ETV Bharat / state

ରାଜସ୍ୱ ଗ୍ରାମ ଘୋଷଣା ଦାବିରେ ମହାମେଳି, ଦାବି ପୂରଣ ନ ହେଲେ ଭୋଟ ବର୍ଜନ ଚେତାବନୀ - deogarh

author img

By ETV Bharat Odisha Team

Published : Apr 1, 2024, 3:59 PM IST

ରାଜସ୍ୱ ଗ୍ରାମ ଘୋଷଣା ଦାବିରେ ମହାମେଳି
ରାଜସ୍ୱ ଗ୍ରାମ ଘୋଷଣା ଦାବିରେ ମହାମେଳି

villagers protest demanding revenue village status: ଦେବଗଡ ଜିଲ୍ଲା ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଓ ଭୂମିହୀନ ପରିବାରଙ୍କୁ 4 ଡିସମିଲ ଲେଖାଏଁ ଘର ଡିହ ପଟ୍ଟା ପ୍ରଦାନ କରାଯିବା ଦାବିରେ ଆଜି ସାତଖଣ୍ଡ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଅଧିକ ପଡନ୍ତୁ

ରାଜସ୍ୱ ଗ୍ରାମ ଘୋଷଣା ଦାବିରେ ମହାମେଳି

ଦେବଗଡ: ଜିଲ୍ଲାର ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି। ଏଥିସହ ଭୂମିହୀନ ପରିବାରଙ୍କୁ 4 ଡିସମିଲ ଲେଖାଏଁ ଘର ଡିହ ପଟ୍ଟା ପ୍ରଦାନ କରାଯିବା ଦାବିରେ ଆଜି ସାତଖଣ୍ଡ ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ସରକାର ତଥା ସ୍ଥାନୀୟ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ ସମୂହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଏହି ଅଞ୍ଚଳକୁ କୌଣସି ରାଜନେତା କିମ୍ବା ନିର୍ବାଚନ ଅଧିକାରୀଙ୍କୁ ପ୍ରବେଶ ପାଇଁ ବାରଣ କରାଯିବାକୁ ଦେଲେ ଚେତାବନୀ ।

ତେବେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ରାଇତାବାହାଳ ପଞ୍ଚାୟତର ରେଙ୍ଗାଲି ଜଳଭଣ୍ଡାର ତଟବର୍ତ୍ତୀ ଅଞ୍ଚଳରେ ରହିଛି ଚାରିମଞ୍ଚା , ଗୋଠମଡା , କଦଳିପାଳ , ସୁନାମୁଣ୍ଡା , ହରିହରପୁର , ଗଣନାଥପୁର ଓ ଭରତପୁର ଆଦି ସାତଖଣ୍ଡ ଗ୍ରାମ । ଏହି ସାତଖଣ୍ଡ ଗ୍ରାମରେ ବସବାସ କରି ଆସୁଛନ୍ତି 400 ରୁ ଉର୍ଦ୍ଧ୍ବ ପରିବାର । 1984 ମସିହା ଠାରୁ ରେଙ୍ଗାଳି ନଦୀବନ୍ଧ ଯୋଜନା କାର୍ଯ୍ୟ ସମାପ୍ତ ହେବା ପରେ ଦୀର୍ଘ 40 ବର୍ଷ ହେଲା ଏହି ଅଞ୍ଚଳରେ ବସବାସ କରି ଆସୁଛନ୍ତି ଉକ୍ତ ଗ୍ରାମବାସୀ । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ ଏହି ସାତଖଣ୍ଡ ଗ୍ରାମକୁ ଏଯାଏଁ ମିଳିପାରିନି ରାଜସ୍ୱ ଗ୍ରାମର ମାନ୍ୟତା । ଫଳରେ ପଞ୍ଚାୟତକୁ ଆସୁଥିବା ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ । ଏପରିକି ଏହି ସମସ୍ତ ପରିବାରଙ୍କ ପାଖରେ ରେକର୍ଡ ଜାଗା ନାହିଁ । ରେକର୍ଡ ଜାଗା ନଥିବାରୁ ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରୁନାହାନ୍ତି ଲୋକେ । ଅଧିକାଂଶ ଗରିବ ଶ୍ରେଣୀ ଲୋକେ ଘର ଖଣ୍ଡିଏ ନ ପାଇ ବହୁ ଅସୁବିଧା ଭୋଗ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଜବରଦଖଲ ଉଚ୍ଛେଦ ଦାବି, ବୋଲଗଡ ତହସିଲ ଘେରିଲେ ଅସନାପଲ୍ଲୀ ଗ୍ରାମବାସୀ

ରାଜସ୍ୱ ଗ୍ରାମର ମାନ୍ୟତା ପାଇ ନ ଥିବାରୁ ଅଞ୍ଚଳବାସୀ ସେମାନଙ୍କ ବାସସ୍ଥାନ ପ୍ରମାଣପତ୍ର ଖଣ୍ଡିଏ ମଧ୍ୟ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଆଜକୁ ଦୀର୍ଘବର୍ଷ ହେଲା ଉକ୍ତ ସାତଖଣ୍ଡ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯିବା ସହ ଲୋକଙ୍କୁ ଅନ୍ତତଃ 4 ଡିସମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ଗ୍ରାମବାସୀ। ମାତ୍ର କୌଣସି ସୁଫଳ ମିଳି ପାରିନାହିଁ । ଏନେଇ ଅଞ୍ଚଳବାସୀ ଗତ ଫେବୃଆରୀ 13 ତାରିଖ ଦିନ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସମସ୍ୟାର ସମାଧାନ କରିବାକୁ ନିବେଦନ କରିଥିଲେ । ଯଦି ସରକାର ଏଥିପ୍ରତି ସୁବିଚାର ନକରନ୍ତି ତା ହେଲେ ଆଗାମୀ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ହେଲେ ଏଯାଏଁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଗତକାଲି (ରବିବାର) ଉକ୍ତ ସାତଖଣ୍ଡ ଗ୍ରାମବାସୀ ଏକତ୍ରିତ ହୋଇ ଚଳିତ ସାଧାରଣ ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି । ଏପରିକି ଏହି ଅଞ୍ଚଳକୁ କୌଣସି ରାଜନୈତିକ ନେତୃବୃନ୍ଦ କିମ୍ବା ନିର୍ବାଚନ ଅଧିକାରୀଙ୍କୁ ଆସିବାକୁ ବାରଣ କରାଯିବ ବୋଲି ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏହି ଜନ ଆନ୍ଦୋଳନର ଆଗକୁ କଣ ରୂପରେଖ ରହୁଛି ଓ ପ୍ରଶାସନ ଓ ସରକାର ଏଦିଗରେ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.