ETV Bharat / bharat

ରାହୁଲଙ୍କୁ କଟାକ୍ଷ କରିଥିଲେ ନଡ୍ଡା, ହିମାଚଳ କଥା ମନେ ପକାଇ ପାଲଟା ଟାର୍ଗେଟ କଲା କଂଗ୍ରେସ

author img

By ETV Bharat Odisha Team

Published : Nov 19, 2023, 5:59 PM IST

ରାହୁଲଙ୍କୁ କଟାକ୍ଷ କରିବାକୁ ନେଇ ବିଜେପିକୁ କଂଗ୍ରେସର ଟାର୍ଗେଟ
ରାହୁଲଙ୍କୁ କଟାକ୍ଷ କରିବାକୁ ନେଇ ବିଜେପିକୁ କଂଗ୍ରେସର ଟାର୍ଗେଟ

ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିବାକୁ ନେଇ ନଡ୍ଡାଙ୍କୁ କଂଗ୍ରେସର ଟାର୍ଗେଟ । ଗୃହରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ଜିତି ପାରୁନଥିବା ମନେପକାଇ ପାଲଟା ଟାର୍ଗେଟ କଲା କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିବା ପ୍ରସଙ୍ଗରେ ଉଭୟ ବିଜେପି ଓ ନଡ୍ଡାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ରାହୁଲ ଦଳର ଆଗଧାଡିର ନେତା ଓ ଷ୍ଟାର ପ୍ରଚାରକ । ତାଙ୍କ ପ୍ରଚାର କାରଣରୁ 2017 ଓ 2018 ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ କରିଥିଲା । ଦଳ ରାହୁଲ ପ୍ରଚାର କରିଥିବା ଆସନ ଗୁଡିକରେ ଭଲ ପ୍ରଦର୍ଶନ କରିଥିଲା ବୋଲି କଂଗ୍ରେସ କହିଛି । ନିକଟରେ ନଡ୍ଡା ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ରାହୁଲଙ୍କୁ ନେଇ ବ୍ୟଙ୍ଗ କରିଥିଲେ । ରାହୁଲଙ୍କ ପ୍ରଚାର ପରୋକ୍ଷରେ ଭାରତୀୟ ଜନତା ପାର୍ଟି ପାଇଁ ଶୁଭଙ୍କର ବୋଲି ନଡ୍ଡା କହିଥିଲେ ।

ନଡ୍ଡାଙ୍କ ଏହି ଟିପ୍ପଣୀରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ତଥା ଏଆଇସିସି ଗୁଜୁରାଟ ପ୍ରଭାରୀ ବି.ଏମ ସନ୍ଦୀପ କୁମାର କହିଛନ୍ତି, ‘‘ନଡ୍ଡା ତାଙ୍କ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ । ନଡ୍ଡାଙ୍କ ଗୃହରାଜ୍ୟ ହିମାଚଳ ପ୍ରଦେଶରେ ବିଜେପି ପରାସ୍ତ ହୋଇଛି । ସେମାନେ ପରବର୍ତ୍ତୀ ସମୟରେ କର୍ଣ୍ଣାଟକରେ ମଧ୍ୟ ପରାଜିତ ହେଲେ । ଏବେ ନିର୍ବାଚନ ଜାରି ରହିଥିବା 5 ରାଜ୍ୟରେ ମଧ୍ୟ ସେମାନେ ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି । ଏପରି ସମୟରେ ସେମାନେ ନିଜ କାର୍ଯ୍ୟରେ ଧ୍ୟାନ ଦେବା ପରିବର୍ତ୍ତେ ଆମ ନେତାଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି । ନଡ୍ଡା ନିଜ ଦଳୀୟ ପ୍ରସଙ୍ଗରେ ଅଧିକ ଗୁରୁତ୍ବ ଦିଅନ୍ତୁ ।’’

