ETV Bharat / bharat

କାଶ୍ମୀରରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ

author img

By

Published : May 30, 2023, 9:38 AM IST

କାଶ୍ମୀରରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ
କାଶ୍ମୀରରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କୀ

ଜମ୍ମୁ-କାଶ୍ମୀରରେ ପୁଣିଥରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ । ଆତଙ୍କୀଙ୍କ ଗୁଳିମାଡରେ ଆଉ ଜଣେ ନାଗରିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଆତଙ୍କୀଙ୍କ ଗୁଳିମାଡରେ ଟଳିଲେ ଆଉ ଜଣେ ସାଧାରଣ ନାଗରିକ । ସୋମବାର ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ନାମକ ଦୀପୁ ଏବଂ ତାଙ୍କ ଘର ଜମ୍ମୁର ଉଦ୍ଧମପୁର ଜିଲ୍ଲାରେ । ସେ ପାଖରେ ଏକ ଘରୋଇ ସର୍କସ ମେଳାରେ କାମ କରୁଥିଲେ । ଗତକାଲି ସନ୍ଧ୍ୟାରେ ଅନନ୍ତନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ତାଙ୍କୁ ଗୁଳିମାଡ କରିଥିଲେ ।

ଯାହା ସୂଚନା ମିଳିଛି, ଦୀପୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସ ଜଣାଇଛି । ମୃତ ଦୀପୁ ଅନନ୍ତନାଗ ଜିଲ୍ଲା ଜନଗଲାତ ମଣ୍ଡି ଅଞ୍ଚଳ ସ୍ଥିତ ଏକ ପାର୍କରେ ସର୍କସ ମେଳାରେ କାମ କରୁଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପେରସନ ଚଳାଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ପ୍ରକାଶଥାଉ କି, କିଛି ଦିନ ତଳେ ପୁଲୱାମା ଜିଲ୍ଲାରେ ଜଣେ ୪୦ ବର୍ଷୀୟ କାଶ୍ମୀର ପଣ୍ଡିତ ଟାର୍ଗେଟ କିଲିଂର ଶିକାର ହୋଇଥିଲେ । ସେ ପାଖ ବଜାରକୁ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେହିପରି ଏହାପୂର୍ବରୁ ସଞ୍ଜୟ ଶର୍ମା ନାମକ ଆଉ ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରାଯାଇଥିଲା । ଚଳିତ ବର୍ଷ ଫେବୃଆରୀ ୨୬ରେ ଦକ୍ଷିଣ କାଶ୍ମୀର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ସଞ୍ଜୟ ଏଟିଏମ୍ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଅଚନ ଗ୍ରାମରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେ ସବୁଦିନ ପାଇଁ ଆଖି ବୁଜିଥିଲେ । ଏବେ ପୁଣିଥରେ ଅନନ୍ତନାଗ ଜିଲ୍ଲାରେ ପୁଣି ଜଣେ ସାଧାରଣ ନାଗରିକ ଆତଙ୍କୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Major Road Mishap: ଅଧାରେ ରହିଲା ବୈଷ୍ଣୋଦେବୀ ଦର୍ଶନ, ଖାଇକୁ ବସ୍ ଖସି ପଡିବାରୁ ୧୦ ଜଣଙ୍କ ମୃତ୍ୟୁ

ଗତ ଶନିବାର ଦିନ ଜମ୍ମୁ କାଶ୍ମୀରରୁ ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନ ସହ ଲିଙ୍କ୍‌ ଥିବା ମହମ୍ମଦ ଅସରଫ ମିର୍ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିଲା । ଅସରଫର ଘର ବାରାମୂଲା ଅଞ୍ଚଳର । ତଲାସି ସମୟରେ ତା' ନିକଟରୁ ଗୋଟିଏ ଗ୍ରେନେଡ୍‌ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.