ETV Bharat / bharat

‘ପିଓକେ ଆମର’: ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ

author img

By ETV Bharat Odisha Team

Published : Dec 6, 2023, 10:29 PM IST

‘ପିଓକେ ଆମର’: ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ
‘ପିଓକେ ଆମର’: ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ

‘ପିଓକେ ହମାରା ହୈ’ କହି ଗୃହରେ ଗର୍ଜିଲେ ଶାହ । ପୁନର୍ଗଠନ (ସଂଶୋଧନ) ଅଧିନିୟମରେ ପାକ ଅଧିକୃତ କାଶ୍ମୀର ପାଇଁ 24 ଆସନ ସଂରକ୍ଷିତ । ପଣ୍ଡିତ ନେହେରୁଙ୍କ ନିଷ୍ପତ୍ତିକୁ କଲେ ସମାଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଲୋକସଭାରେ ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ 2023 ଓ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ 2023 ପାରିତ ହୋଇଛି । ପୁନର୍ଗଠନ (ସଂଶୋଧନ) ବିଲ୍‌ରେ ବିଧାନସଭା ଓ ସଂସଦୀୟ କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରିତ ହେବା ସହ ଆସନ ସଂଖ୍ୟା ମଧ୍ୟ ବଢିଛି । ଏବେ ଜମ୍ମୁ କାଶ୍ମୀରକୁ ରାଜ୍ୟପାହ୍ୟା ଫେରିବା ଓ ବିଧାନସଭା ନିର୍ବାଚନ ହେବା ନେଇ ବାଟ ଫିଟଛି । ଏହା ସହ ଏହି ବିଲରେ ପାକ ଅଧିକୃତ କାଶ୍ମୀର (ପିଓକେ) ପାଇଁ 24 ଆସନ ସଂରକ୍ଷିତ ରଖାଯାଇଛି । ଯାହା ଭାରତ ସରକାର ପିଓକେ ପ୍ରସଙ୍ଗରେ ଆଗକୁ ବଡ ଯୋଜନା ରଖିଥିବାର ସ୍ପଷ୍ଟ ସଙ୍କେତ ଦେଇଛି ।

ପୂର୍ବରୁ ଜମ୍ମୁରେ ମୋଟ 37 ଆସନ ଥିବା ବେଳେ ଏହି ସଂଖ୍ୟାକୁ 43କୁ ବୃଦ୍ଧି କରାଯାଇଛି । କାଶ୍ମୀରରେ 46 ଆସନ ଥିବା ବେଳେ ଏହାକୁ ମଧ୍ୟ 47 କୁ ବୃଦ୍ଧି କରାଯାଇଛି । ସେହିପରି ଜମ୍ମୁ କାଶ୍ମୀର ବିଧାନସଭାରେ 5 ଜଣ ମନୋନିତ ସଦସ୍ୟଙ୍କ ପାଇଁ ମଧ୍ୟ ଆସନ ସଂରକ୍ଷିତ ରହିଛି । ଯାହା ପୂର୍ବରୁ 2ଟି ଥିଲା । ଏହା ସହ ପାକିସ୍ତାନ ଅଧିକୃତ କାଶ୍ମୀରକୁ ମଧ୍ୟ କାଶ୍ମୀରର ଅବିଚ୍ଛେଦ୍ୟ ଅଂଶ ଭାବେ ବିବେଚନା କରାଯାଇ 24 ବିଧାନସଭା ଆସନ ସଂରକ୍ଷିତ ରଖାଯାଇଛି ।

ପୂର୍ବରୁ ବିଧାନସଭାକୁ 2 ଜଣ ମହିଳାଙ୍କୁ ରାଜ୍ୟପାଳ ମନୋନିତ କରୁଥିଲେ । ମାତ୍ର ସଂଶୋଧିତ ପୁନର୍ଗଠନ ଅଧିନିୟମ ଏହି ସଂଖ୍ୟା 5କୁ ବୃଦ୍ଧି କରାଯାଇଛି । ଏବେ ଅତିରିକ୍ତ 3 ଆସନରେ ଜଣେ ମହିଳାଙ୍କ ସମେତ ଦୁଇ କାଶ୍ମୀର ପଣ୍ଡିତ ସମ୍ପ୍ରଦାୟର ପ୍ରତିନିଧି ଓ ଜଣେ ପାକ ଅଧିକୃତ କାଶ୍ମୀର (ପିଓକେ)ରୁ ମନୋନିତ ହେବେ । ଶାହ କହିଥିଲେ କାଶ୍ମୀରରୁ ପ୍ରାୟ 46,631 ପରିବାରର 1,57,967 ଲୋକ ପ୍ରତାଡିତ ହୋଇଛନ୍ତି । ଏହି ବିଲ କାର୍ଯ୍ୟକାରୀ ହେବା ପରେ ସେମାନେ ପ୍ରତିନିଧିତ୍ବର ଅଧିକାର ପାଇବେ ।

ଏହା ମଧ୍ୟ ପଢନ୍ତୁ :- ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

ଆଜି ଲୋକସଭାରେ ଏହି ବିଲ ସମ୍ପର୍କିତ ଚର୍ଚ୍ଚାରେ ଅଂଶଗ୍ରହଣ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିସ୍ତୃତ ସୂଚନା ଦେଇଛନ୍ତି । ‘ପାକ ଅଧିକୃତ କାଶ୍ମୀର ଆମର’ କହିବା କଂଗ୍ରେସ ସରକାରର କାଶ୍ମୀର ନୀତି ଓ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ନିଷ୍ପତ୍ତିକୁ ଏକ ଐତିହାସିକ ଭୁଲ ବୋଲି କହିବାକୁ ପଛାଇ ନାହାନ୍ତି ଶାହ । ନେହେରୁଙ୍କ ଭୁଲ ନୁିଷ୍ପତ୍ତି କାରଣକୁ ପିଓକେ ଏବେ ପାକିସ୍ତାନ ଦଖଲରେ ରହିଛି, ନଚେତ ଏହା ଏବେ ଭାରତର ଅଂଶ ଭାବେ ଥାଆନ୍ତା ବୋଲି ଶାହ କହିଛନ୍ତି । ବିରୋଧୀମାନେ ଶାହଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିବା ସହ କକ୍ଷତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.