ETV Bharat / bharat

Telangana: ନିର୍ବାଚନ ପୂର୍ବରୁ 13,500 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, କହିଲେ ରାଜ୍ୟ ଚାହୁଁଛି ପରିବର୍ତ୍ତନ

author img

By ETV Bharat Odisha Team

Published : Oct 1, 2023, 5:42 PM IST

ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ 13,500 କୋଟି ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି । କେସିଆର ସରକାର ଉପରେ ବର୍ଷିଲେ । କହିଲେ ପରିବର୍ତ୍ତନ ଚାହୁଁଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ

Telangana: 13,500 କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, କହିଲେ ତେଲେଙ୍ଗାନା ପରିବର୍ତ୍ତନ ଚାହୁଁଛି
Telangana: 13,500 କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, କହିଲେ ତେଲେଙ୍ଗାନା ପରିବର୍ତ୍ତନ ଚାହୁଁଛି

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ ଆଜି ପ୍ରଧାନମନ୍ତ୍ରୀ 13,500 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଉଚ୍ଚଶିକ୍ଷା ଭଳି ଭିତ୍ତିଭୂମି ପ୍ରକଳ୍ପ ରହିଛି । ଏହି ଅବସରରେ ସେ ଶାସନରେ ଥିବା କେସିଆରଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି ସରକାର ଉପରେ ମଧ୍ୟ ବର୍ଷିଛନ୍ତି ।

ଆଜି ତେଲେଙ୍ଗାନାର ମହାଭୁବନଗରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି କେବଳ ବିଜେପି ହିଁ ତେଲେଙ୍ଗାନାବାସୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ । ତେଲେଙ୍ଗାନା ଏବେ ପରିବର୍ତ୍ତନ ଚାହୁଁଛି । କାରଣ ଏଠାରେ ଏକ ଦୁର୍ନୀତିଗ୍ରସ୍ତ ସରକାର ଚାଲୁଛି । ଯାହା ଲୋକେ ଗ୍ରହଣ କରିବାକୁ ଚାହୁଁନାହାନ୍ତି, ବରଂ ଏକ ସ୍ୱଚ୍ଛ ସରକାର ଚାହୁଁଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରିଷ୍ଣା ଷ୍ଟେସନରୁ ଏକ ନୂତନ ଟ୍ରେନ ସେବାକୁ ଶୁଭାରମ୍ଭ କରିଥିଲେ । ହାଇଦ୍ରାବାଦ (କାଚିଗୁଡା)- ରାଇଚୁର (କର୍ଣ୍ଣାଟକ)- ହାଇଦ୍ରାବାଦ (କାଚିଗୁଡା) ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ । ଏହି ଟ୍ରେନ୍ ସେବା ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମହାଭୁବନଗର, ନାରାୟଣପେଟ ଜିଲ୍ଲାକୁ କର୍ଣ୍ଣାଟକର ରାଇଚୁର ଜିଲ୍ଲା ସହିତ ସଂଯୋଗ କରିବାକୁ ଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଏକ ସଡକ ପ୍ରକଳ୍ପ ମଧ୍ୟ ଲୋକାର୍ପିତ କରିଛନ୍ତି । ଜାତୀୟ ରାଜପଥ NH-365-BB ର ସୂର୍ଯ୍ୟପେଟ-କାମାମ ସେକ୍ସନର 59 କିଲୋମିଟର ଲମ୍ବା ଚାରିଲେନକୁ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ପ୍ରାୟ 2,460 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟନମ୍ ଅର୍ଥନୈତିକ କରିଡରର ଏକ ଅଂଶ ହେବାକୁ ଯାଉଛି । ଏହାକୁ ‘ଭାରତମାଳା ପରିଯୋଜନା’ ପ୍ରକଳ୍ପ ଅଧୀନରେ ବିକଶିତ କରାଯାଇଛି । ଏହା ମଧ୍ୟ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳକୁ ତେଲେଙ୍ଗାନାର ଖମ୍ମମ ଜିଲ୍ଲା ସହ ଉତ୍ତମ ସଂଯୋଗ ଯୋଗାଇବ । ସେହିପରି 37 କିଲୋମିଟର ବିଶିଷ୍ଟ ଜାକଲେର- କ୍ରୀଷ୍ଣା ନୂତନ ରେଳ ଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି । ପ୍ରାୟ 500 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ଏହି ନୂତନ ରେଳ ଲାଇନ ଏକାଧିକ ପଛୁଆ ଜିଲ୍ଲାକୁ ରେଳ ସେବା ଯୋଗାଇବ ।

ଏହା ମଧ୍ୟ ପଢନ୍ତୁ:-‘RSS ଦେଶରେ ହିଂସା ଓ ଘୃଣା ବିସ୍ତାର କରିବାର ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛି, ତାହା ହିଁ ସେମାନଙ୍କ ବିଚାରଧାରା’

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ନବରାତ୍ରୀ ଆରମ୍ଭ ହେବାକୁ ଯାଉଥିବା ବେଳେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ଆମେ ସଫଳ ହୋଇଛୁ । ଏହା ଆମର ଶକ୍ତିକୁ ପୂଜା କରିବାର ଏକ ନିଦର୍ଶନ । ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢୀକରଣ ପାଇଁ 13,500 କୋଟିର ପ୍ରକଳ୍ପ ପାଇଁ ମୁଁ ତେଲେଙ୍ଗାନାବାସୀଙ୍କୁ ଅଭିନନ୍ଦନ ଜଣାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.