ETV Bharat / bharat

Tomato Price Hike: ଚାଷୀଙ୍କ ଘରେ ବୁଲିଲା କଳା କନା, ରାତିରାତି ଘର ବାହାରୁ ଗାଏବ 4 କ୍ୱିଣ୍ଟାଲ ଟମାଟୋ

author img

By

Published : Jul 21, 2023, 4:17 PM IST

Etv Bharat
Etv Bharat

ମହାରାଷ୍ଟ୍ର ଟମାଟୋ ଚାଷୀଙ୍କ ଘରେ କଳା କନା ବୁଲାଇଲେ ଚୋର । ରାତାରାତି ଚୋରି କରି ନେଲେ ୪୦୦କେଜି ଟମାଟୋ । ଅଧିକ ପଢନ୍ତୁ

ମୁମ୍ବାଇ: ଟମାଟୋ ଦର ଆକାଶଛୁଆଁ ହେବା ପରେ ସାମ୍ନାକୁ ଆସୁଛି ଅସାଧାରଣ ଘଟଣା । କେତେବେଳେ ଚାଷୀ ଟମାଟୋ ବିକ୍ରି କରି କୋଟିପତି ହେଉଛି ତ ଆଉ କେଉଁଠି ଉପହାରରେ ମିଳୁଛି ଟମାଟୋ । ଏହି କ୍ରମରେ ଟମାଟୋ ଚାଷୀଙ୍କ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ମହାରାଷ୍ଟ୍ର ପୁଣେରୁ ଜଣେ ଚାଷୀଙ୍କ ଘରୁ ୪୦୦କେଜି ଟମାଟୋ ଚୋରି ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ପୁଣେ ପୋଲିସକୁ ୪୦୦ କେଜି ଟମାଟୋ ଚୋରି ହୋଇଥିବା ନେଇ ଏକ ଅଭିଯୋଗ ଆସିଥିଲା । ଶ୍ରୀରୁର ତହସିଲ ଅଧୀନ ପିମ୍ପରଖେଡ଼ ଅଧିବାସୀ ଚାଷୀ ଅରୁଣ ଧୋମେ ଏହି ଅଭିଯୋଗ କରିଛନ୍ତି । ସେ ଅମଳ କରିଥିବା ପ୍ରାୟ ୪୦୦କେଜି ଟମାଟୋକୁ ଘର ବାହାରେ ରଖିଥିଲେ । ହେଲେ ତାହା ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଚାଷୀ ଜଣକ କହିଛନ୍ତି ଯେ ଘର ବାହାରେ ଏକ ଗାଡ଼ିରେ ସେ ପ୍ରାୟ ୨୦ କ୍ରେଟ ଟମାଟୋକୁ ରଖିଥିଲେ । ଏହି ଟମାଟୋ ବୋଝେଇ ଯାନକୁ ସେ ଘର ବାହାରେ ପାର୍କ କରିଥିଲେ । ହେଲେ ରାତିରେ ଏହାକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛି ।

ଏହା ବି ପଢନ୍ତୁ- Crorepati Tomato Farmer: ଟମାଟୋ କଲା କୋଟିପତି, ୮୩୦୦ ପେଟି ବିକି ରୋଜଗାର କଲେ କୋଟିଏ

ସେ ସକାଳ ହେବା ପରେ ଗାଡ଼ିରେ ଯାଞ୍ଚ କରିବା ପରେ ତାଙ୍କୁ କ୍ରେଟଗୁଡ଼ିକ ଦେଖିବାକୁ ମିଳିନଥିଲା । ରବିବାର ରାତିରେ ଟମାଟୋ ବୋଝେଇ ଯାନ ତାଙ୍କ ଘର ବାହାରେ ପାର୍କ ହୋଇଥିଲା । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଟମାଟୋ କେଜି ପିଛା ୧୦ରୁ ୨୦ ଟଙ୍କାରେ ମିଳୁଥିଲା । ହେଲେ ମୌସୁମୀରେ ଉତ୍ପାଦନ କମିବା ସହ ବର୍ଷା ମାଡ଼ରେ ଟମାଟୋ ନଷ୍ଟ ହେବା ପରେ ଟମାଟୋ କେଜି ପିଛା ଦର ୮୦ରୁ ୧୦୦ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଏପରିକି କିଛି ସ୍ଥାନରେ ଟମାଟୋ ୨୦୦ରୁ ୨୫୦ କେଜି ଟଙ୍କାରେ ବିକ୍ରି ହେଉଥିଲା । ଯାହା ଫଳରେ ହାଣ୍ଡିଶାଳ ଉପରେ ହୋଇଥିଲା ମହଙ୍ଗା ମାଡ଼ । ଲୋକେ ଯେଉଁଠି ପୂର୍ବରୁ କେଜିରୁ ୨ କେଜି ଟମାଟୋ କିଣୁଥିଲେ, ସେଠାରେ ୨୫୦ ଗ୍ରାମ ଟମାଟୋ କିଣୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଟମାଟୋ ବ୍ୟବସାୟୀ ଓ ଚାଷୀ ମାଲେମାଲ ହୋଇଥିଲେ । ଏକର ଏକର ଜମିରେ ଚାଷ କରିଥିବା ଟମାଟୋ ଚାଷୀ କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟୋ ବିକ୍ରି କରି କୋଟିପତି ହୋଇଥିବା ଘଟଣା ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.