ETV Bharat / bharat

Delhi: ଗୋଟିଏ ରନ-ଓ୍ବେରେ 2 ବିମାନକୁ ଟେକଅଫ ଓ ଲ୍ୟାଣ୍ଡିଂ ଅନୁମତି, ଅଳ୍ପକେ ବର୍ତ୍ତିଲା 3 ଶହ ଯାତ୍ରୀଙ୍କ ଜୀବନ

author img

By ETV Bharat Odisha Team

Published : Aug 23, 2023, 8:46 PM IST

ଗୋଟିଏ ରନ-ଓ୍ବେରେ 2 ବିମାନକୁ ଟେକଅଫ ଓ ଲ୍ୟାଣ୍ଡିଂ ଅନୁମତି
ଗୋଟିଏ ରନ-ଓ୍ବେରେ 2 ବିମାନକୁ ଟେକଅଫ ଓ ଲ୍ୟାଣ୍ଡିଂ ଅନୁମତି

ଦିଲ୍ଲୀ ବିମାନ ବନ୍ଦରରେ ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା । ଗୋଟିଏ ରନଓ୍ବେର ଏକକାଳୀନ ଉଡାଣ ଓ ଅବତରଣ ଅନୁମତି ପାଇଥିଲେ ଦୁଇ ବିମାନ । ପଢନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଛି । ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC)ର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ଦୁଇ ବିମାନ ମଧ୍ୟରେ ଧକ୍କା ଅଳ୍ପକେ ଟଳିଯାଇଛି । ଗୋଟିଏ ରନ୍‌-ଓ୍ବେରେ ଏକକାଳୀନ ଦୁଇଟି ବିମାନର ଟେକ୍‌ଅଫ ଓ ଲ୍ୟାଣ୍ଡିଂକୁ ଅନୁମତି ଦିଆଯିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ହେଲେ ଏଟିସିର ତୁରନ୍ତ ନିଷ୍ପତ୍ତିରେ ପରିବର୍ତ୍ତନ ଓ ବିମାନର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏହି ଆସନ୍ନ ଦୁର୍ଘଟଣାରୁ 300 ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

ସୂଚନା ଅନୁସାରେ, ଭିସ୍ତାରା ଏୟାରଲାଇନ୍ସର ଦିଲ୍ଲୀରୁ ବାଗଡୋଗ୍ରା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା UK-725 ବିମାନକୁ ରନ-ଓ୍ବେକୁ ଯିବା ପାଇଁ ଏଟିସି କ୍ଲିୟରାନ୍ସ ମିଳିଥିଲା । ଏହି ସମୟରେ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିବା ଭିସ୍ତାରା ବିମାନ ମଧ୍ୟ କ୍ଲିୟରାନ୍ସ ପାଇ ଉକ୍ତ ରନଓ୍ବେର ଅବତରଣ କରୁଥିଲା । ଅବତରଣ କରିଥିବା ବିମାନଟି ମୁଖ୍ୟ ରନଓ୍ବେର ହିଁ ଥିଲା । ଏହା ଜଣାପଡିବା ପରେ ଉଡାଣ ଭରିବାକୁ ଥିବା UK-725 ବିମାନକୁ ତୁରନ୍ତ ଉଡାଣ ବାତିଲ କରି ପାର୍କିଂକୁ ଫେରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ତୁରନ୍ତ ବିମାନର ପାଇଲଟ୍‌ ଉଡାଣ ରଦ୍ଦ କରିବା ସହ ରନ-ଓ୍ବେ କ୍ଲିୟର କରି ପାର୍କିଂକୁ ଫେରିଥିଲେ । ସେହି ରନ୍‌-ଓ୍ବେରେ ଅହମ୍ମଦାବାଦ-ଦିଲ୍ଲୀ ବିମାନ ସଫଳତାର ସହ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ :-Bomb Threat: ଭିସ୍ତାରା ବିମାନରେ ବୋମା, ଉଡାଣ ପୂର୍ବରୁ ମିଳିଲା ଧମକ

ଏ ସମ୍ପର୍କରେ ସୂଚନା ଦେଇ ଜଣେ ବିମାନ ବନ୍ଦର ଅଧିକାରୀ ଖବର ସରବରାହ ସଂସ୍ଥା ANIକୁ କହିଛନ୍ତି, "ଉଭୟ ବିମାନକୁ ଏକ ସମୟରେ ଅନୁମତି ଦିଆଯାଇଥିଲା କିନ୍ତୁ ଏସମ୍ପର୍କରେ ଜଣାପଡ଼ିବା ପରେ ଏୟାର ଟ୍ରାଫିକ୍‌ ନିୟନ୍ତ୍ରଣ(ଏଟିସି) ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ଡ୍ୟୁଟିରେ ଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଅଧିକାରୀ ଉଡାଣ ଭରିବାକୁ ଥିବା ଦିଲ୍ଲୀ-ବାଗଡୋଗ୍ରା ଭିସ୍ତାରା ବିମାନକୁ ଉଡାଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିମାନଟିର ଉଡ଼ାଣ ବାତିଲା ହେବା ପରେ ତୁରନ୍ତ ମୁଖ୍ୟ ରନ-ୱେରୁ ପାର୍କିଂକୁ ଫେରି ଆସିଥିଲା ।

ଯଦି ବିମାନଟି ଠିକ୍ ସମୟରେ ଉଡାଣ ରଦ୍ଦ କରି ରନଓ୍ବେକୁ ଫେରିନଥାନ୍ତା, ତେବେ ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଏକ ପ୍ରକାର ସ୍ପଷ୍ଟ ଥିଲା । ଦୁଇଟି ବିମାନ ମଧ୍ୟରେ ମାତ୍ର 1.8 କି.ମି ବା 1800 ମିଟରର ଦୂରତା ଥିଲା ବେଳେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ଏଟିସିର ତୁରନ୍ତ ପଦକ୍ଷେପ ଓ ଉଡାଣ ଭରିବାକୁ ଥିବା ବିମାନର ପାଇଲଟ ଉଡାଣ ରୋକିବା ଫଳରେ ଆସନ୍ନ ଦୁର୍ଘଟଣା ଟଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.