ETV Bharat / bharat

ମନୀଷ ସିସୋଦିଆ ଗିରଫ, ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ଆପ୍

author img

By

Published : Feb 27, 2023, 10:04 AM IST

AAP protest aganist manish sisodias arrest
ମନୀଷ ସିସୋଦିଆ ଗିରଫ ବିରୋଧରେ ଆନ୍ଦୋଳନ କରିବ ଆପ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ଏହା ବିରୋଧରେ ଆଜି ଦେଶବ୍ୟାପୀ ଅନ୍ଦୋଳନ କରିବ ଆମ ଆଦମୀ ପାର୍ଟି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଗତକାଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ଏହାକୁ ନିନ୍ଦା କରିବା ସହ ବିଜେପି ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର 8 ଘଣ୍ଟା ପଚରାଉଚରା କରିବା ପରେ ତଦନ୍ତରେ ସହଯୋଗ ନ କରିବା ନେଇ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ଆମ ଆଦମୀ ପାର୍ଟି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ ଆପ । ଆପ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଏନେଇ ସୂଚନା ଦେଇଛନ୍ତି ।

ଟ୍ବିଟରରେ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ କହିଛନ୍ତି, ମହାନ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଯିଏକି ଦେଶର ଲକ୍ଷ ଲକ୍ଷ ଭବିଷ୍ୟତ ଗଠନ କରନ୍ତି ଗୋଟିଏ ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ହେବ । ଦୀନ ଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ଭାରତୀୟ ଜନତା ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବ ଆପ । ଏହା ସହ ଗୁଜୁରାଟ ଗାନ୍ଧୀନଗର, ହରିୟାଣା ରୋହଟାକ ଓ ନୋଏଡାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ ।'' ଏହାଛଡା ଆମ ଆଦମୀ ପାର୍ଟି ସାଧାରଣ ସମ୍ପାଦକ ଦେଶବ୍ୟାପୀ ସମସ୍ତ ଆପ କର୍ମକର୍ତ୍ତା ମନୀଷ ସିସୋଦିଆଙ୍କ ଗିରଫଦାରୀଙ୍କୁ ବିରୋଧ କରି ନିଜ ନିଜ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ...Sisodia Arrest: ଏକଛତ୍ରବାଦ, ଗଣତନ୍ତ୍ର ପାଇଁ କଳାଦିନ କହିଲା AAP

ସିବିଆଇ ସିସୋଦିଆଙ୍କୁ ଗିରଫ କରିବା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ସିସୋଦିଆଙ୍କ ଗିରଫଦାରୀକୁ ନେଇ ବିଜେପିକୁ ସିଧାସଳଖ ଟାର୍ଗେଟ କରିଥିଲା ଆପ । ରାଜନୈତିକ ଅସହିଷ୍ଣୁତା ଓ ଏକଛତ୍ରବାଦ ବୋଲି କହିବା ସହ ଏହା ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିଥିଲା AAP । ଗତକାଲି ସିସୋଦିଆ ସିବିଆଇରେ ହାଜର ହେବାକୁ ବିରୋଧ କରି ଧାରଣାରେ ବସିଥିବା 50 କର୍ମକର୍ତ୍ତାଙ୍କୁ ପୋଲିସ ସିବିଆଇ ମୁଖ୍ୟାଳୟ ଆଗରୁ ଉଠାଇ ନେଇଥିଲା ।

ଏହା ବି ପଢନ୍ତୁ....Delhi liquor Policy Case: 8 ଘଣ୍ଚା ଜେରା ପରେ ମନୀଷ ସିସୋଦିଆ ଗିରଫ

ପ୍ରକାଶ ଥାଉକି, ଗତକାଲି (ରବିବାର) ଦିଲ୍ଲୀ ଲୋଧି ରୋଡସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ ମନୀଷ ସିସୋଦିଆ । ବିଜୟ ସଙ୍କେତ ଦେଇ ହସ ହସ ମୁହଁରେ ମାଆଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଥିଲେ । ପରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ସମର୍ଥକଙ୍କ ସହ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ । 8 ଘଣ୍ଟା ମାରାଥନ ଜେରା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପଚରାଉଚରା ସମୟରେ ସିସୋଦିଆ ସହଯୋଗ ନ କରିବା ସହ କୌଣସି ସନ୍ତୋଷମୂଳକ ଉତ୍ତର ନ ପାଇବା ନେଇ ସିବିଆଇ ତାଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.