ETV Bharat / bharat

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ, ତାଲିବାନରୁ ଆସିଲା ଇମେଲ୍

author img

By

Published : Feb 3, 2023, 1:31 PM IST

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ । ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ମିଳିଲା ଧମକପୂର୍ଣ୍ଣ ମେଲ୍ । ଅଧିକ ପଢନ୍ତୁ

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି । ଏଥିପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA)କୁ ଏକ ଇମେଲ୍ ଆସିଛି । ଏହି ଧମକପୂର୍ଣ୍ଣ ଇମେଲ୍ ପାଇବା ପରେ ଏନଆଇଏ ପକ୍ଷରୁ ଦେଶର ବିଭିନ୍ନ ସହରକୁ ସତର୍କ କରାଯାଇଛି । ତେବେ ତାଲିବାନରୁ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଥିବା ଦାବି କରାଯାଉଛି । ଏନେଇ ଏନଆଇଏ ମୁମ୍ବାଇ ପୋଲିସକୁ ଅବଗତ କରାଇବା ପରେ ସାରା ସହରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ଏନଆଇଏ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଇମେଲ୍ ପଠାଇଥିବା ବ୍ୟକ୍ତି ଜଣେ ତାଲିବାନୀ । ତାଲିବାନ ନେତା ହକ୍କାନିର ନିର୍ଦ୍ଦେଶକ୍ରମେ ଏହାକୁ ଏନଆଇଏ ପାଖକୁ ପଠାଯାଇଛି । ତେବେ ଏହି ଧମକ ପଛର ସତ୍ୟାସତ୍ୟ ଜାଣିବା ପାଇଁ ମୁମ୍ବାଇ ପୋଲିସ ଏନଆଇଏ ସହ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛି ।

କିଛି ଦିନ ତଳେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମଧ୍ୟ ଏପରି ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା । ୨୬/୧୧ ଆକ୍ରମଣ ଭଳି ଆଉଥରେ ସହରରେ ଭୟଙ୍କର ଆକ୍ରମଣ କରିବାକୁ ପୋଲିସକୁ ଧମକ ମିଳିଥିଲା । ଏହା ପୂର୍ବରୁ ହଜିଆଲି ଦର୍ଘା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ କଲ୍ ଆସିବାରୁ ଚାରିଆଡେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି କଲ୍ ଉଲ୍ଲାସନଗରରୁ ଆସିଥିବାର ପରେ ପୋଲିସ ଫୋନ ଟ୍ରେସ୍ କରି ଜାଣିବାକୁ ପାଇଥିଲା ।

ସେହିପରି ଚଳିତ ମାସରେ ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ସ୍କୁଲରେ ବୋମା ଖଞ୍ଜା ଯାଇଥିବା ନେଇ ଏହାର ଲ୍ୟାଣ୍ଡଲାଇନ ନମ୍ବରକୁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଗତବର୍ଷ ଅକ୍ଟୋବରରେ ସହରର ବିଭିନ୍ନ ଅଞ୍ଚଳରେ ବୋମା ରଖାଯାଇଥିବା କେହି ଫୋନ ଯୋଗେ କହିଥିଲା । ଏପରିକି ଅଯୋଧ୍ୟାର ରାମଜନ୍ମଭୂମିକୁ ବିସ୍ଫୋରଣରେ ଉଡାଇ ଦେବାକୁ ଗତକାଲି ଜଣେ ଅଜ୍ଞାତ ବ୍ୟକ୍ତି କଲ୍ କରି ଧମକ ମିଳିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ୨୬ ନଭେମ୍ବର ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ହୋଇଥିଲା । ପାକିସ୍ତାନର ଜିହାଦୀ ସଂଗଠନ ଲସ୍କର-ଏ-ତୋଇବା ଆତଙ୍କୀ ମୁମ୍ବାଇରେ ସିରିଜ୍ ଆକ୍ରମଣ କରିଥିଲେ । ସହରର ଏକାଧିକ ସ୍ଥାନରେ ସେମାନେ ରକ୍ତର ହୋଲି ଖେଳିଥିଲେ । ହୋଟେଲ ତାଜ ଉପରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିବର୍ଷାରେ ଥରି ଉଠିଥିଲା ସବୁ ଭାରତୀୟଙ୍କ ଛାତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.