ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

author img

By

Published : Nov 14, 2022, 2:30 PM IST

Updated : Nov 14, 2022, 6:37 PM IST

ପ୍ରେମିକାକୁ ଖଣ୍ଡ ଖଣ୍ଡ କରିଦେଲା ପ୍ରେମିକ

ବାହା ହେବା ପାଇଁ ଜିଦ କରିବାକୁ ବାନ୍ଧବୀକୁ ହତ୍ୟାକରି ୩୫ ଖଣ୍ଡ କରିଲା ନୃଶଂସ ପ୍ରେମିକ । ବିଳମ୍ବିତ ରାତି ୨ଟା ପରେ କଟା ଅଙ୍ଗକୁ ବାହାରେ ଫିଙ୍ଗୁଥିଲା । ୫ମାସ ପରେ ଏଭଳି ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ପୋଲିସ । ମୃତ ଯୁବତୀ ହେଲେ ମୁମ୍ବାଇର ବାସିନ୍ଦା ଶ୍ରଦ୍ଧା ।

ନୂଆଦିଲ୍ଲୀ: ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମ, ପ୍ରତାରଣାର ଏକ ଅମାନୁଷିକ କାଣ୍ଡ ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ବାହା ହେବା ପାଇଁ ଜିଦ କରିବାକୁ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ବାନ୍ଧବୀକୁ ହତ୍ୟାକରି ୩୫ ଖଣ୍ଡ କରିଲା ନୃଶଂସ ପ୍ରେମିକ । ଏହାପରେ ଫ୍ରିଜରେ ୧୮ ଦିନ ସାଇତି ରଖିଥିଲା ଖଣ୍ଡଖଣ୍ଡ ମୃତଦେହ । ଅଭିଯୁକ୍ତ ଅଫତାବ ପୁନଓ୍ବାଲାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ସୂଚନା ଅନୁସାରେ, କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଅଭିଯୁକ୍ତ ଅଫତାବ ଉତକ୍ଷିପ୍ତ ହୋଇ ବାନ୍ଧବୀଙ୍କୁ ହତ୍ୟାକରି ଖଣ୍ଡଖଣ୍ଡ କରିଦେଇଥିଲା । ଏନେଇ ଝିଅର ପରିବାର ତରଫରୁ ମେରୁଆଲି ଥାନାରେ ନଭେମ୍ବର ୮ ତାରିଖରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ଗତକାଲି ଅଫତାବଙ୍କୁ ଗିରଫ କରିଛି । ମୃତ ପ୍ରେମିକାଙ୍କ ନାମ ଶ୍ରଦ୍ଧା(୨୮) ବୋଲି ଜଣାପଡିଛି ।

ଏମିତି ଥିଲା ପୁରା ଘଟଣା

ଶ୍ରଦ୍ଧା ମୁମ୍ବାଇ ମାଲାଦ ଅଞ୍ଚଳର ଏକ କଲ ସେଣ୍ଟରରେ କାମ କରୁଥିବାବେଳେ, ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏହାପରେ ଦୁହେଁ ଏକାଠି ଲିଭ୍ ଇନ୍ ରିଲେସନସିପରେ ରହିବାକୁ ଲାଗିଲେ । ତେବେ ଶ୍ରଦ୍ଧାଙ୍କ ପରିବାର ଲୋକେ ଏହା ଜାଣିବା ପରେ ସମ୍ପର୍କକୁ ବିରୋଧ କରିବା ସହ ଅଫତାବଙ୍କ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିଥିଲେ । ଫଳରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀର ଏକ ଫ୍ଲାଟରେ ଘରଭଡା ନେଇ ରହୁଥିଲେ । ଏହାପରେ ଶ୍ରଦ୍ଧା ନିଜ ପରିବାର ଠାରୁ ସମ୍ପର୍କ କାଟିଦେଇଥିଲେ । ତେବେ ବିବାହ ପାଇଁ ଅଫତାବଙ୍କ ଉପରେ ଚାପ ପକାଇଥିଲେ ଶ୍ରଦ୍ଧା । ଏହାକୁ ନେଇ ଭଉୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ରରେ କାଟି ଖଣ୍ଡଖଣ୍ଡ କାଟି ଦେବା ସହ ଲୁଚାଇ ରଖିଥିଲା ଅଫତାବ ।

ତେବେ କିଛିଦିନ ଧରି ପରିବାର ସହ ଶ୍ରଦ୍ଧାଙ୍କର କୌଣସି ଯୋଗାଯୋଗ ନରହିବା କାରଣରୁ ପରିବାରଲୋକଙ୍କୁ ସନ୍ଦେହ ହୋଇଥିଲା । ସେମାନେ ଶ୍ରଦ୍ଧାଙ୍କୁ ଯୋଗାଯୋଗ କରିବାକୁ ଚାହିଁଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା । ଏମିତିକି ଶ୍ରଦ୍ଧା ଗତକିଛି ଦିନ ଧରି ସୋସିଆଲ ମିଡିଆରୁ ଦୂରରେ ରହିବା ଯୋଗୁଁ ପରିବାର ଲୋକଙ୍କ ସନ୍ଦେହ ଦ୍ବିଗୁଣିତ ହୋଇଥିଲା । ଏହାପରେ ପରିବାର ଲୋକେ ଶ୍ରଦ୍ଧାକୁ ଖୋଜିଖୋଜି ଆସି ଦିଲ୍ଲୀରେ ପହଞ୍ଚିଥିଲେ । ତେବେ ଦିଲ୍ଲୀ ଆସି ମଧ୍ୟ ଝିଅର କୌଣସି ଖବର ନପାଇବା କାରଣରୁ ମେରୁଆଲି ଥାନାରେ ଶ୍ରଦ୍ଧାଙ୍କ ନିଖୋଜ ଏତଲା ଦେଇଥିଲେ ।

ଏତଲା ମୁତାବକ ପୋଲିସ ସିସିଟିଭି କ୍ୟାମେରାକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଟେକ୍ନିକାଲ ସର୍ଭେଲାନ୍ସ ସହାୟତାରେ ଅଭିଯୁକ୍ତ ପ୍ରେମିକ ଆଫତାବକୁ ଖୋଜି ବାହାର କରିଥିଲା । ଆଉ ସବୁ ସତ କଥା ମାନିଯାଇଥିଲା ଆଫତାବ । ବିବାହ କରିବାକୁ ଶ୍ରଦ୍ଧା ଚାପ ପକାଇବାରୁ ତାକୁ ହତ୍ୟା କରିଥିବା ନେଇ ଅଫତାବ କହିଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ । ମୃତଦେହର କଟା ଅଂଶ ଜବତ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 14, 2022, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.