ETV Bharat / bharat

ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ ଆବେଦନ: ସଙ୍କୀର୍ଣ୍ଣ ଚିନ୍ତାଧାରା କହି ଖାରଜ କଲେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Nov 28, 2023, 5:52 PM IST

ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ ଆବେଦନ: ସଙ୍କୀର୍ଣ୍ଣ ଚିନ୍ତାଧାରା କହି ଖାରଜ କଲେ ସର୍ବୋଚ୍ଚ କୋର୍ଟ
ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ ଆବେଦନ: ସଙ୍କୀର୍ଣ୍ଣ ଚିନ୍ତାଧାରା କହି ଖାରଜ କଲେ ସର୍ବୋଚ୍ଚ କୋର୍ଟ

ପାକିସ୍ତାନୀ କଳାକାରଙ୍କୁ ଭାରତରେ ବ୍ୟାନ୍‌ ଆବେଦନକୁ ଖାରଜ କଲେ ସର୍ବୋଚ୍ଚ କୋର୍ଟ । କହିଲେ ଏତେ ସଙ୍କୀର୍ଣ୍ଣ ମନୋଭାବ ପୋଷଣ କରିବା ଅନୁଚିତ । ପୂର୍ବରୁ ସମାନ ଟିପ୍ପଣୀ କରିଥିଲେ ବମ୍ବେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ କଳାକାରଙ୍କ କାମ କରିବା କିମ୍ବା କୌଣସି କାର୍ଯ୍ୟକ୍ରମରେ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଇବା ପାଇଁ ଦାଖଲ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଏପରି ଆବେଦନକୁ ସଙ୍କୀର୍ଣ୍ଣ ଚିନ୍ତାଧାରା ବୋଲି କହି କୋର୍ଟ ସମାଲୋଚନା ମଧ୍ୟ କରିଛନ୍ତି । ଆବେଦନକାରୀ ଏତେ ସଙ୍କୀର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।


ଆଜି(ମଙ୍ଗଳବାର) ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ବି.ଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଏପରି ଆବେଦନ ଉପରେ ଶୁଣାଣି ପାଇଁ ଅନିଚ୍ଛା ପ୍ରକାଶ କରି ଖଣ୍ଡପୀଠ ଆବେଦନକାରୀ ଓକିଲଙ୍କୁ ସମାଲୋଚନା କରିଥିଲେ । ଆବେଦନକାରୀ ଏତେ ସଙ୍କୀର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ । ସେହିପରି ତଳକୋର୍ଟ ଏହି ପ୍ରସଙ୍ଗରେ ଆବେଦନକାରୀଙ୍କ ପ୍ରତି କରିଥିବା ଟିପ୍ପଣୀକୁ ଖାରଜ କରିବା ପାଇଁ ମଧ୍ୟ ଖଣ୍ଡପୀଠ ମନା କରିଦେଥିଲେ ।

ନିଜକୁ ସିନେ କଳାକାର ଦାବି କରୁଥିବା ଫୈଜ ଅନଓ୍ବାର କ୍ବରେଶୀ ନାମକ ଜଣେ ବ୍ୟକ୍ତି ପ୍ରଥମେ ପାକିସ୍ତାନୀ କଳାକାର ଓ ସିନେମା ଜଗତ ସହ ଜଡିତ କୌଣସି ବ୍ୟକ୍ତି ବିଶେଷଙ୍କୁ ଭାରତରେ କୌଣସି ସିନେମା ପ୍ରଯୋଜନା ସଂସ୍ଥା କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ, ଷ୍ଟେଜ ଶୋ ଇତ୍ୟାଦିରେ ଅଂଶଗ୍ରହଣ ଅନୁମତି ନଦେବା ପାଇଁ ବମ୍ବେ ହାଇକୋର୍ଟରେ ପ୍ରଥମେ ମାମଲା ଦାଖଲ କରିଥିଲେ । ପାକିସ୍ତାନୀ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ ଓ ସଙ୍ଗୀତ ଜଗତର ଅନ୍ୟ କଳାକାର, ଟେକ୍ନିସିଆନ ଆଦି ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ଆବେଦନରେ ଦର୍ଶାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଏୟାରଲିଫ୍ଟ ହେବେ ଶ୍ରମିକ: ପହଞ୍ଚିଲା ବାୟୁସେନାର ଚିନୁକ ହେଲିକପ୍ଟର, ସନ୍ଧ୍ୟା ସୁଦ୍ଧା ସରିବ ମିଶନ

ଏହାକୁ ବମ୍ବେ ହାଇକୋର୍ଟ ଖାରଜ କରିଥିଲେ । ଶୁଣାଣିରେ ବମ୍ବେ ହାଇକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଏପରି କରିବାର କୌଣସି କାରଣ ନାହିଁ । ନିଜକୁ ଦେଶଭକ୍ତ ସାବ୍ୟସ୍ତ କରିବା ପାଇଁ ଅନ୍ୟ କୌଣସି ଦେଶ କିମ୍ବା ପଡୋଶୀ ଦେଶର ନାଗରିକଙ୍କ ପ୍ରତି ଶତ୍ରୁତାପୂର୍ଣ୍ଣ ବ୍ୟବହାର କରିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ । ବମ୍ବେ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ କ୍ବରେଶୀ । ତେବେ ସର୍ବୋଚ୍ଚ କୋର୍ଟ ମଧ୍ୟ ଏହି ମାମଲାକୁ ସଙ୍କୀର୍ଣ୍ଣ ମାନସିକତା ସହ ତୂଳନା କରିବା ସହ ଖାରଜ କରିଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନୀ କଣ୍ଠଶିଳ୍ପୀ ଓ ସିନେମା ଜଗତ ସହ ଜଡିତ ବ୍ୟକ୍ତି ବିଶେଷ ବଲିଉଡ୍‌ରେ କାମ କରିବାର ଅନେକ ନଜିର ରହିଛି । ଭାରତୀୟ ସିନେମା ମଧ୍ୟ ପାକିସ୍ତାନରେ ରିଲିଜ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.