ETV Bharat / bharat

ଦୀର୍ଘ 12 ବର୍ଷ ପରେ ଚପଲ ପିନ୍ଧିଲେ ତେଲେଙ୍ଗାନାର ଚାଷୀ, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Oct 2, 2023, 10:55 PM IST

Nizamabad farmer
Nizamabad farmer

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନା ଗସ୍ତ ସମୟରେ ଏକ ଘୋଷଣା କରିଥିଲେ । ଏହାପରେ ଦୀର୍ଘ 12 ବର୍ଷ ପରେ ଜୋତା ପିନ୍ଧିଲେ ତେଲୁଗୁ ଚାଷୀ । କାରଣ ଜାଣିବା ପାଇଁ ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦୀର୍ଘ 12 ବର୍ଷ ପରେ ତେଲେଙ୍ଗାନାର ଜଣେ ଚାଷୀ ନିଜ ଜୋତା ପିନ୍ଧିଛନ୍ତି । ତାଙ୍କ ଦାବି ପୂରଣ ହେବା ପରେ ସେ ଜୋତା ପିନ୍ଧିଥିବା ଜଣାପଡ଼ିଛି । ତେଲେଙ୍ଗାନାର ହଳଦୀ ଚାଷୀମାନଙ୍କର ହିତ ପାଇଁ 'ଜାତୀୟ ହଳଦୀ ବୋର୍ଡ' ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରବିବାର ତେଲେଙ୍ଗାନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବୋର୍ଡ ଗଠନ ନେଇ ଘୋଷଣା କରିଥିଲେ ।

ଏହି ଚାଷୀଙ୍କ ନାମ ହେଉଛି ମୁତ୍ୟାଲା ମନୋହର ରେଡ୍ଡି । ସେ ନିଜାମାବାଦ ଜିଲ୍ଲା ମୋରତାଡ ନିକଟ ପାଲେମ ଗାଁର ଅଧିବାସୀ । ହଳଦୀ ଫସଲର ଉପଯୁକ୍ତ ଦର ଏବଂ ସହାୟତା ମୂଲ୍ୟ ପାଇବା ପାଇଁ ରାଜ୍ୟରେ ଏକ ବୋର୍ଡ ଗଠନ ଲାଗି ଚାଷୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ । ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମନୋହର ଚପଲ ପିନ୍ଧିବେ ନାହିଁ ବୋଲି ପଣ କରିଥିଲେ । 2011 ନଭେମ୍ବର 4 ତାରିଖରୁ ଦୀର୍ଘ 12 ବର୍ଷ ଧରି ସେ ଖାଲି ପାଦରେ ଚାଲୁଥିଲେ ।

ଏହା ବି ପଢନ୍ତୁ- Telangana: ନିର୍ବାଚନ ପୂର୍ବରୁ 13,500 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, କହିଲେ ରାଜ୍ୟ ଚାହୁଁଛି ପରିବର୍ତ୍ତନ

ବୋର୍ଡ ଗଠନ ଲାଗି ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଏକ ପିଟିସନ ମଧ୍ୟ ଦେଇଥିଲେ ଚାଷୀ । 2013 ମସିହାରେ ଚାଷୀମାନେ ଖାଲିପାଦରେ ଆର୍ମରରୁ ତିରୁପତି ପର୍ଯ୍ୟନ୍ତ ପଦଯାତ୍ରା କରି ସ୍ବାମୀ ଭେଙ୍କଟେଶ୍ବରଙ୍କ ନିକଟରେ ଏନେଇ ପ୍ରାର୍ଥନା କରିଥିଲେ । ଗତକାଲି ରାଜ୍ୟ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ହଳଦୀ ବୋର୍ଡ ଗଠନ ନେଇ ଘୋଷଣା କରିଥିଲେ । ଏହାପରେ ସନ୍ଧ୍ୟାରେ ନିଜାମବାଦ କୃଷି ମାର୍କେଟ ଅଫିସ ନିକଟରେ ମନୋହର ନିଜ ଜୋତା ପିନ୍ଧିଥିଲେ । ଏହି ନିଷ୍ପତ୍ତି ଲାଗି ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ତେଲେଙ୍ଗାନାର ହଳଦୀ ଚାଷୀମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଏହି ଜାତୀୟ ହଳଦୀ ବୋର୍ଡ ଗଠନ କରିଛନ୍ତି । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ବ ଦେବ ଏବଂ କୃଷକମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ତେଲଙ୍ଗାନା ସମେତ ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲାଗି ତେଲେଙ୍ଗାନାକୁ 13,500 କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.