ETV Bharat / bharat

ପାକିସ୍ତାନରେ ଗିରଫ ଦୁଇ ଭାରତୀୟ ଅଧିକାରୀ 12 ଘଣ୍ଟା ପରେ ଆହତ ଅବସ୍ଥାରେ ମୁକୁଳିଲେ

author img

By

Published : Jun 16, 2020, 4:43 PM IST

ଇସ୍‌ଲାମାବାଦରେ ଦୁଇ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କ ଗିରଫ ଘଟଣାରେ ପାକିସ୍ତାନ କୂଟନୀତିଜ୍ଞଙ୍କୁ ଭାରତର ତଲବ ।

ପାକିସ୍ତାନରେ ଗିରଫ ଦୁଇ ଭାରତୀୟ ଅଧିକାରୀ 12 ଘଣ୍ଟା ପରେ ଆହତ ଅବସ୍ଥାରେ ମୁକୁଳିଲେ
ପାକିସ୍ତାନରେ ଗିରଫ ଦୁଇ ଭାରତୀୟ ଅଧିକାରୀ 12 ଘଣ୍ଟା ପରେ ଆହତ ଅବସ୍ଥାରେ ମୁକୁଳିଲେ

ଶେଷରେ ପାକିସ୍ତାନ ଅଟକ ରଖିଥିବା ଦୁଇ ଭାରତୀୟ ଅଧିକାରୀଙ୍କୁ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରିଛି । ଗାଡ଼ି ଧକ୍କା ଦେଇ ପଳାଇ ଯାଉଥିବା ଅଭିଯୋଗରେ ସେମାନଙ୍କୁ ପ୍ରାୟ ବାର ଘଣ୍ଟା କାଳ ଅଟକ ରଖାଯାଇଥିଲା । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା ସିଆଇଏସ୍‌ଏଫ୍‌ର ଏହି ଦୁଇ ଜଣ ହେଲେ ଡି. ବ୍ରହ୍ମା ଏବଂ ପଲ୍‌ ସେଲଭାଦାସ । ଉଭୟ ଅଣ-କୂଟନୀତିଜ୍ଞ କର୍ମଚାରୀ ଭାରତୀୟ ଦୂତାବାସକୁ ଡେପୁଟେସନ୍‌ରେ ଯାଇଥିଲେ ଏବଂ କୂଟନୈତିକ ସଂପର୍କକୁ ନେଇ ଭିଏନା ସମ୍ମିଳନୀର ନିଷ୍କର୍ଷ ଆଧାରରେ ହାଇକମିସନରେ ନିଯୁକ୍ତ କର୍ମଚାରୀ ହିସାବରେ ସେମାନେ କୂଟନୈତିକ ସୁରକ୍ଷା ଲାଗି ହକଦାର । ସୋମବାର ସନ୍ଧ୍ୟାରେ ମୁକୁଳିବା ପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଏବଂ ସେମାନେ ସାମାନ୍ୟ ଆହତ ହୋଇଥିବା ରିପୋର୍ଟ ମିଳିଛି ।

