ETV Bharat / state

ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Jan 26, 2024, 2:14 PM IST

Dead body rescued
ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

Youth body rescued: ସୁବର୍ଣ୍ଣପୁର ଜିଲ୍ଲା ଚନ୍ଦଲି ଗାଁ ଛକ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ଚନ୍ଦଲି ଗାଁ ଛକ ନିକଟରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ସୁବଳୟା ଧୀବର ପଡାର 25 ବର୍ଷୀୟ ଡମ୍ବରୁଧର ଅଧିକାରୀ ବୋଲି ଜଣାପଡିଛି । ପରିବାର ପକ୍ଷରୁ ଏନେଇ ହତ୍ୟା ଅଭିଯୋଗ କରାଯାଇଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ସକାଳ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ଚନ୍ଦଲି ଗାଁ ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ଏକ ମୃତଦେହ ପଡିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ସୁବଳୟା ପୋଲିସକୁ ଖବର ଦେଇଥିଲେ । ମୃତଦେହଟି ସୁବଳୟା ଧୀବର ପଡାର ଡମ୍ବରୁଧର ଅଧିକାରୀଙ୍କ ହୋଇଥିବା ଜଣାପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଡମ୍ବରୁଧରଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି । ତେବେ ଡମ୍ବରୁଙ୍କ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ

ମୃତକଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା ଧୀବର ପଡାର ଡମ୍ବରୁଧର ଅଧିକାରୀ ଗତକାଲି (ଗୁରୁବାର) ସନ୍ଧ୍ୟାରେ ବାହାରେ କିଛି କାମ ରହିଛି କହି ଘରୁ କୁଆଡେ ଚାଲିଯାଇଥିଲେ । ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ । ବିଳମ୍ବିତ ରାତି ଯାଏଁ ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ । ରାତିରେ ତାଙ୍କ ପାଖ ପଡ଼ୋଶୀରୁ ଆରମ୍ଭ କରି ସୁବଳୟା ଗାଁଟା ସାରା ଖୋଜା ଖୋଜି କରି କୌଣସି ସନ୍ଧାନ ପାଇ ନଥିଲେ ।

ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି । ମୃତଦେହର ଅନତି ଦୂରରେ ମୃତ ଯୁବକର ମୋଟର ସାଇକେଲ,ଚପଲ,ପର୍ସ ସହିତ କିଛି ପାଣି ବୋତଲ ଓ ଖାଦ୍ୟ ପୁଡ଼ିଆ ପଡି ରହିଥିବା ନେଇ ପୋଲିସ ଦେଖିବାକୁ ପାଇଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ଅନ୍ୟପଟେ ତୁରନ୍ତ ଏହି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏହି ଅସ୍ୱାଭାବିକ ମୃତ୍ୟୁର ଅନୁସନ୍ଧାନ ଆରମ୍ଭ କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.