ETV Bharat / bharat

Manipur Violence: ‘ସଠିକ ପ୍ରକ୍ରିୟାରେ ଯାଞ୍ଚ ପରେ ହିଂସା ବିସ୍ଥାପିତଙ୍କୁ ତୁରନ୍ତ ଦିଅ ଆଧାର କାର୍ଡ’

author img

By ETV Bharat Odisha Team

Published : Sep 25, 2023, 9:09 PM IST

Manipur violence: ‘ହିଂସା ବିସ୍ଥାପିତଙ୍କୁ ତୁରନ୍ତ ଦିଅ ଆଧାର କାର୍ଡ’
Manipur violence: ‘ହିଂସା ବିସ୍ଥାପିତଙ୍କୁ ତୁରନ୍ତ ଦିଅ ଆଧାର କାର୍ଡ’

ମଣିପୁର ହିଂସା ବିସ୍ଥାପିତଙ୍କୁ ଯାଞ୍ଚ କରି ତୁରନ୍ତ ଆଧାର କାର୍ଡ ଦେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ । ବିନା ତଦାରଖରେ କୌଣସି ସମୂହ ନିର୍ଦ୍ଦେଶ ଜାରି କରିବାକୁ ବାରଣ କଲେ ଖଣ୍ଡପୀଠ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ମଣିପୁରରେ ହଜାର ହଜାର ଲୋକେ ବିସ୍ଥାପିତ ହୋଇ ସରକାରୀ ରିଲିଫ୍‌ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଏବେ ସମାନଙ୍କ ନିକଟରେ କୌଣସି ବୈଧ ସରକାରୀ ପ୍ରମାଣପତ୍ର ନାହିଁ । ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ଯାଞ୍ଚ କରି ଅବିଳମ୍ବେ ଆଧାର କାର୍ଡ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି (ସୋମବାର) ଏହି ମାମଲାର ସିରିଜ୍‌ ଶୁଣାଣି ବେଳେ କୋର୍ଟ କହିଛନ୍ତି, ଆଧାର କାର୍ଡ ପ୍ରସ୍ତୁତ କରିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଚୟ ଓ ଆବାସିକ ଠିକଣା ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ସରକାର ସେଥିପ୍ରତି ଧ୍ୟାନ ଦେବାର ମଧ୍ୟ ଜରୁରୀ । ହଜି ଯାଇଥିବା ଆଧାର କାର୍ଡ ଅନୁସାରେ, ଏହି ନୂତନ କାର୍ଡ ପ୍ରସ୍ତୁତ କରାଯିବ ଓ ସମସ୍ତ ତଥ୍ୟ ପୂର୍ବ UIADI ତଥ୍ୟ ସହ ମେଳ ଖାଇବା ମଧ୍ୟ ଜରୁରୀ । ସରକାରୀ ପ୍ରମାଣପତ୍ର ଯୋଗାଇବା ପାଇଁ ବିନା ଯାଞ୍ଚରେ କୌଣସି ସମୂହ ଆଦେଶ ଜାରି କରାଯାଇପାରିବ ନାହିଁ ।

ଆଜି ଏହି ସମ୍ପର୍କିତ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିଥିଲେ । କୋର୍ଟ ଏହା ମଧ୍ୟ କହିଥିଲେ, ହିଂସାରେ ବହୁ ଲୋକେ ପ୍ରଭାବିତ ହୋଇଛନ୍ତି । ପଡୋଶୀ ମିଆଁମାର ଓ ବାଂଲାଦେଶର ଅନୁପ୍ରବେଶକାରୀ ମଧ୍ୟ ମଣିପୁରରେ ଅନୁପ୍ରବେଶ କରିଥିବା ଆଶଙ୍କା ରହିଛି । ତେଣୁ ବିନା ତଦାରଖରେ ପ୍ରମାଣପତ୍ର ଯୋଗାଇବା ପାଇଁ କୌଣସି ସମୂହ ନିର୍ଦ୍ଦେଶ ଜାରି କରାଗଲେ ଏହା ଆହୁରି ବଡ ସଙ୍କଟ ସୃଷ୍ଟି କରିବ । ତେଣୁ ପ୍ରତ୍ୟେକ ବିସ୍ଥାପିତଙ୍କୁ ତଦାରଖ ପରେ ହିଁ ପୂର୍ବ ରେକର୍ଡ ଅନୁସାରେ ଆଧାର କାର୍ଡ ପ୍ରସ୍ତୁତ କରି ଯୋଗାଇ ଦେବା ପାଇଁ ସରକାର ପ୍ରକ୍ରିୟା ନିଶ୍ଚିତ କରିବେ ।

ତେବେ ଆଜି ଶୁଣାଣିରେ ସରକାରୀ ପକ୍ଷରୁ କୋର୍ଟକୁ ଏହା ଅବଗତ କରାଯାଇଥିଲା ଯେ, ମାମଲାର ତଦନ୍ତ ପାଇଁ କୋର୍ଟ ଗଠନ କରିଥିବା କମିଟିର ସମସ୍ତ ନିର୍ଦ୍ଦେଶାବଳୀ ଅନୁପାଳନ କରାଯାଉଛି । ହିଂସା ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏକାଧିକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି । ଏବେ ରାଜ୍ୟରେ ସ୍ଥିତି ସୁଧୁରିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ:- କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା ! 2 ଗିରଫ

ମେ’ 3 ତାରିଖରେ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଜାତିଗତ ହିଂସାରେ ଏବେ ସୁଧାର ଆସିଛି । ତଥାପି ମଝି ମଝିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାର ଖବର ଆସିବାରେ ଲାଗିଛି । ରାଜ୍ୟରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କେନ୍ଦ୍ରୀୟ ଫୋର୍ସ ସହ ରାଜ୍ୟ ପୋଲିସ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛି । ରାଜ୍ୟରେ ସରକାରୀ ରିପୋର୍ଟ ଅନୁସାରେ ପ୍ରାୟ 160 ଲୋକଙ୍କ ପ୍ରାଣହାନୀ ହୋଇଛି । ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ଅଧିକ ହେବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.