ପୂର୍ବରୁ, ଗତ ସୋମବାର ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଜଣେ ଡ୍ରାଇଭରଙ୍କ ସମେତ ଦୁଇ ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର କର୍ମଚାରୀ ଇସଲାମାବାଦର ଭାରତୀୟ ମିଶନ କାର୍ଯ୍ୟାଳୟ ଛାଡିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ସେମାନଙ୍କର ଖୋଜଖବର ନ ମିଳିବାରୁ ଭାରତୀୟ ହାଇକମିସନଙ୍କ ପକ୍ଷରୁ ଏ ସଂପର୍କରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ସେମାନଙ୍କୁ ଅଟକ ରଖିଥିବା ସନ୍ଦେହ କରାଯାଉଥିଲା । ପରବର୍ତ୍ତୀ ସମୟରେ ପାକିସ୍ତାନ ପୋଲିସର ବୟାନ ଭିତ୍ତିରେ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରସାରିତ ହୋଇଥିଲା ଯେ, ଭାରତର ଦୁଇ ଜଣ କର୍ମଚାରୀ ରାସ୍ତାରେ ଗାଡି ଧକ୍କା କରି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ସେ ସମୟରେ ଭିଡ କରିଥିବା ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଉଭୟଙ୍କ ବିରୋଧରେ ଏକ ଏତଲା ମଧ୍ୟ ଦାୟର କରାଯାଇଛି ଏବଂ ଏଥିରେ ସେମାନେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିବା ଏବଂ ସେମାନଙ୍କ ପାଖରୁ ପ୍ରାୟ 10,000 ପାକିସ୍ତାନୀ ଟଙ୍କା ମୂଲ୍ୟର ନକଲି ଟଙ୍କା ଜବତ କରାଯାଇଥିବା ଅଭିଯୋଗ ହୋଇଛି । ଏହି ସବୁ ଅଭିଯୋଗ ‘କପୋଳକଳ୍ପିତ’ ବୋଲି ଭାରତୀୟ ସୂତ୍ର କହିଛନ୍ତି । କୂଟନୈତିକ ସୁରକ୍ଷା ପାଉଥିବାରୁ ଦୁଇ ଭାରତୀୟଙ୍କୁ ମୁକ୍ତ କରିଦିଆଯାଇଥିଲା ।

ପୂର୍ବରୁ ଇସ୍‌ଲାମାବାଦରେ ଭାରତର ଦୁଇ ଜଣ ଅଧିକାରୀ ଗିରଫ ହେବା ଘଟଣାରେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିସନଙ୍କ ଚାର୍ଜ ଡି ଆଫେୟାର୍‌ସ (ସିଡିଏ)ଙ୍କୁ ଭାରତ ତଲବ କରିଥିଲା । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀରେ ପାକିସ୍ତାନ ହାଇ କମିସନରଙ୍କ ଦାୟିତ୍ବରେ ଥିବା ସୟଦ ହାଇଦର ଶାହଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗତକାଲି ଅପରାହ୍‌ଣରେ ତଲବ କରାଯାଇଥିଲା ଏବଂ ମନ୍ତ୍ରାଳୟର ପିଏଆଇ (ପାକ୍‌-ଆଫଗାନ୍‌-ଇରାକ୍‌) ଡେସ୍କ୍‌ର ମୁଖ୍ୟ ଯୁଗ୍ମ ସଚିବଙ୍କ ଦ୍ବାରା ତାଙ୍କୁ ଔପଚାରିକ ପତ୍ର ବା ଡାମାର୍ସ ପ୍ରଦାନ କରାଯାଇଥିଲା । ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ, “ପାକିସ୍ତାନ ସିଡିଏଙ୍କୁ ପ୍ରଦତ୍ତ ଏହି ଔପଚାରିକ ପତ୍ରରେ ଭାରତୀୟ ଅଧିକାରୀମାନଙ୍କୁ ଜେରା କରିବା ଏବଂ ହଇରାଣ କରିବା ଉଚିତ ନୁହେଁ ବୋଲି ସ୍ପଷ୍ଟ କରିଦିଆଯାଇଥିଲା । ସଂପୃକ୍ତ ଦୁଇ କୂଟନୈତିକ କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତା ଦାୟିତ୍ବ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଥିଲା ।” ହେଲେ, ଗାଡ଼ି ଧକ୍କା ଦେଇ ପଳାଇ ଯିବାକୁ ଉଦ୍ୟମ କରିବା ଅଭିଯୋଗ ଭିତ୍ତିରେ ସେମାନଙ୍କୁ ଗିରଫ କରାଯାଇଥିବା ଖବର ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତକୁ ଜଣାଇ ଦିଆଯାଇନାହିଁ ବୋଲି ଭାରତୀୟ ଅଧିକାରୀମାନେ କହିଥିଲେ । ଜଣେ ଭାରତୀୟ ଅଧିକାରୀ କହିଥିଲେ ଯେ, “ତୁରନ୍ତ ଉଭୟ କର୍ମଚାରୀ ଏବଂ ସରକାରୀ କାର୍‌କୁ ହାଇ କମିସନଙ୍କୁ ଫେରାଇ ଦେବା ପାଇଁ ପାକିସ୍ତାନକୁ କୁହାଯାଇଛି ।”

