ETV Bharat / bharat

Employees insurance fraud case: ବଲିଉଡ ଅଭିନେତ୍ରୀ ଜୟପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

author img

By

Published : Aug 11, 2023, 6:39 PM IST

Etv Bharat
Etv Bharat

କର୍ମଚାରୀଙ୍କୁ ରାଜ୍ୟ ବୀମା ଅର୍ଥ ପ୍ରଦାନରେ ହେରଫେର ମାମଲାରେ ଦୋଷୀ ସାବ୍ୟସ୍ତ ବଲିଉଡ ଅଭିନେତ୍ରୀ ଜୟପ୍ରଦା । ଯିବେ ଜେଲ । ଅଧିକ ପଢନ୍ତୁ

ଚେନ୍ନାଇ: ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଜୟପ୍ରଦାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ତାମିଲନାଡୁ ସ୍ଥିତ ଇଗମୋର କୋର୍ଟ । ଜୟପ୍ରଦାଙ୍କ ମାଲିକାନାରେ ଚେନ୍ନାଇ ସ୍ଥିତ ଏକ ଥିଏଟରର କର୍ମଚାରୀମାନଙ୍କୁ ରାଜ୍ୟ ବୀମା ଅର୍ଥ ପ୍ରଦାନରେ ହେରଫେର ଯୋଗୁଁ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜୟପ୍ରଦାଙ୍କୁ ଜେଲ ଦଣ୍ଡାଦେଶ ସମେତ ୫୦୦୦ ଟଙ୍କା ଜୋରିମାନା ଭରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଜୟପ୍ରଦାଙ୍କ ମାଲିକାନାରେ ଥିବା ଥିଏଟରର ଜଣେ କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ । ତେବେ କୋର୍ଟ ଆଜି ଏହାର ରାୟ ଶୁଣାଇଛନ୍ତି । ଜୟପ୍ରଦାଙ୍କ ସମେତ ଏଥିରେ ସମ୍ପୃକ୍ତ ଅନ୍ୟ ୩ ଜଣଙ୍କୁ ମଧ୍ୟ ୬ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ରାଜଧାନୀ ଚେନ୍ନାଇ ନିକଟ ରାୟପେଟା ଅଞ୍ଚଳରେ ରହିଛି ଏହି ଥିଏଟର । ଏହି ଥିଏଟରକୁ ଜୟପ୍ରଦା, ରାମ କୁମାର ଓ ରାଜା ବାବୁ ଚଲାଉଥିଲେ । ଗତ ୧୦ ବର୍ଷ ପୂର୍ବେ ଏହି ଥିଏଟର ବନ୍ଦ ରହିଛି । ଅଭିଯୋଗକାରୀ କର୍ମଚାରୀଙ୍କ କହିବା ଅନୁସାରେ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ରାଜ୍ୟ ବୀମା ଅର୍ଥ (ESI) ରାଶି କଟାଯାଉଥିବା ବେଳେ ଏହାକୁ ରାଜ୍ୟ ବୀମା ନିଗମରେ ଭରାଯାଉନଥିଲା ।

ଏହା ବି ପଢନ୍ତୁ- ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା, ମହାପ୍ରଭୁଙ୍କୁ କଲେ ଦର୍ଶନ

ଏ ସମ୍ପର୍କରେ କର୍ମଚାରୀମାନେ ଜାଣିବା ପରେ ଥିଏଟରର ପରିଚାଳକଙ୍କ ନିକଟରେ ESI ବାବଦକୁ କଟାଯାଉଥିବା ଅର୍ଥକୁ ଫେରସ୍ତ କରିବା ଲାଗି ଦାବି କରିଥିଲେ । ମାତ୍ର କୌଣସି ସୁଫଳ ନ ମିଳିବା ପରେ ସେମାନେ ଆଇନ ପନ୍ଥା ଆପଣାଇଥିଲେ । ଥିଏଟରର ପରିଚାଳକଙ୍କ ବିରୋଧରେ ଇଗମୋର କୋର୍ଟରେ ଏକ ଆବେଦନ ହୋଇଥିଲା । ଏହାପରେ ଜୟପ୍ରଦାଙ୍କ ସମେତ ୩ ଜଣ କର୍ମଚାରୀ ଏହି ମାମଲା ବିରୋଧରେ ମାଡ୍ରାସ ହାଇକୋର୍ଟରେ ତିନୋଟି ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହି ୩ଟି ଆବେଦନକୁ ଖାରଜ କରିଦେଇଥିଲେ ।

ଯେତେବେଳେ ଇଗମୋର କୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିଲା ସେତେବେଳେ କର୍ମଚାରୀଙ୍କ ଅର୍ଥ ଜମା କରିବା ଲାଗି ରାଜି ହୋଇଥିଲେ ଅଭିନେତ୍ରୀ ଜୟପ୍ରଦା । ମାତ୍ର ଏହାକୁ ESICର ଆଇନଜୀବୀ ଏନେଇ ଆପତ୍ତି କରିବା ପରେ କୋର୍ଟ ନିଜର ରାୟ ଶୁଣାଇଥିଲେ । କୋର୍ଟଙ୍କ ରାୟ ମୁତାବକ ଥିଏଟରର ପରିଚାଳକଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଜୟପ୍ରଦା ଦୋଷୀ ସାବ୍ୟସ୍ତ ହୋଇଥିବା ଯୋଗୁଁ ଏବେ ଭୋଗିବେ ୬ ମାସ ଜେଲ ଦଣ୍ଡ । ସୂଚନା ଥାଉ କି ଗତ ମାର୍ଚ୍ଚ ୩୦ ତାରିଖରେ ଜୟପ୍ରଦା ନିଜ ପରିବାର ସହିତ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଗସ୍ତ ସମୟରେ ଅଭିନେତ୍ରୀ ଶ୍ରୀମନ୍ଦିର ସହିତ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.