ETV Bharat / bharat

Shocking: ରିଲ୍ସ ନିଶା, ୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ

author img

By

Published : Jul 28, 2023, 11:15 AM IST

୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ
୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ

ରିଲ୍ସ କରିବାକୁ ଦାମୀ ଫୋନ ଦରକାର ଥିଲା । ତେଣୁ ୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ । ଅଧିକ ପଢନ୍ତୁ

କୋଲକାତା: ବାୟା କଲା ରିଲ୍ସ । ଦାମୀ ଫୋନ କିଣିବାର ନିଶାରେ ମମତା ଭୁଲିଗଲା ମାଆ । ଇନଷ୍ଟାଗ୍ରାମରେ ଭଲ ରିଲ୍ସ ବନାଇବାକୁ ପାଖରେ ଦାମୀ ଫୋନ ନଥିଲା । ତେଣୁ ଆଇଫୋନ କିଣିବାକୁ ୮ ମାସର ପୁଅକୁ ବିକିଦେଲା । ଜନ୍ମକଲା ମାଆ ଯେ ଏତେ ନିର୍ଦ୍ଦୟ ନିଷ୍ଠୁର ହୋଇପାରେ ସହଜରେ ବିଶ୍ବାସ କରି ହେଉନଥିଲେ ବି ପଶ୍ଚିମବଙ୍ଗରୁ ଏମିତି କିଛି ଘଟଣା ଏବେ ଚାରିଆଡେ ଚହଳ ପକାଇଛି । ଦୁଇ ଜଣ ସ୍ବାମୀ-ସ୍ତ୍ରୀ ଆଇଫୋନ କିଣି ରିଲ୍ସ କରିବା ପାଇଁ ନିଜର ଶିଶୁପୁତ୍ରକୁ ବିକି ଦେଇଛନ୍ତି । ପୋଲିସ ମାଆକୁ ଗିରଫ କରିଥିବା ବେଳେ ବାପା ଫେରାର୍ ରହିଛି ।

ଘଟଣାଟି ଉତ୍ତର ପ୍ରଗଣା ୨୪ ଜିଲ୍ଲାର । ଏଠାରେ ଜୟଦେବ ଘୋଷ ଓ ତାଙ୍କର ପତ୍ନୀ ସାଥି ରୁହନ୍ତି । ସେମାନଙ୍କର ଗୋଟିଏ ୭ ବର୍ଷର ଝିଅ ଓ ୮ ମାସର ପୁଅ । ଏହି ଦମ୍ପତି ସୋସିଆଲ ମିଡିଆରେ ରିଲ୍ସ ବନାଉଥିଲେ । କିନ୍ତୁ ଭଲ ରିଲ୍ସ କରିବାକୁ ସ୍ବାମୀ ସ୍ତ୍ରୀଙ୍କ ପାଖରେ ଦାମୀ ଫୋନ ନଥିଲା । ସେମାନେ ଗୋଟିଏ ଆଇଫୋନ ୧୪ କିଣିବାକୁ ଚାହୁଁଥିଲେ । ଏଥିପାଇଁ ଦୁହେଁ ପ୍ରଥମେ ନିଜର ଝିଅକୁ ବିକିବାକୁ ଚେଷ୍ଟା କରିଥିଲେ । ହେଲେ ପରେ ୮ ମାସର ପୁଅକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଖାରଦା ଅଞ୍ଚଳର ଜଣେ ମହିଳାଙ୍କୁ ବିକ୍ରି କରିଥିଲେ । ପୁଅ ବାବଦରେ ମିଳିଥିବା ଟଙ୍କାରେ ଆଇଫୋନ ୧୪ କିଣି ବିଭିନ୍ନ ସ୍ଥାନ ବୁଲି ବୁଲି ରିଲ୍ସ କରିଥିଲେ ଦମ୍ପତି ।

ଏହାମଧ୍ୟ ପଢନ୍ତୁ: ପୁଣି କେଦାରନାଥ ଧାମରେ ରିଲ୍ସ, ଯୁବତୀଙ୍କ ମଥାରେ ସିନ୍ଦୁର ଭରିଲେ ଯୁବକ

ଜୟଦେବଙ୍କ ପଡୋଶୀ କିଛି ଦିନ ହେଲା ଶିଶୁପୁତ୍ରକୁ ଦେଖିବାକୁ ପାଇନଥିଲେ । ପୁଅ ନିଖୋଜ ଥିବାବେଳେ ତା'ର ବାପାମାଆଙ୍କ ମୁହଁରେ ଟିକିଏ ବି ଚିନ୍ତା ନଥିଲା । ଏହାଦେଖି ସେମାନଙ୍କର ସନ୍ଦେହ ହୋଇଥିଲା । ଏତିକି ବେଳେ ହଠାତ୍ ଏହି ଗରୀବ ସ୍ବାମୀ-ସ୍ତ୍ରୀଙ୍କ ପାଖରେ ଦାମୀ ଆଇଫୋନ ୧୪ ଦେଖି ସନ୍ଦେହ ଆହୁରି ବଢିଥିଲା । ପଡୋଶୀ ଲୋକେ ଜୟଦେବ ଓ ସାଥିଙ୍କୁ ତାଙ୍କର ୮ ମାସ ପୁଅ ବିଷୟରେ ପଚାରିଥିଲେ । ପୁଅ ବିଷୟରେ କହିବା ପାଇଁ ଅଧିକ ଚାପ ପକାଇବା ପରେ ସ୍ବାମୀ-ସ୍ତ୍ରୀ ଆଇଫୋନ କିଣିବା ପାଇଁ ଅନ୍ୟ ଜଣଙ୍କୁ ପୁଅକୁ ବିକ୍ରି କରିଦେଇଥିବା କଥା ସ୍ବୀକାର କରିଥିଲେ ।

ଏନେଇ ପଡୋଶୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାଆ ଓ ଶିଶୁକୁ କିଣିଥିବା ମହିଳାଙ୍କୁ ଗିରଫ କରିଛି । ହେଲେ ପିଲାଟିର ବାପା ଜୟଦେବ ଘୋଷ କୁଆଡେ ଫେରାର୍ ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.