ETV Bharat / bharat

ଦିଲ୍ଲୀରେ ଘନ କୁହୁଡି ପ୍ରଭାବ, ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

author img

By ETV Bharat Odisha Team

Published : Jan 14, 2024, 11:50 AM IST

Trains and Flights delayed in Delhi: ଦିଲ୍ଲୀରେ ଘନ କୁହୁଡିର ପ୍ରଭାବ । ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ । ଅଧିକ ପଢନ୍ତୁ

ଦିଲ୍ଲୀରେ ଘନ କୁହୁଡିର ପ୍ରଭାବ
ଦିଲ୍ଲୀରେ ଘନ କୁହୁଡିର ପ୍ରଭାବ

ନୂଆଦିଲ୍ଲୀ: ଘନ କୁହୁଡିର ଚାଦର ତଳେ ଜାତୀୟ ରାଜଧାନୀ ଦିଲ୍ଲୀ । ଗତ କିଛି ଦିନ ଧରି ଦିଲ୍ଲୀରେ ଘନ କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି । ସାଧାରଣ ଲୋକମାନେ ମଧ୍ୟ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅନେକ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଛି । ଆଜି (ରବିବାର) ପାଖାପାଖି 200ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଖପାଖରେ ଘନ କୁହୁଡି ଆସ୍ତରଣ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦୃଶ୍ୟମାନ ଦୂରତା କମ ରହିଥିବା ଯୋଗୁଁ ବିମାନ ଉଡାଣରେ ବାଧା ଉପୁଜିଛି । ଆଜି 200ରୁ ଅଧିକ ବିମାନ ଉଡାଣରେ ବାଧା ସୃଷ୍ଟି ହୋଇଥିବା ବେଳେ ଶନିବାର ଦିନ ମଧ୍ୟ କମ୍ ଦୃଶ୍ୟମାନ ଯୋଗୁ 250ରୁ ଅଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିରେ ପାଖାପାଖି 225ଟି ଘରୋଇ ବିମାନ ଥିଲା ଓ 25ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବିମାନ ଥିଲା । ଶୁକ୍ରବାର ଦିନ ମଧ୍ୟ 300ରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଥିଲା ।

ଏହାମଧ୍ୟ ପଢନ୍ତୁ.. ଉତ୍ତର ଭାରତରେ କୁହୁଡି କହର, ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ

ଦିଲ୍ଲୀ ବ୍ୟତୀତ ଦେଶର ଅନ୍ୟ ଏୟାରପୋର୍ଟ ମଧ୍ୟରେ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ୱାଇ, ଗୋରଖପୁର, ଭୁବନେଶ୍ୱର ଆଦି ବିମାନବନ୍ଦର ଗୁଡିକରେ କୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଯାହା ଫଳରେ ବିମାନ ଉଡାଣ ଘଣ୍ଟା ଘଣ୍ଟା ଧରି ବିଳମ୍ବ ହେଉଛି । ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଲୋକମାନେ ଘଣ୍ଟା ଘଣ୍ଟା ଧରି ଏୟାରପୋର୍ଟରେ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି କୁହୁଡିର ପ୍ରଭାବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଉପରେ ମଧ୍ୟ ଦେଖିବାକୁ ମିଳିଛି । କୁହୁଡି ଯୋଗୁ ବିମାନ ଉଡାଣ ବିଳମ୍ବ ଯୋଗୁଁ ଦିଲ୍ଲୀର ଏୟାରପୋର୍ଟରେ ଅନେକ କଂଗ୍ରେସ ନେତା ଅପେକ୍ଷା କରି ରହିଛନ୍ତି ।

ଅନ୍ୟପଟେ କୁହୁଡି କାରଣରୁ ଟ୍ରେନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି । ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା 22ଟି ଟ୍ରେନ ବିଳମ୍ୱରେ ଗତି କରୁଛି । ଏହି ସବୁ ଟ୍ରେନ ଗୁଡିକ 1ଘଣ୍ଟାରୁ 6 ଘଣ୍ଟା ଯାଏ ବିଳମ୍ବରେ ଗତି କରୁଛନ୍ତି ।

ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀକୁ ରବିବାର, ସୋମବାର ଓ ମଙ୍ଗଳବାର 3 ଦିନ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଦିଲ୍ଲୀ ପୋଲିସ ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀରେ ଘନ କୁହୁଡି ନେଇ ଜାନୁଆରୀ 14, ଜାନୁଆରୀ 15 ଓ ଜାନୁଆରୀ 16 ତିନି ଦିନ ଯାଏ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ ହୋଇ ଗାଡି ଚଳାଚଳ କରିବାକୁ ସାଧାରଣ ଲୋକମାନଙ୍କୁ ନିବେଦନ କରିଛି ଦିଲ୍ଲୀ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.