ବିଜେଡିକୁ ଭୋଟ ଦେବାକୁ କର୍ମୀଙ୍କୁ ଶପଥ କରାଇଲେ ସୁର, ଭିଡିଓ ଭାଇରାଲ - Sura Routray

By ETV Bharat Odisha Team

Published : Apr 28, 2024, 10:18 AM IST

thumbnail

Sura Routray Viral Video: ଖୋର୍ଦ୍ଧା: କଥାରେ ଅଛି ରାଜନୀତିରେ ସବୁ ସମ୍ଭବ । କାଲି ଯିଏ ଶତ୍ରୁ ଆଜି ସିଏ ମିତ୍ର । କ୍ଷମତା ଲୋଭରେ ନେତାମାନେ ସବୁ କିଛି କରିପାରନ୍ତି । ଠିକ ସେହିଭଳି ସ୍ଥିତି ଦେଖିବାକୁ ମିଳିଛି ଜଟଣୀ ନିର୍ବାଚନ ମଣ୍ଡଳୀରେ । ଗତ ନିର୍ବାଚନରେ ନିଜ ପ୍ରତିଦ୍ବନ୍ଦୀ ଥିବା ବିଭୁତି ଭୂଷଣ ବଳବନ୍ତରାୟଙ୍କ ପାଇଁ ଭୋଟ ମାଗୁଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଜଟଣୀ ଆସନରୁ ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ବିଭୁତି ଓ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୁଅ ମନ୍ମଥଙ୍କୁ ଭୋଟ ଦେବାକୁ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ପାଦୁକ ଧରି ଭୋଟରଙ୍କୁ ଶପଥ କରାଇଛନ୍ତି ସୁର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡିଓରେ ସୁର ନିଜ କର୍ମୀଙ୍କୁ କହୁଛନ୍ତି, ''ସମସ୍ତେ ଉପରକୁ ହାତ ଟେକ । ବିଶ୍ଵାସକୁ ନେଇ ଆମେ ସମସ୍ତେ ବଞ୍ଚିଛେ । ସୋମନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରତିଜ୍ଞା କରିବା ମେ' ୨୫ ତାରିଖ ନିର୍ବାଚନରେ ଡବଲ ଶଙ୍ଖରେ ଭୋଟ ଦେବା । ମନ୍ମଥ ଶଙ୍ଖ ଓ ବିଭୂତି ଶଙ୍ଖ, ଉଭୟଙ୍କୁ ଜିତାଇବା ।''  

ଏହା ମଧ୍ୟ ପଢନ୍ତୁ-ଜଟଣୀରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ; ସ୍ୱାଧୀନତା ଦିବସ ପୂର୍ବରୁ ଖାସମାହାଲ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି - Odisha Assembly Polls 2024
 

ଜଟଣୀ ହରିରାଜପୁରସ୍ଥିତ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଗତକାଲି (ଶନିବାର) ହାତରେ ପାଦୁକ ଧରି ଶତାଧିକ ବିଜେଡି କର୍ମୀ ଓ ସମର୍ଥକଙ୍କୁ ଏପରି ପ୍ରତିଜ୍ଞା କରାଇଛନ୍ତି ସୁର ରାଉତରାୟ । ସୁର ଓ ବିଭୂତିଙ୍କ ସମର୍ଥକଙ୍କୁ ନେଇ ଏହି ସଂକଳ୍ପ ସମାବେଶ ହୋଇଥିଲା । ଏଥିରେ ସୁର ସିଧାସଳଖ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଶପଥ କରାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆମ ଭିତରେ ଆଉ କୌଣସି ମତଭେଦ ନରଖି ସମସ୍ତେ ଏକ ହେବାକୁ ମଞ୍ଚ ଉପରୁ ଅନୁରୋଧ କରିଥିଲେ ସୁର । କେବଳ ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବେ ବୋଲି କହୁଥ‌ିବା ସୁର ବିଜେଡି ପାଇଁ ଖୋଲା ପ୍ରଚାର କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.