ETV Bharat / bharat

Rahul Gandhi China Remark: ଚୀନ ପ୍ରତି ରାହୁଲଙ୍କ ଏତେ ଶ୍ରଦ୍ଧାଭାବ କାହଁକି ? ପାଲଟା ପ୍ରଶ୍ନ କଲା ବିଜେପି

author img

By ETV Bharat Odisha Team

Published : Aug 25, 2023, 6:32 PM IST

ଭାରତର ଜାଗାକୁ ଚୀନ ଅକ୍ତିଆର କରିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ଦେଲା ବିଜେପି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତର ଜମିକୁ ଚୀନ ଅକ୍ତିଆର କରିଛି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି ଦଳ । ଏହାସହିତ କଂଗ୍ରେସ ଉପରେ ଦଳ ଆକ୍ରମଣ କରିଛି । ଏଭଳି ଭିତ୍ତିହୀନ ଓ ଅବୈଧ ଅଭିଯୋଗ ଆଣିବା ରାହୁଲଙ୍କ ଅଭ୍ୟାସରେ ପରିଣତ ହୋଇଥିବା କହିଛି ବିଜେପି ।

ରାହୁଲଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କହିଥିଲେ ଯେ ତାଙ୍କ ସରକାର ୧୯୫୨ ମସିହାରେ ଚୀନ ସେନାଙ୍କ ଲାଗି ୩୫୦୦ଟନ୍‌ ଚାଉଳ ପଠାଇଥିଲା । ଏହି ସମୟରେ ଚୀନ ସହିତ ଭାରତର ସମ୍ପର୍କ ଭଲ ନଥିବା ବେଳେ ଭାରତ ଚାଉଳ ରପ୍ତାନୀ କରିଥିଲା । ପ୍ରଧାନମନ୍ତ୍ରୀ ଆସିବା ପରେ ଚୀନ କୂଟନୈତିକ କ୍ଷେତ୍ରରେ ଦୁର୍ବଳ ହୋଇପଡ଼ିଛି । ହେଲେ ଚୀନ ପ୍ରତି ରାହୁଲ ଗାନ୍ଧୀଙ୍କ ଏତେ ଶ୍ରଦ୍ଧାଭାବ କାହଁକି ଆସୁଛି ? ଏହା କଣ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ମିଳିଥିବା ଡୋନେସନ ନା ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ହୋଇଥିବା ବୁଝାମଣାର ପରିଣାମ ?"

ଏହା ବି ପଢନ୍ତୁ- କାର୍ଗିଲରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ ଭାରତର ଜାଗା ଅକ୍ତିଆର କରିଛି ଚୀନ, ମିଛ କହୁଛନ୍ତି ପ୍ରଧାନମନ୍ତ୍ରୀ

ଏହାସହିତ ବିଜେପି ମୁଖପାତ୍ର ସୁଧାଂଶୁ ଚୀନର କମ୍ୟୁନିଷ୍ଟ ପାର୍ଟି ସହିତ କଂଗ୍ରେସର ହୋଇଥିବା ବୁଝାମଣା ପତ୍ରକୁ ସାର୍ବଜନୀନ କରିବା ଲାଗି ମଧ୍ୟ ପ୍ରେସ କନଫରେନ୍ସରେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସାମରିକ, କୂଟନୈତିକ ଓ ଆର୍ଥିକ କ୍ଷେତ୍ରରେ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି । ଚୀନର ଅନେକ ଷଡ଼ଯନ୍ତ୍ର ପରେ ମଧ୍ୟ ବିଶ୍ବ ସ୍ତରରେ ଭାରତର ଆଧିପତ୍ୟ ବୃଦ୍ଧି ପାଇଛି ।

ରାହୁଲ ଗାନ୍ଧୀଙ୍କ RSS ମନ୍ତବ୍ୟକୁ ନେଇ ସୁଧାଂଶୁ କହିଛନ୍ତି, "ପଣ୍ଡିତ ଜବାବହରଲାଲ ନେହେରୁ ଚାୀନ ଯୁଦ୍ଧ ସମୟରେ ଆରଏସଏସର ସହାୟତାକୁ ପ୍ରଶଂସା କରିଥିଲେ । ସଂଘକୁ ଜାନୁଆରୀ ୨୬ ତାରିଖ ପରେଡରେ ସାମିଲ କରିଥିଲେ । ମାତ୍ର କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳ ହିସାବରେ ନିଜ ଭୂମିକା ତୁଲାଇପାରୁନାହିଁ , ବରଂ ବିରୋଧୀ ଭାବେ ଦେଶକୁ ସବୁବେଳେ ଦୁର୍ବଳ କରିବା ଲାଗି ଉଦ୍ୟମ କରୁଛି । "

ସୂଚନା ଥାଉ କି ଶୁକ୍ରବାର ରାହୁଲ ଗାନ୍ଧୀ କାର୍ଗିଲରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ବିଜେପି ସରକାର ଉପରେ ବର୍ଷିଛନ୍ତି । ଏହି ସଭାରେ ସେ ଅଭିଯୋଗ କରିଛନ୍ତି ଯେ ଚୀନ ଭାରତର ଜମିକୁ ଅକ୍ତିଆର କରିଛି । ହେଲେ ଏପଟେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ଚୀନ ଭାରତର ଇଞ୍ଚେ ଜମିକୁ ମଧ୍ୟ ନେଇପାରିବ ନାହିଁ । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ରାହୁଲଙ୍କ ଏହି ଅଭିଯୋଗ ପରେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ପ୍ରେସମିଟ କରି ପାଲଟା ଜବାବ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.