ETV Bharat / bharat

ପୁଣି ଜୀବନ ହାରିଲେ କୋଟା ଛାତ୍ର, 28ରେ ପହଞ୍ଚିଲାଣି ସଂଖ୍ୟା

author img

By ETV Bharat Odisha Team

Published : Nov 28, 2023, 2:20 PM IST

NEET aspirant dies by suicide in Kota
NEET aspirant dies by suicide in Kota

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର । ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ କୋଟାରେ ଥମୁନି ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣା । ପୁଣି ଜଣେ ଛାତ୍ର ଜୀବନ ହାରିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ଛାତ୍ର ହେଉଛନ୍ତି ପଶ୍ଚିମବଙ୍ଗର ଫୋରିଦ ହୁସେନ । ନିଟ୍ ପାଇଁ କୋଟାରେ କୋଚିଂ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେ ରହୁଥିବା ଭଡା ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ଆଜିର ସଂଖ୍ୟାକୁ ମିଶାଇ ଚଳିତ ବର୍ଷ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା 28ରେ ପହଞ୍ଚିଛି ।

ଦାଦାବାରିର ସର୍କଲ ଅଫିସର ରାଜେଶ ପାଠକ କହିଛନ୍ତି ଯେ, ହୁସେନ୍ କୋଟାର ୱାକଫ ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ଏବଂ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ସୋମବାର ରାତିରେ ରୁମର କବାଟ ନ ଖୋଲିବାରୁ ଘରର ମାଲିକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘରେ ମଧ୍ୟକୁ ପ୍ରବେଶ କରିଥିଲା । ଏହାପରେ ଗୁରୁତର ଅବସ୍ଥାରେ ହୁସେନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, 26ରେ ପହଞ୍ଚିଲାଣି ସଂଖ୍ୟା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଫୋରିଦ ହୁସେନଙ୍କ ସାଙ୍ଗମାନେ ତାଙ୍କୁ ଅପରାହ୍ନ 4ଟା ସମୟରେ ଦେଖିଥିଲେ । ସନ୍ଧ୍ୟା 7ଟା ପରେ ତାଙ୍କ ରୁମ କବାଟ ବନ୍ଦ ରହିଥିଲା । ତାଙ୍କ ସାଙ୍ଗ ଫୋନ କରିବାରୁ ସେ ରିସିଭ କରିନଥିଲେ । ଏହାପରେ ଘରର ମାଲିକଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଛାତ୍ର ଜଣଙ୍କ କାହିଁକି ଜୀବନ ହାରିଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରକୃତ କାରଣ ଜଣା ପଡିନାହିଁ । ମୃତକଙ୍କ ପରିବାରକୁ ଏ ବିଷୟରେ ସୂଚନା ଦିଆଯାଇଛି । ପରିବାର ଲୋକେ ଆସିବା ପରେ ମୃତଦେହ ପୋଷ୍ଟମର୍ଟମ କରାଯିବ । ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ରାଜସ୍ଥାନ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଗତ ମାସରେ ପ୍ରୟାସ ଆରମ୍ଭ କରିଥିଲା କୋଟା ସିଟି ପୋଲିସ । ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରଙ୍କଠାରେ ଦେଖିବାକୁ ମିଳୁଥିବା ପୂର୍ବ ସଙ୍କେତଗୁଡ଼ିକୁ ଅନୁଧ୍ୟାନ କରିବା ଲାଗି ହଷ୍ଟେଲ ୱାର୍ଡେନ ଓ ଟିଫିନ ସପ୍ଲାଏରମାନଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ । ଛାତ୍ରଛାତ୍ରଙ୍କୁ ଚିହ୍ନଟ କରିବା ଲାଗି 'ଦରୱାଜେ ପେ ଦସ୍ତକ' ଅଭିଯାନ ଆରମ୍ଭ ହୋଇଥିଲା । କିନ୍ତୁ ଏତେ ସବୁ ପରେ ବି ଛାତ୍ର ଆତ୍ମହତ୍ୟା ଥମିବାର ନା ଧରୁନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.