ETV Bharat / bharat

3ବର୍ଷ ପରେ DUରେ ହେବ ଛାତ୍ର ସଂସଦ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

author img

By ETV Bharat Odisha Team

Published : Aug 24, 2023, 10:09 PM IST

3 ବର୍ଷ ପରେ DUରେ ହେବ ଛାତ୍ର ସଂସଦ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି
3 ବର୍ଷ ପରେ DUରେ ହେବ ଛାତ୍ର ସଂସଦ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

3ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ । ଆସନ୍ତାମାସ 22 ରେ ଭୋଟିଂ । 2019 ପରଠାରୁ ବନ୍ଦ ରହିଥିଲା ନିର୍ବାଚନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦୀର୍ଘ 3ବର୍ଷ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଆସନ୍ତାମାସ (ସେପ୍ଟେମ୍ବର) 12 ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ 22 ତାରିଖରେ ଭୋଟ ଗ୍ରହଣ ହେବା ପାଇଁ ତାରିଖ ସ୍ଥିର କରାଯାଇଛି । ଶେଷଥର ପାଇଁ କ୍ୟାମ୍ପସରେ 2019 ରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହା ପରଠାରୁ କୋଭିଡ-19 ମହାମାରୀ କାରଣରୁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖାଯାଇଥିଲା ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, 12 ତାରିଖରେ ନାମାଙ୍କନ ଦାଖଲ କରାଯିବାକୁ ଥିବା ବେଳେ ପରଦିନ ଅର୍ଥାତ 13 ତାରିଖ ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି । 22 ତାରିଖରେ ଭୋଟିଂ ହେବ । ସକାଳ 8.30ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ 1ଟା ଓ ପରେ ପୁଣି ଅପରାହ୍ନ 3ଟାରୁ ଆରମ୍ଭ ହୋଇ ସଂଧ୍ୟା 7.30 ପର୍ଯ୍ୟନ୍ତ ଜାରି ରହିବ । ଛାତ୍ରଛାତ୍ରୀ ସେମାନଙ୍କର ପରିଚୟ ପତ୍ର ମାଧ୍ୟମରେ କ୍ୟାମ୍ପସରେ ପ୍ରବେଶ କରି ଭୋଟ ଦେଇପାରିବେ । ତେବେ ଦୀର୍ଘ 3ବର୍ଷ କ୍ୟାମ୍ପସରେ ନିର୍ବାଚନ ହେବା ନିଷ୍ପତ୍ତିକୁ ଛାତ୍ର ସଂଗଠନଗୁଡିକ ସ୍ବାଗତ କରିଛନ୍ତି ।

ଦିଲ୍ଲୀ ଛାତ୍ର କଂଗ୍ରେସ (NSUI) ରାଜ୍ୟ ସଭାପତି କୁନାଲ ସେହରାୱତ କହିଛନ୍ତି, ‘‘ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ସର୍ବପ୍ରଥମେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ । ଶେଷରେ ବିଶ୍ୱବିଦ୍ୟାଳୟ ହୃଦୟଙ୍ଗମ କରିଛି ଯେ, ନିର୍ବାଚିତ ଛାତ୍ର ସଂସଦ ବିନା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମତ ପ୍ରକାଶ କରିବା ସମ୍ଭବ ନୁହେଁ । ବିଳମ୍ବ ହୋଇଥିଲେ ମଧ୍ୟ ଦୀର୍ଘ ବ୍ୟବଧାନ ପରେ କ୍ୟାମ୍ପସରେ ନିର୍ବାଚନ ଅନୁଷ୍ଠିତ ହେବା ନିଷ୍ପତ୍ତି ସ୍ବାଗତ ଯୋଗ୍ଯ ।"

ଏହା ମଧ୍ୟ ପଢନ୍ତୁ:-Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ

ତେବେ ଛାତ୍ର ରାଜନୀତି ପାଇଁ ଜବାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟ ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ସର୍ବଦା ଚର୍ଚ୍ଚାରେ ଥାଏ । ହେଲେ 2019 ରେ କୋଭିଡ ସଂକ୍ରମଣ କାରଣରୁ ଦେଶବ୍ୟାପୀ ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସ୍ଥିଗତ ରହିଛି । ଏବେ ସ୍ଥିତିରେ ସୁଧାର ଆସିବା ପରେ କ୍ୟାମ୍ପସରେ ନିର୍ବାଚନ କରାଇବା ପାଇଁ ବିଭିନ୍ନ କ୍ୟାମ୍ପସରେ ଦାବି ମଧ୍ୟ ଉଠୁଥିବା ଦେଖିବାକୁ ମିଳିଲାଣି । ଏବେ ଦିଲ୍ଲୀ ବିଶ୍ବବିଦ୍ଯାଳୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ପରେ ଅନ୍ୟ କିଛି କ୍ୟାମ୍ପସରେ ମଧ୍ୟ ନିର୍ବାଚନ କରାଇବା ଦାବି ଜୋର ଧରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.