଲି ରାତିରେ ମଣିପୁରରେ ପୁଣି ହିଂସା । ଫୋର୍ସ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ । ପୋଲିସର ରବର ବୁଲେଟ ଓ ଟିଅର ଗ୍ୟାସ ଫାଏର । ଅଧିକ ପଢନ୍ତୁ

Manipur: ଥମୁନି ହିଂସା, ଆଜି ପୁଣି ପୋଲିସ ଉପରେ ଆକ୍ରମଣ
Manipur: ଥମୁନି ହିଂସା, ଆଜି ପୁଣି ପୋଲିସ ଉପରେ ଆକ୍ରମଣ

ଇମ୍ଫାଲ: ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଗତକାଲି ରାତିରେ ପୁଣି ଚୋରାଚାନ୍ଦପୁର ଜିଲ୍ଲା ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରୁ ହିଂସାର ଖବର ଆସିଛି । ଏକାଧିକ ସ୍ଥାନରେ ଗତକାଲି ସାରା ରାତି ହିଂସା ଓ ଉତ୍ତେଜନା ଲାଗି ରହିଥିବା ସେନା ଓ ପୋଲିସ ସୂତ୍ରରୁ ସୂଚନା ମିଳିଛି । ସେନା, ଆସାମ ରାଇଫଲ୍ସ ଓ ରାପିଡ ଆକ୍ସନ ଫୋର୍ସର ମିଳିତ ଟିମ ଇମ୍ଫାଲ ଇଷ୍ଟ ଜିଲ୍ଲାରେ ଫ୍ଲାଗମାର୍ଚ୍ଚ କରିଛନ୍ତି ।

ଇମ୍ଫାଲରେ ଥିବା ଆଡଭାନ୍ସ ହସ୍ପିଟାଲ ପରିସରରେ ଗତକାଲି ରାତିରେ ହିଂସାକାଣ୍ଡ ଘଟିଛି । ପ୍ରାୟ ହଜାରରୁ ଅଧିକ ଉତ୍ୟେକ୍ତ ଲୋକ ଏକାଠି ହୋଇ ଜଳାପୋଡା ଓ ଭଙ୍ଗାରୁଜା କରିଥିଲେ । ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଏଥିରେ ସୁରକ୍ଷାବଳ ବଳ ପ୍ରୟୋଗ କରି ସେମାନଙ୍କୁ ଘଉଡାଇଥିଲା । ଉତ୍ୟକ୍ତ ଭିଡକୁ କାବୁ କରିବାକୁ ସୁରକ୍ଷାବଳ ରବର ବୁଲେଟ ଓ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିଲା । ଏଥିରେ ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସେହିପରି ଗତକାଲି ରାତିରେ ମଣିପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ନିକଟରେ ମଧ୍ୟ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ 300 ଲୋକଙ୍କ ଭିଡ ସ୍ଥାନୀୟ ବିଧାୟକଙ୍କ ଘର ଭଙ୍ଗାରୁଜା କରିଛନ୍ତି । ଜଳାପୋଡା ଉଦ୍ୟମ ମଧ୍ୟ ହୋଇଛି । ସୂଚନା ପାଇ ସୁରକ୍ଷାବଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ପୋଲିସ ଉପରେ ମଧ୍ୟ ଉତ୍ୟକ୍ତ ଭିଡ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ସେଠାରେ ମଧ୍ୟ ପୋଲିସ ଓ ସେନା ବଳ ପ୍ରୟୋଗ କରି ଭିଡକୁ ଘଉଡାଇଥିଲେ । ଏକାଧିକ ଲୋକେ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ମେ’ 3 ତାରିଖ ହିଂସା ପରେ ମଣିପୁରରେ ସ୍ଥିତି ଶାନ୍ତ ହେବାର ନାଁ ହେଉନାହିଁ । ପ୍ରାୟ ଦୁଇ ଦିନ ଧରି ହୋଇଥିବା ଏହି ହିଂସାରେ ପ୍ରାୟ 80 ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । 30 ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଥିଲା । ରାଜ୍ୟରେ ରାପିଡ ଆକ୍ସନ ଫୋର୍ସ ସହ ସେନା ମଧ୍ୟ ମୁତୟନ କରାଯାଇଥିଲା । ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା । ରାଜ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ ମଣିପୁର ଗସ୍ତ କରିଥିଲେ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତମାମ ପ୍ରୟାସ ପରେ ମଧ୍ୟ ଏଠାରେ ଏବେ ମଧ୍ୟ ଶାନ୍ତି ଫେରିନାହିଁ । ବିଭିନ୍ନ ସ୍ଥାନରୁ ହିଂସାର ଖବର କ୍ରମାଗତ ଆସିବାରେ ଲାଗିଛି । ଏବେ ମଧ୍ୟ ଜାତିଗତ ସଂରକ୍ଷଣକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.