ETV Bharat / bharat

No Confidence Motion: ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ କହିଲେ ଶାହ

author img

By

Published : Aug 9, 2023, 9:53 PM IST

ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ: ଶାହ
ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ: ଶାହ

ମଣିପୁର ହିଂସାକୁ ନେଇ ରାଜନୀତି ଲଜ୍ଜାଜନକ କହିଲେ ଶାହ । କଂଗ୍ରେସ ଶାସନରେ ମଣିପୁର ହିଂସାରେ 2 ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା । କଂଗ୍ରେସ କ’ଣ କରିଥିଲା ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ମୋଦି ସରକାର ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଦ୍ବିତୀୟ ଦିନରେ ଜୋରଦାର ଚର୍ଚ୍ଚା ହୋଇଛି । ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଅନାସ୍ଥା ଆଲୋଚନାରେ ଅଂଶଗ୍ରହଣ କରି ମୋଦି ସରକାରଙ୍କ ବିରୋଧରେ ପ୍ରବଳ ବର୍ଷିବା ସହ ମଣିପୁରରେ ଦେଶର ହତ୍ୟା ହୋଇଛି ବୋଲି କହିଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିରୋଧୀଙ୍କ ଉପରେ ପାଲଟା ବର୍ଷିଛନ୍ତି । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ରାଜନୀତି କରୁଛନ୍ତି । ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶାହ କହିଛନ୍ତି ।

ଶାହ କହିଛନ୍ତି, "ଅଧିବେଶନ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହି ଆସୁଛନ୍ତି । ଯଦି ସେମାନେ ସରକାରଙ୍କ ପକ୍ଷ ଶୁଣିବା ପରେ ସନ୍ତୋଷ ଅନୁଭବ ନକରନ୍ତି, ତେବେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରିବା ଉଚିତ । କିନ୍ତୁ ବିରୋଧୀ ଆଲୋଚନା ଦାବି କରୁଥିବା ବେଳେ ରାଜନୀତି କରିବା ଜାରି ରଖିଛନ୍ତି । ମଣିପୁରରେ ଗତ 6ବର୍ଷ ଧରି ବିଜେପି ଶାସନରେ ରହିଛି । ପୂର୍ବରୁ କେବେ ମଣିପୁରରେ କର୍ଫ୍ୟୁ ମଧ୍ୟ ଲାଗିନଥିଲା । ବିରୋଧୀମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ମନ୍ତବ୍ୟ ରଖିବାକୁ ଦେଉନାହାନ୍ତି । 130 କୋଟି ଲୋକେ ଆମକୁ ନିର୍ବାଚିତ କରିଛନ୍ତି । ବିରୋଧୀଙ୍କୁ ଆମ କଥା ଶୁଣିବାକୁ ପଡିବ । ହିଂସା ପରି ପ୍ରସଙ୍ଗରେ ରାଜନୀତି କରିବା ଅତି ଲଜ୍ଜାଜନକ ।"

ସେହିପରି ଶାହ ମଣିପୁରରେ ହିଂସା କଥାକୁ ଅସ୍ବୀକାର କରିହେବନି ବୋଲି ମଧ୍ୟ କହିଥିଲେ । କହିଥିଲେ, "ସେଠାରେ ହିଂସା ହୋଇଛି । ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ହିଂସାରେ ମୋଟ ମୃତ୍ୟୁର ଅଧିକାଂଶ ମାମଲା ହିଂସା ଆରମ୍ଭ ହେବାର ପ୍ରଥମ ମାସରେ ଘଟିଛି । ଅଗଷ୍ଟ ମାସରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମଧ୍ୟ ରାଜ୍ୟରେ ଉତ୍ତେଜନା ଲାଗି ରହିଛି । ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ସଶସ୍ତ୍ର ବଳର ବ୍ୟାପକ ମୁତୟନ ଫଳରେ ହିଂସା ହ୍ରାସ ପାଇଛି । ରାଜ୍ୟର ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ବଦଳି ହୋଇଛି । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହଯୋଗ ହିଂସା ଦମନ କାର୍ଯ୍ୟରେ ଲାଗିଛନ୍ତି । ଏପରି ସମୟରେ ମୁଖ୍ଯମନ୍ତ୍ରୀଙ୍କୁ ପଦରୁ ହଟାଇବାର ଆବଶ୍ୟକତା କ’ଣ ।"

ଏହା ମଧ୍ୟ ପଢନ୍ତୁ :-No Confidence Motion: ଜବାବ ବେଳେ ସଂସଦରେ ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଶାହ

ସେହିପରି ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ମଧ୍ୟ ଶାହ ନାପସନ୍ଦ କରିଛନ୍ତି । ଏହା ଏକ ରାଜନୈତିକ ଡ୍ରାମା ବୋଲି କହିଛନ୍ତି । ରାହୁଲ ଚୁରାଚାନ୍ଦପୁର ଗସ୍ତ କରିଥିଲେ । ସେଠାରେ ତାଙ୍କୁ ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରରେ ଯିବା ପାଇଁ ପରାମର୍ଶ ଦିଆଗଲା । ସେ ସଡ଼କ ପଥରେ ବାହାରିଲେ । ତାଙ୍କୁ ପୋଲିସ ବାଧା ଦେଲା । ସେ ଚାହିଁଥିଲେ ହେଲିକପ୍ଟରରେ ଯାଇେପାରିଥାନ୍ତେ । ସେ ଏହି ହିଂସାକୁ ନେଇ ଡ୍ରାମା କଲେ ବୋଲି ଶାହ କହିଛନ୍ତି ।

ସେହିପରି ସେ କଂଗ୍ରେସ ଶାସନରେ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ହିଂସା ଓ ଏହାର ଭୟାବହତା ନେଇ ଉଦାହରଣ ମଧ୍ୟ ଦେଇଥିଲେ । ମଣିପୁରରେ କଂଗ୍ରେସର ଇବୋବି ସରକାର ଅମଳରେ ହିଂସାରେ 2 ହଜାର ଲୋକଙ୍କ ମୃତ୍ୟୁ ହେଲା, ସେତେବେଳେ କଂଗ୍ରେସ କଣ ପଦକ୍ଷେପ ଗ୍ରହଣ କରିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ କ’ଣ ଗୃହରେ ଉତ୍ତର ରଖିଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ । ଏହି ହିଂସା ଆରମ୍ଭ ହେବା ପରେ ସେ 3 ଦିନ ମଣିପୁର ଗସ୍ତ କରିଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରାୟ 20 ଦିନରୁ ଅଧିକ ମଣିପୁରରେ ରହିଥିବା ମଧ୍ୟ ଶାହ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.