ETV Bharat / bharat

ରାଜସ୍ଥାନରେ ଦୁଇ କାର ମୁହାଁମୁହିଁ ଧକ୍କା: 6 ମୃତ, 5 ଆହତ

author img

By ETV Bharat Odisha Team

Published : Jan 14, 2024, 9:55 PM IST

road accident in Rajasthan: ରାଜସ୍ଥାନରେ ଦୁଇ କାର ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣଙ୍କ ମୃତ୍ୟୁ । 5 ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ରାଜସ୍ଥାନରେ ଦୁଇ କାର ମୁହାଁମୁହିଁ ଧକ୍କା: 6 ମୃତ, 5 ଆହତ
ରାଜସ୍ଥାନରେ ଦୁଇ କାର ମୁହାଁମୁହିଁ ଧକ୍କା: 6 ମୃତ, 5 ଆହତ

ଜୟପୁର: ରାଜସ୍ଥାନ ଶିକାର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ 5 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶିକାର ଜିଲ୍ଲାର ଲକ୍ଷ୍ମଣଗଡ ତହସିଲ ଅଞ୍ଚଳରେ ଆଜି (ରବିବାର) ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଜଣାପଡିନି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ଉଭୟ ଦୁର୍ଘଟଣାଗ୍ରସ୍ତ କାରକୁ ମଧ୍ୟ ଜବତ କରିଛି ।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ, 52 ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମଣଗଡ ଟାଉନର ହୋଟେଲ ମଣିମହଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଗୋଟିଏ କାର ପ୍ରଥମ ଭାରସାମ୍ୟ ହରାଇ ଅନ୍ୟ ଏକ କାର ସମ୍ମୁଖକୁ ଆସିଯିବାରୁ ଦୃତ ଗତିରେ ଥିବା ଉଭୟ କାର ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ଉଭୟ କାରର ଚୁରମାର ହୋଇଯାଇଥିଲେ । ଦୁର୍ଘଟଣା ଏତେ ସାଙ୍ଘାତିକ ଥିଲା ଯେ, ଦୁର୍ଘଟଣାଗ୍ରସ୍ତ କାରରୁ ଲୋକଙ୍କୁ ଉଦ୍ଧାର କରିବା ମଧ୍ୟ ବେଶ ଆହ୍ବାନପୂର୍ଣ୍ଣ ହୋଇଥିଲା ।

ଉଭୟ କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ 5 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ରହିଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ରହିଛି । ଖବର ପାଇଁ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଉକ୍ତ ରାସ୍ତାରେ ଦୁର୍ଘଟଣା ପରେ ସାମହିକ ସମୟ ପାଇଁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା । ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ପ୍ରଶାସନିକ ଅଧିକାରୀ ମଧ୍ୟ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ କମୁଛି ରାତି ତାପମାତ୍ରା, କଲବଲ କରୁଛି ଶୀତ

ଏପର୍ଯ୍ୟନ୍ତ ସମସ୍ତ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନି । ଦୁର୍ଘଟଣାଗ୍ରସ୍ତ କାରରୁ ପରିଚୟ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସେହି ଆଧାରରେ ମୃତକଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାର ସଦସ୍ୟଙ୍କୁ ଯୋଗାଯୋଗ କରାଯାଉଛି । ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ପୋଲିସ ସଂଗ୍ରହ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.