ଆହୁରି ମଧ୍ୟ ସେ କହିଛନ୍ତି,‘‘ ରାହୁଲ ଗାନ୍ଧୀ କଂଗ୍ରେସର ଆଗଧାଡିର ପ୍ରଚାରକ । 2018ରେ ରାହୁଲଙ୍କ ପ୍ରଚାରରେ ଦଳ ବେଶ ଭଲ ଫଳାଫଳ ପାଇଥିଲା । 3 ବଡ ତଥା ମଧ୍ୟ-ଭାରତୀୟ ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ରାହୁଲଙ୍କ ନେତୃତ୍ବରେ ଦଳ ପ୍ରଚାର କରି ବିଜୟ ହାସଲ କରିଥିଲା । ଏହି 3 ରାଜ୍ୟରେ କଂଗ୍ରେସକୁ ଜନାଦେଶ ମିଳିଥିଲା । କଂଗ୍ରେସ ସେଠାରେ ସରକାର ଗଠନ କରିଥିଲେ ସୁଦ୍ଧା ମଧ୍ୟ ପ୍ରଦେଶରେ 2020ରେ ଭାରତୀୟ ଜନତା ପାର୍ଟି ସେଠାରେ ସରକାରର ଷଡଯନ୍ତ୍ରପୂର୍ଣ୍ଣ ପତନ କରି କ୍ଷମତା ହାସଲ କରିଥିଲା । 2017 ରେ ମଧ୍ୟ ରାହୁଲ ଗାନ୍ଧୀ ଦଳ ପାଇଁ ଗୁଜୁରାଟରେ ପ୍ରଚାର କରିଥିଲେ । ଦଳ ମଧ୍ୟ ଅପେକ୍ଷାକୃତ ଭଳ ପ୍ରଦର୍ଶନ କରିଥିଲା । ରାହୁଲଙ୍କ ବହୁପ୍ରତୀକ୍ଷିତ ‘ଭାରତ ଯୋଡୋ ଯାତ୍ରା’ ମଧ୍ୟ ଦକ୍ଷିଣରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସକୁ ଜନାଦେଶ ଦେବାର ଏକ ବଡ ସଫଳତା ମଧ୍ୟ । ’’

ଏହା ମଧ୍ୟ ପଢନ୍ତୁ :-‘ଭାରତ ଚମ୍ପିଆନ ହେଲେ, ଶ୍ରେୟ ନେବା ପାଇଁ ବିଜେପି ପ୍ରଚାରରେ ଲାଗିପଡିବ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଶେଷ ହେବା ପରେ ହୋଇଥିବା କର୍ଣ୍ଣାଟକରେ ବିଧାନସଭା ନିର୍ବାଚନରେ ମୋଟ 224 ଆସନ ମଧ୍ୟରୁ ମୋଟ 135 ଆସନ ଜିତି ଲ୍ୟାଣ୍ଡମାର୍କ ଭିକ୍ଟ୍ରି ହାସଲ କରିଥିଲା । ଏହା ରାହୁଲଙ୍କ ଭାରତ ଯୋଡୋ ଯାତ୍ରାର ସଫଳତା ବୋଲି ଦଳ କହିଥିଲା । ଏବେ ରାହୁଲ 5 ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମାରଥାନ ପ୍ରଚାର ଜାରି ରଖିଛନ୍ତି । ଦଳ ରାଜସ୍ଥାନ ଓ ଛତିଶଗଡରେ କ୍ଷମତା ବଜାୟ ରଖିବା ସହ ମଧ୍ୟ ପ୍ରଦେଶରେ 150 ରୁ ଅଧିକ ଆସନ ସହ କ୍ଷମତାକୁ ଫେରିବା ନେଇ ରାହୁଲ ବାରମ୍ବାର ଦମ୍ଭୋକ୍ତି ଦେଖାଉଛନ୍ତି । ଡିସେମ୍ବର 3 ତାରିଖରେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.