ETV Bharat / bharat

Darwaaze pe Dastak campaign: କୋଟାରେ କମିବ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ! ନଜର ରଖିବେ ହଷ୍ଟେଲ ୱାର୍ଡେନ

author img

By ETV Bharat Odisha Team

Published : Sep 3, 2023, 5:57 PM IST

ରାଜସ୍ଥାନର କୋଚିଂ ହବ୍‌ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାର ହ୍ରାସ କରିବା ଲାଗି ଆରମ୍ଭ ହେଲା 'ଦରୱାଜେ ପେ ଦସ୍ତକ' ଅଭିଯାନ । ଅଧିକ ପଢନ୍ତୁ

Darwaaze pe Dastak campaign
Darwaaze pe Dastak campaign

ଜୟପୁର: ରାଜସ୍ଥାନ କୋଟାରେ ବଢୁଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା । ଏହାକୁ ରୋକିବା ଦିଗରେ ଏକ ପ୍ରୟାସ ଆରମ୍ଭ କରିଛି କୋଟା ସିଟି ପୋଲିସ । ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରଙ୍କଠାରେ ଦେଖିବାକୁ ମିଳୁଥିବା ପୂର୍ବ ସଙ୍କେତଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ହଷ୍ଟେଲ ୱାର୍ଡେନ ଓ ଟିଫିନ ସପ୍ଲାଏରମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ହଷ୍ଟେଲରେ ରହୁଥିବା ଛାତ୍ର ଆତ୍ମହତ୍ୟା ପୂର୍ବରୁ ଅବସାଦଗ୍ରସ୍ତ ରହିଥାନ୍ତି । ଏଭଳି ଛାତ୍ରଛାତ୍ରଙ୍କୁ ଚିହ୍ନଟ କରିବା ଲାଗି 'ଦରୱାଜେ ପେ ଦସ୍ତକ' ଅଭିଯାନ ଆରମ୍ଭ କରିଛି ପୋଲିସ ।

ଏହି ଅଭିଯାନରେ ସାମିଲ ହେବା ଲାଗି ପୋଲିସ ହଷ୍ଟେଲର ୱାର୍ଡେନମାନଙ୍କୁ ଆହ୍ବାନ ଦେଇଛି । ସେପଟେ ମେସ୍‌ କର୍ମଚାରୀ ଓ ପ୍ରତିଦିନ ଖାଦ୍ୟ ଦେଉଥିବା ସପ୍ଲାଏରମାନଙ୍କୁ ମଧ୍ୟ ଏ ଦିଗରେ ଗୁରୁ ଦାୟିତ୍ବ ଦିଆଯାଇଛି । ପ୍ରତିଦିନ ସମସ୍ତ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ଅବସାଦଗ୍ରସ୍ତ ଛାତ୍ରଛାତ୍ରୀ, ଅଧିକାଂଶ ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ବା କୌଣସି ଛାତ୍ରଛାତ୍ରୀଙ୍କ ଟିଫିନ ଯଦି ସେମିତି ଫେରୁଛି ଅର୍ଥାତ ସେ ଖାଦ୍ୟ ନ ଖାଉଛି ସେମାନଙ୍କ ଉପରେ ନଜର ରଖିବାକୁ ମେସ୍‌ କର୍ମଚାରୀଙ୍କୁ କୁହାଯାଇଛି ।

ଏହା ବି ପଢନ୍ତୁ- କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

ଏ ନେଇ କୋଟା ଏଏସପି ଚନ୍ଦ୍ରଶୀଳା ଠାକୁର କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଲାଗି ଉତ୍ତମ ସମ୍ପର୍କ ସ୍ଥାପନ କରିବା ଲାଗି ୱାର୍ଡେନମାନଙ୍କୁ କୁହାଯାଇଛି । ଯଦି କୌଣସି ଛାତ୍ର ହଷ୍ଟେଲରେ ଅନୁପସ୍ଥିତ ରହୁଛି ବା ମିଲ୍‌ ସ୍କିପ୍‌ କରୁଛି ତାହା ଉପରେ ନଜର ରଖିବା ଲାଗି କୁହାଯାଇଛି । ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଅବସାଦଗ୍ରସ୍ତ ଛାତ୍ରଛାତ୍ରୀ ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ୱାର୍ଡେନମାନେ ସେମାନଙ୍କ ନିକଟରେ ପହଞ୍ଚନ୍ତୁ । ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରିବା ପରେ ତାଙ୍କ ଅଭିଭାବକଙ୍କୁ ଜଣାନ୍ତୁ । ଯଦି କୌଣସି ଛାତ୍ରଛାତ୍ରୀ ଦୁଃଖରେ ରହୁଛନ୍ତି ସେମାନଙ୍କ ସହିତ ୱାର୍ଡେନମାନେ କଥା ହୁଅନ୍ତୁ । ଏହାଦ୍ବାରା ଅନେକ ଛାତ୍ରଛାତ୍ରୀଙ୍କ ଅମୂଲ୍ୟ ଜୀବନ ବଞ୍ଚିପାରିବ ।"

ସେପଟେ ଜଣେ ହଷ୍ଟେଲ ୱାର୍ଡେନ ଗଜେନ୍ଦ୍ର ସୋନି କହିଛନ୍ତି, "କୋଚିଂରୁ ଆସିବା ପରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନାଇଟ୍‌ ଆଟିଣ୍ଡାନ୍ସ ବା ଉପସ୍ଥିତି ପରଖିଥାଉ । ସେମାନେ ଯେପରି ଘରକୁ ଭୁଲିବେ, ସେଥିଲାଗି ଏକ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଲାଗି ଉଦ୍ୟମ କରିଥାଉ । ଏହାସହିତ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଥାଉ ।" ମନସ୍ତତ୍ତ୍ବବିତ୍‌ଙ୍କ କହିବା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ଯେକୌଣସି ବ୍ୟକ୍ତି ଚୁପ୍‌ଚାପ୍‌ ରହିଥାଏ । ଏହି ସଙ୍କେତଗୁଡ଼ିକୁ ସମୟ ପୂର୍ବରୁ ଜାଣିଲେ ଅନେକ ଜୀବନ ବଞ୍ଚିପାରିବ । ତେବେ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ହାରକୁ ହ୍ରାସ କରିବା ଲାଗି ପୋଲିସ ଏହି ଅଭିଯାନରେ ହଷ୍ଟେଲ ୱାର୍ଡେନ ଓ ଟିଫିନ ସପ୍ଲାଏରଙ୍କୁ ସାମିଲ କରିଛି ।

ସୂଚନା ଥାଉ କି ପ୍ରତିବର୍ଷ କୋଚିଂ ହବ୍‌ ଭାବେ ଜଣାଶୁଣା କୋଟାକୁ ପାଠ ପଢ଼ିବା ଲାଗି 2.5 ଲକ୍ଷ ଛାତ୍ରଛାତ୍ରୀ ଯାଇଥାଆନ୍ତି । ଏଠାରେ ଛାତ୍ରଛାତ୍ରୀ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଲାଗି କୋଚିଂ ନେଇଥାନ୍ତି । 2022 ମସିହାରେ କୋଟାରେ 15 ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ଏବେ ସୁଦ୍ଧା ଏହି ସଂଖ୍ୟା 22ରେ ପହଞ୍ଚିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.