ପରେ ସୋମବାର ଦିନ, ଏହି ଘଟଣାର ପ୍ରାୟ ବାର ଘଣ୍ଟା ପରେ, ଇସଲାମାବାଦର ପୋଲିସ ସେକ୍ରେଟାରିଏଟ୍‌ ପକ୍ଷରୁ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପାଖରେ ଏକ ବାସ୍ତବ ସ୍ଥିତି ଅନୁଧ୍ୟାନ ସଂପର୍କିତ ଏକ ରିପୋର୍ଟ (ଚିଠି ନଂ. 1808-5A-Sectt) ଦାଖଲ କରିବା ପରେ ଉଭୟ ଭାରତୀୟଙ୍କୁ ଛାଡ଼ି ଦିଆଯାଇଥିଲା । ପାକିସ୍ତାନର ପ୍ରୋଟୋକୋଲ ମହା ନିର୍ଦ୍ଦେଶକ ହସନ ଅର୍ସାଲ ଖାନ୍‌ଙ୍କ ଦ୍ବାରା ସ୍ବାକ୍ଷରିତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ହାଇ କମିସନଙ୍କ ଦୁଇ ଅଧିକାରୀ ‘ଏକ ରାସ୍ତା ଦୁର୍ଘଟଣାରେ ସଂପୃକ୍ତ’ । ସେମାନେ ଚଳାଉଥିବା ହାଇକମିସନଙ୍କ କାର୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କଥା ରିପୋର୍ଟରେ ଦର୍ଶାଯାଇଛି ।

ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ଏବଂ ଭାରତୀୟ ସୁରକ୍ଷା ସଂସ୍ଥା ସଂପର୍କିତ ଗୋପନ ଦସ୍ତାବିଜ ପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସର ଦୁଇ ଜଣ ଅଧିକାରୀ ଓ ଜଣେ ଡ୍ରାଇଭରଙ୍କୁ ପ୍ରଥମେ ଅଟକ ରଖିବା ଏବଂ ପରେ ଦେଶରୁ ବହିଷ୍କାର କରାଯିବା ଘଟଣାର କିଛି ଦିନ ପରେ ଏହି ଘଟଣା ଘଟିଛି । ଭାରତର ଅଭିଯୋଗକୁ ଇସ୍‌ଲାମାବାଦ ପକ୍ଷରୁ ଖଣ୍ଡନ କରାଯାଇଥିଲା ଏବଂ ଏହାର ଜବାବରେ ପାକିସ୍ତାନ ମଧ୍ୟ ଅନୁରୂପ କିଛି କରିବ ବୋଲି ଅନୁମାନ କରାଯାଉଥିଲା । ସେବେଠାରୁ ଉଭୟ ପକ୍ଷ ପରସ୍ପରର ଗୁଇନ୍ଦା ସଂସ୍ଥା ଓ ସୁରକ୍ଷା କର୍ମଚାରୀଙ୍କ ବିରୋଧରେ, ଉଭୟ ଦେଶର କାର୍ଯ୍ୟକାରୀ ହାଇକମିସନଙ୍କ କର୍ମଚାରୀମାନଙ୍କ ସମେତ କୂଟନୈତିକ କର୍ମଚାରୀମାନଙ୍କୁ ହଇରାଣ କରିବା, ପିଛା କରିବା ଏବଂ ଭୟଭୀତ କରାଇବା ଭଳି ଦୋଷାରୋପ କରିଆସୁଛନ୍ତି ଏବଂ ନିଜ ନିଜର ଅଭିଯୋଗକୁ ପ୍ରମାଣିତ କରିବା ଲାଗି ଭିଡିଓ ଜାରି କରିଆସୁଛନ୍ତି ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.