ETV Bharat / state

ଅଧାପନ୍ତରିଆ ରାସ୍ତା ଉଦଘାଟନକୁ ବିରୋଧ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

author img

By ETV Bharat Odisha Team

Published : Mar 20, 2024, 11:36 AM IST

Villagers protest
Villagers protest

Villagers protest Over Road Inauguration: ଅଧାପନ୍ତରିଆ ହୋଇ ପଡିଥିବା ରାସ୍ତାର ଉଦଘାଟନକୁ ବିରୋଧ । ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Villagers protest

ବାଲେଶ୍ବର: ଅଧାପନ୍ତରିଆ ହୋଇ ପଡିଥିବା ରାସ୍ତାର ଉଦଘାଟନକୁ ବିରୋଧ କଲେ ଅଞ୍ଚଳବାସୀ । ରାସ୍ତା ଅସମ୍ପୂର୍ଣ୍ଣ ହୋଇ ରହିଯିବା ଆଶଙ୍କାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ କଷାଫଳ ପଞ୍ଚାୟତବାସୀ । ତେବେ ନିର୍ବାଚନ ପୂର୍ବରୁ ଉଦଘାଟନ କରାଯାଇଥିବାରୁ ଅଧାପନ୍ତରିଆ ରାସ୍ତା ଅସମ୍ପୂର୍ଣ୍ଣ ହୋଇ ରହିଯିବା ଆଶଙ୍କା କରି ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କଷାଫଳ ପଞ୍ଚାୟତର ବାସିନ୍ଦା ବିରୋଧ କରିଛନ୍ତି । ଆଗାମୀ ଦିନରେ ରାସ୍ତା କାର୍ଯ୍ୟ ଆଉ ନ ହେବା ନେଇ ସଦର ବିଧାୟକ ସୂଚନା ଦେଇଥିବା ଅଭିଯୋଗ ସହ ଅଞ୍ଚଳବାସୀ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଜୋର ଧରିଲା ରାସ୍ତା ନିର୍ମାଣ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ 3 ଗାଁର ପ୍ରତିନିଧୀ ଦଳ

ସେମାନଙ୍କ ଅଭିଯୋଗ ଅନୁସାରେ, କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି କ୍ରମେ ମୁଖ୍ୟରାସ୍ତା ଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବର ମାସ ଠାରୁ ଆରମ୍ଭ ହୋଇଥିଲା । ୬କୋଟି ୧୨ଲକ୍ଷ ଟଙ୍କାର ରାସ୍ତା କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଙ୍ଗଲ ଜମିର ଆଳ ଦେଖାଇ ନିର୍ମାଣ ଅଧାଅଧିରୁ ବନ୍ଦ କରିଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଜଙ୍ଗଲ ଜମି ବାବଦରେ ଅନୁଧ୍ୟାନ ନ କରି ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ ହୋଇଥିଲା ବୋଲି ଏହି ଅବସରରେ ଯୁବନେତା ବିକ୍ରମ ପଣ୍ଡା ପ୍ରଶ୍ନ କରିବା ସହ ଆକ୍ରୋଶମୂଳକ ଭାବେ ରାସ୍ତାଟିକୁ ଅସମ୍ପୂର୍ଣ୍ଣ ରଖାଯାଇଥିବା ସେ ଆରୋପ ଉଠାଇଛନ୍ତି ।

ଅନ୍ୟପକ୍ଷରେ ନିର୍ବାଚନକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ରାସ୍ତାକୁ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିକ୍ରମ ପଣ୍ଡା କହିଛନ୍ତି। ତେଣୁ ତୁରନ୍ତ ଜଙ୍ଗଲ ବିଭାଗ ସହିତ ଆଲୋଚନା କରି ଗ୍ରାମବାସୀଙ୍କ ଆପତ୍ତି ସମାଧାନ ପାଇଁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା କହିଛନ୍ତି । ରାସ୍ତା କାମ ବନ୍ଦ କରାଯାଇ ନାହିଁ, ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବା ନେଇ ସେ ଉତ୍ତର ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.