ETV Bharat / bharat

ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ

author img

By ETV Bharat Odisha Team

Published : Jan 14, 2024, 7:53 PM IST

ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଦମ୍ପତି ଓ 2 ଶିଶୁ
ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିଲେ, ଜଳିଗଲେ ଦମ୍ପତି ଓ 2 ଶିଶୁ

4 Died by fireplace to escape: ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିବା ଅବସ୍ଥାରେ ଶ୍ବାସରୁଦ୍ଧ ଦମ୍ପତି ଓ 2 ଶିଶୁ ମୃତ । ଗତକାଲି ରାତିରେ ଘଟିଛି ଅଘଟଣ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଥଣ୍ଡାରୁ ରକ୍ଷା ପାଇଁ ରାତିରେ ଘରେ ନିଆଁ ଜାଳିଥିଲେ । ହେଲେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଗୋଟିଏ ପରିବାର 4 ଜୀବନ । ମୃତକମାନେ ଦମ୍ପତି ଓ ତାଙ୍କ 2 ଶିଶୁ ବୋଲି ଜଣାପଡିଛି । ଉତ୍ତର ଦିଲ୍ଲୀର ଖେଡା ଏରିଆରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଆଜି ସକାଳେ ପୋଲିସ ପହଞ୍ଚି ଦମ୍ପତି ଓ ତାଙ୍କର ଦୁଇ ଶିଶୁଙ୍କ ମୃତଦେହ ପଡୋଶୀଙ୍କ ସାହାଯ୍ୟରେ ଉଦ୍ଧାର କରିଛି । ଘର ଭିତରପଟୁ ବନ୍ଦ ଥିଲା । ସେମାନେ ଶୋଇଥିବା କୋଠରୀରେ ନିଆଁ ଜଳାଯାଇଥିବା ଦେଖିବାକୁ ମିଳିଛି । ତେବେ ଧୂଆଁରେ ଶ୍ବାସରୁଦ୍ଧ ହୋଇ ସମସ୍ତ 4 ଜଣଙ୍କ ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ଅଲିପୁର ଥାନା କ୍ଷେତ୍ର ଅଧୀନରେ ଏହି ଅଘଟଣ ଘଟିଛି । ମୃତକ ଦିନକର ସିଂ, ତାଙ୍କ ପତ୍ନୀ ଲଳିତା ଓ ତାଙ୍କର 7 ଓ 8 ବର୍ଷୀୟ 2 ଶିଶୁ । ଗତକାଲି ରାତିରେ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୋଇଥିବା କୋଠରୀରେ ନିଆଁ ଜାଳିଥିଲେ । ଆଜି ସେମାନଙ୍କୁ ଅଚେତ ଅବସ୍ଥାରେ ପଡୋଶୀ ଠାବ କରିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା । କୋଠରୀରେ ଧୂଆଁରେ ସେମାନେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ ଘନ କୁହୁଡି ପ୍ରଭାବ, ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ଥଣ୍ଡାରୁ କୋଠରୀକୁ ଗରମ ରଖିବା ପାଇଁ ଜଳାଯାଉଥିବା ନିଆଁକୁ ଉତ୍ତର ଭାରତରେ ‘ଅଙ୍ଗୁଠି’ କୁହାଯାଏ । ଶୀତ ଦିନେ ଲୋକେ ହାଡଭଙ୍ଗା ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ଜାଳିବାର ଏହି ପ୍ରଣାଳୀ ବ୍ୟବହାର କରନ୍ତି । ମାତ୍ର ଘରେ ବାୟୁ ଚଳାଚଳ ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବଧା ନଥିଲେ କିମ୍ବା ସୁରକ୍ଷିତ ଭାବେ ଏହି ନିଆଁ ଜଳାନଗଲେ ଅଘଟଣର ଆଶଙ୍କା ଥାଏ । ଧୂଆଁରେ ଅମ୍ଳଜାନ ପରିମାଣ ହ୍ରାସ ପାଇବା ସହ ଶ୍ବାସରୁଦ୍ଧ ହେବା ପରି ସ୍ଥିତି ସୃଷ୍ଟି ହୋଇଥାଏ । ଶୋଇଥିବା ଅବସ୍ଥାରେ ଏପରି ସ୍ଥିତି ସୃଷ୍ଟି ହେଲେ ଅଚେତ ହୋଇପଡିବା ଓ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇବା ପରି ଘଟଣା ଘଟେ । ପୂର୍ବରୁ ମଧ୍ୟ ଦିଲ୍ଲୀର ଇନ୍ଦ୍ରପୁରୀ ଏରିଆରେ ଏହି କାରଣରୁ 2 ଜଣଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.