ETV Bharat / bharat

ମାଡି ଆସୁଛି ବିପର୍ଯ୍ୟୟ: ତଳିଆ ଅଞ୍ଚଳରୁ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର

author img

By

Published : Jun 14, 2023, 12:47 PM IST

ବାତ୍ୟା ବିପର୍ଯ୍ୟୟ ଅପଡେଟ
ବାତ୍ୟା ବିପର୍ଯ୍ୟୟ ଅପଡେଟ

ଆସନ୍ତାକାଲି ଗୁଜୁରାଟ ଛୁଇଁବ ବାତ୍ୟା ବିପର୍ଯ୍ୟୟ । ମୁକାବିଲା ପାଇଁ ଗୁଜୁରାଟରେ ହାଇଆଲର୍ଟ । ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ ହେଲେଣି ୩୭ ହଜାରରୁ ଅଧିକ ଲୋକ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗୁଜୁରାଟ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଆସନ୍ତାକାଲି(ଗୁରୁବାର) ସନ୍ଧ୍ୟାରେ ବାତ୍ୟା କଚ୍ଛ ଜିଲ୍ଲା ଓ ପାକିସ୍ତାନର କରାଚି ମଧ୍ୟରେ ଜଖାଉ ବନ୍ଦର(ଗୁଜୁରାଟ) ନିକଟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହି ସମୟରେ ୧୨୫ରୁ ୧୩୫ କିଲୋମିଟର ବେଗର ପବନ ବହିପାରେ । ସ୍ଥଳ ବିଶେଷରେ ପବନର ବେଗ ସର୍ବାଧିକ ୧୫୦ କିମି ରହିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଏହି ଦୃଷ୍ଟିରୁ ସତର୍କତା ସୂରୁପ ଅଦ୍ୟାବିଧି ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୩୭,୮୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଲୋକମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଯାଉଛି । ବାତ୍ୟା ସମୟରେ ସେନା ସହିତ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିବା ପାଇଁ NDRF ଟିମ ସଜାଗ ରହିଛି । ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ରିଲିଫ ସହୟତା ଯୋଗାଇ ଦେବାକୁ ବନ୍ୟା ରିଲିଫ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ସୌରାଷ୍ଟ୍ର, ଦ୍ବାରକା, କଚ୍ଛ ଜିଲ୍ଲା ବାତ୍ୟାରେ ଅଧିକ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିବାରୁ ଏହିସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା କଚ୍ଛ, ଦେବଭୂମି ଦ୍ବାରକା, ପୋରବନ୍ଦର, ଜାମନଗର, ମୋର୍ବି, ଜୁନାଗଡ ଓ ରାଜକୋଟ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିପାରେ । ବାତ୍ୟା ମୁକାବିଲା ପାଇଁ ଗୁଜୁରାଟ ସରକାର ଘନ ଘନ ବୈଠକ ଡାକୁଛନ୍ତି । କଚ୍ଛ ଜିଲ୍ଲାରେ ୧୬ ତାରିଖ ଯାଏଁ ୧୪୪ ଧାରା ଜାରି କରାଯାଇଛି । ସେପଟେ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି ମୁମ୍ବାଇ ଉପକୂଳ । ସମୁଦ୍ରରେ ଉଚ୍ଚ ଜୁଆର ଆସୁଛି ।

ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଭର୍ଚୁଆଲରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ । ଏହାସହିତ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ଏବଂ ସେମାନଙ୍କ ପାଇଁ ବିଦ୍ୟୁତ, ଟେଲି କମ୍ୟୁନିକେସନ, ସ୍ବାସ୍ଥ୍ୟସେବା ଏବଂ ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଙ୍କ ସହମେତ ଦୁଇ କେନ୍ଦ୍ରମନ୍ତ୍ରୀ, ଗୁଜୁରାଟର କେତେକ ମନ୍ତ୍ରୀ, ବିଧାୟକ ଏବଂ ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାର ଅଧିକାରୀ ସାମିଲ ହୋଇଥିଲେ ।

ରାଜ୍ୟ ରିଲିଫ କମିଶନର ଆଲୋକ କୁମାର ପାଣ୍ଡେ କହିଥିଲେ ଯେ, ବାତ୍ୟାର ଲ୍ୟାଣ୍ଡଫଲ ସମୟରେ ଅଧିକ ପ୍ରଭାବିତ ହେବାକୁ ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଜାରି ରହିଛି । ଏବେସୁଦ୍ଧା ବିଭିନ୍ନ ଜିଲ୍ଲାରୁ ପାଖାପାଖି ୩୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ନିଆଗଲାଣି । ସମୁଦ୍ର ତଟରୁ ୧୦ କିଲୋମିଟର ସୀମା ଭିତରେ ଥିବା ସମସ୍ତ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବାତ୍ୟା ପ୍ରଭାବରେ ଏ ଯାଏଁ ରାଜ୍ୟର ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.