ETV Bharat / bharat

ଯୋଶୀମଠ ପରେ ଜମ୍ମୁ କାଶ୍ମୀରରେ ଦବିଲା ମାଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

author img

By

Published : Feb 3, 2023, 4:35 PM IST

Joshimath like crisis
Joshimath like crisis

ଉତ୍ତରାଖଣ୍ଡ ଯୋଶୀମଠ ପରେ ଜମ୍ମୁକାଶ୍ମୀରରେ ମଧ୍ୟ ଦେଖାଗଲା ସମାନ ପରିସ୍ଥିତି । ଏଠାରେ ପ୍ରାୟ ୫୦ରୁ ଅଧିକ ଘରେ ଫାଟ ସୃଷ୍ଟି ହେବା ପରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀନଗର: ଯୋଶୀମଠ ପରେ ଏବେ ଜମ୍ମୁ କାଶ୍ମୀରରେ ଉପୁଜିଛି ସମାନ ପରିସ୍ଥିତି । ଏଠାରେ ମଧ୍ୟ ମାଟି ଦବିବା ପରେ ଅନେକଙ୍କ ଘର ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ପଡ଼ିଥିବା ବେଳେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜମ୍ମୁକାଶ୍ମୀରର ଦୋଡା ଜିଲ୍ଲାର ଥାତ୍ରି ଅଞ୍ଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଥାତ୍ରି ମ୍ୟୁନିସିପାଲିଟିର ନୟି ବସ୍ତି ଅଞ୍ଚଳରେ ପ୍ରଥମେ ଫାଟ ଦେଖାଦେଇଥିବା ଇଟିଭି ଭାରତକୁ ସ୍ଥାନୀୟ ପ୍ରଶାସନ କହିଛି ।

ଘରେ ଫାଟ ସୃଷ୍ଟି ହେବା ପରେ ଏଠାରେ ଉତ୍ତରାଖଣ୍ଡର ଯୋଶୀମଠ ପରି ମାଟି ଦବୁଥିବା ସନ୍ଦେହ କରାଯାଉଛି । ଶୁକ୍ରବାର ସୁଦ୍ଧା ଏହି ଅଞ୍ଚଳର ପ୍ରାୟ ୫୦ଟି ଘରେ ଫାଟ ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନର କହିବାନୁସାରେ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି । ତେବେ ଏଠାରେ ଭୂସ୍ଖଳନ ହେବାର ପ୍ରକୃତ କାରଣ ଜଣାପଡିନାହିଁ । ଖନନ କାର୍ଯ୍ୟ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଲୋକେ ଆଶଙ୍କା କରିଛନ୍ତି । ଅନ୍ୟପଟେ ପ୍ରଶାସନ ଏହାକୁ ପରୋକ୍ଷରେ ଖଣ୍ଡନ କରିଛି । ବୁଲଡୋଜର ଦ୍ବାରା ହେଉଥିବା ଖନନ କାର୍ଯ୍ୟ ଭୂସ୍ଖଳନର କାରଣ ପାଲଟିବାର ସମ୍ଭାବନା ବହୁତ କମ ବୋଲି ପ୍ରଶାସନ କହିଛି ।

ଏହା ବି ପଢନ୍ତୁ- ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ, ତାଲିବାନରୁ ଆସିଲା ଇମେଲ୍

ସେପଟେ କ୍ଷତିଗ୍ରସ୍ତ ହୋଇଥିବା ପରିବାର କ୍ଷତିପୂରଣ ଲାଗି ପ୍ରଶାସନ ନିକଟରେ ଦାବି କରିଛନ୍ତି । ପ୍ରଶାସନ ଏଯାବତ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ସେମାନେ ବାଧ୍ୟ ହୋଇ ସମ୍ପର୍କୀୟଙ୍କ ଘରକୁ ସ୍ଥାନାନ୍ତର ହେଉଥିବା କହିଛନ୍ତି । ଏହି ଘଟଣା ନେଇ ସ୍ଥାନୀୟ SDM ଅଥର ଅମିନ ଜାରଗର କହିଛନ୍ତି ଯେ କ୍ଷତିଗ୍ରସ୍ତ ପରିବାରକୁ ସୁରକ୍ଷିତ ଭାବେ କ୍ୟାମ୍ପ, ଟେଣ୍ଟକୁ ପଠାଯାଇଛି । ଯେଉଁ ଘରେ ଫାଟ ସୃଷ୍ଟି ହୋଇଛି ତାହାର ପ୍ରକୃତ କାରଣ ଖୋଜିବା ଲାଗି ବିଶେଷଜ୍ଞମାନେ ଗବେଷଣା ଆରମ୍ଭ କରିଛନ୍ତି ।

ଯେଉଁ ଘରେ ଫାଟ ସୃଷ୍ଟି ହୋଇଛି ଉକ୍ତ ଘରଗୁଡ଼ିକୁ ମରାମତି କରାଯିବ ଏଥିଲାଗି ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଦୋଡା ଡେପୁଟି କମିଶନର କହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳକୁ ସରକାରଙ୍କ ବରିଷ୍ଠ ଅଧିକାରୀ ପରିଦର୍ଶନରେ ଆସି ସ୍ଥିତି ପରଖିଛନ୍ତି । ଦୋଡା ଜିଲ୍ଲା ପ୍ରଶାସନ ଜମ୍ମୁକାଶ୍ମୀରର ଭୌଗୋଳିକ ବିଶେଷଜ୍ଞଙ୍କୁ ଏହାର କାରଣ ଖୋଜିବା ଲାଗି ଦାୟିତ୍ବ ଦେଇଛି । ଉତ୍ତରାଖଣ୍ଡ ଯୋଶୀମଠରେ ଫାଟ ସୃଷ୍ଟି ହେବାର କିଛି ସପ୍ତାହ ପରେ ଜମ୍ମୁରେ ଏପରି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.