ETV Bharat / state

କଥା ଦେଇ ଠକିଦେଲା ଷ୍ଟିଲ କମ୍ପାନୀ, ତେଜୁଛି ଅସନ୍ତୋଷ

author img

By ETV Bharat Odisha Team

Published : Feb 23, 2024, 10:31 AM IST

ଜମି ଅଧିଗ୍ରହଣ
ଜମି ଅଧିଗ୍ରହଣ

Protest Against Nippon Steel Company: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଉପକଣ୍ଠ ଭିମାନାସି ଓ ଗୋରଡ଼ ଗ୍ରାମବାସୀମାନେ ଗତକାଲି(ଗୁରୁବାର) ନିପନ ଷ୍ଟିଲ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଅଧିକ ପଢ଼ନ୍ତୁ

ଜମି ଅଧିଗ୍ରହଣ

ପାରାଦ୍ବୀପ: ପ୍ରତିଶ୍ରୁତି ଦେଇ ଭୁଲିଗଲା କମ୍ପାନୀ । ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ସହ ଚାକିରି ଦେବାକୁ କହି ନିଜ କଥାରୁ ଓହରି ଯାଇଥିବା ଅଭିଯୋଗ କରି ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଉପକଣ୍ଠ ଭିମାନାସି ଓ ଗୋରଡ଼ ଗ୍ରାମବାସୀମାନେ ଗତକାଲି(ଗୁରୁବାର) ନିପନ ଷ୍ଟିଲ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାସହ ଆଗାମୀ ଦିନରେ କମ୍ପାନୀ ଗେଟ ସମୁଖରେ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ତେବେ ଭିମାନାସି ଓ ଗୋରଡ଼ ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ, ପାରାଦ୍ୱୀପ ଉପକଣ୍ଠ ଅଞ୍ଚଳରେ ପ୍ରତିଷ୍ଠା ହେବାକୁ ଥିବା M.N.C କମ୍ପାନୀ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମୟରେ ପାରାଦ୍ୱୀପ ଉପକଣ୍ଠ ଭିମାନାସି ଗୋରଡ଼ ଗ୍ରାମରୁ କିଛି ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇଥିଲା । ଏହି ଗ୍ରାମରୁ ଜମି ଅଧିଗ୍ରହଣ ସମୟରେ କିଛି ପରିବାର ଓ ଅନେକଙ୍କ ଚାଷ ଜମି ସହିତ ପାନ ଓ ମାଛ ଚାଷ ଭଳି ଅନେକ କିସମର ଜମି କମ୍ପାନୀ ହାତକୁ ଟେକି ଦିଆଯାଇଥିଲା । ଜମି ଅଧିଗ୍ରହଣ ସମୟରେ କମ୍ପାନୀ ପକ୍ଷରୁ ବିସ୍ଥାପିତ ଓ ଜମି ହରାଇଥିବା ଲେକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହିତ ଚାଷ ଜମି ହରାଇଥିବା ଚାଷୀମାନଙ୍କ ଯୋଗ୍ୟତା ଭିତ୍ତିରେ ଚାକିରି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜମି ଅଧିଗ୍ରହଣ ଶେଷ ହୋଇଯିବା ପରେ କମ୍ପାନୀ କତ୍ତୃପକ୍ଷ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ, ବିସ୍ଥାପିତମାନଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ଅର୍ଥ କମ୍ପାନୀ ଦେଇନାହିଁ । କିନ୍ତୁ ଜମି ଉପରେ କମ୍ପାନୀ ପାଚେରୀ ବୁଲାଇ ଚାଲିଛି । ଗ୍ରାମବାସୀମାନେ ଏହାକୁ ବିରୋଧ କରିବା ସହ କମ୍ପାନୀର ପାଚେରୀ କାମକୁ ବିରୋଧ କରିଥିଲେ । ଏଥିରେ ପାରାଦ୍ୱୀପ ପ୍ରଶାସନ ହସ୍ତକ୍ଷେପ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରଭାବିତ ଗ୍ରାମବାସୀମାନଙ୍କୁ ବକେୟା କ୍ଷତିପୂରଣ ଅର୍ଥ ଦେବା ସହିତ ପ୍ରଥମ ପର୍ଯ୍ୟାୟରେ 30 ଜଣଙ୍କୁ କମ୍ପାନୀରେ ନିଯୁକ୍ତି ଦେବେ ।

ଏହା ମଧ୍ୟ ପଢ଼ନ୍ତୁ...ନିପନ-ଆସେଲ ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ପାଇଁ ଡିସେମ୍ବରରୁ ଆରମ୍ଭ ହେବ ଜନଶୁଣାଣି: ଶିଳ୍ପମନ୍ତ୍ରୀ

ପ୍ରତିଶ୍ରୁତି ମୁତାବକ କମ୍ପାନୀ କର୍ତ୍ତୃପକ୍ଷ ଲୋକ ଦେଖାଣିଆ 30 ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ନେଇଥିଲେ ମଧ୍ୟ ଆଜିକୁ ଦୀର୍ଘଦିନ ହେବ ନିଯୁକ୍ତି ଦେଇ ନାହାଁନ୍ତି । ଏହାକୁ ବିରୋଧ କରି ଗ୍ରାମବାସୀମାନେ ଗତକାଲି (ଗୁରୁବାର) ମେଳି ହେବା ସହିତ ଯଦି 7ଦିନ ମଧ୍ୟରେ ପ୍ରତିଶ୍ରୁତି ଅନୁସାରେ ନିଯୁକ୍ତି ପ୍ରଦାନ ନକରନ୍ତି ତେବେ କମ୍ପାନୀ ଫାଟକରେ ତାଲା ପକାଯିବା ସହିତ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଧମକ ଦେଇଛନ୍ତି । ଏ ସମ୍ପର୍କରେ ନିପନ ଷ୍ଟିଲ କମ୍ପାନୀ କତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପୂର୍ବରୁ ଏହି ଘଟଣାରେ କମ୍ପାନୀ ଓ ବିସ୍ଥାପିତ ଲୋକଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥିବା ପାରାଦ୍ୱୀପ ପ୍ରଶାସନ ମଧ୍ୟ ଚୁପ ରହୁଥିବା ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.