ETV Bharat / state

ସ୍ମାର୍ଟସିଟିକୁ ଭରସା ବାଉଁଶ ପୋଲ ! କୋଏଲ ନଦୀରେ କେବେ ନିର୍ମାଣ ହେବ ବ୍ୟାରେଜ ?

author img

By ETV Bharat Odisha Team

Published : Mar 20, 2024, 8:13 PM IST

Bamboo bridge
Bamboo bridge

Bamboo bridge: ରାଉରକେଲା ସହ ଯୋଡିବା ପାଇଁ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷିତ କୋଏଲ ବ୍ୟାରେଜ । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ମନ୍ଥରଗତିରେ ଚାଲିଛି ବ୍ୟାରେଜ ନିର୍ମାଣ କାମ । ନିଜସ୍ବ ଖର୍ଚ୍ଚରେ ବାଉଁଶ ପୋଲ ତିଆରି କରି ଯାତାୟତ କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

କୋଏଲ ନଦୀରେ କେବେ ନିର୍ମାଣ ହେବ ବ୍ୟାରେଜ

ରାଉରକେଲା: ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ଏମିତି କିଛି ଗାଁ ରହିଛି ଯେଉଁଠାକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ଲୋକମାନେ ଆଜି ମଧ୍ୟ ବାଉଁଶ ପୋଲ ସାହଯ୍ୟରେ ଯାତାୟତ କରୁଛନ୍ତି । ଭଗବାନଙ୍କ ଭରସାରେ ଅଞ୍ଚଳବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲା ସହର ଉପକଣ୍ଠରେ । ତେବେ ସହର ଉପକଣ୍ଠରେ ଥିବା କୋଏଲ ନଦୀ ଆରପଟେ ରହିଛି କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକ । ଏହି ଦୁଇ ବ୍ଲକକୁ ରାଉରକେଲା ସହ ଯୋଡିବା ପାଇଁ ଆରମ୍ଭ ହୋଇଥିଲା ବହୁ ପ୍ରତିକ୍ଷିତ କୋଏଲ ବ୍ୟାରେଜ । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ମନ୍ଥରଗତିରେ ଚାଲିଛି ବ୍ୟାରେଜ ନିର୍ମାଣ କାମ । ଦିନ ଗଡୁଛି କିନ୍ତୁ ଆଖି ଦୃଶିଆ ଭାବେ ଆଗଉନି କାର୍ଯ୍ୟ । ଫଳରେ ଆଜିବି ଲୋକେ ସହରକୁ ଆସିବା ପାଇଁ ବାଉଁଶପୋଲ ଉପରେ ନିର୍ଭର କରୁଛନ୍ତି । ସ୍ଵାଧୀନତାର 76 ବର୍ଷ ପରେ ମଧ୍ୟ ଆଜିବି ଲୋକଙ୍କ ଆଶା ଭରସା ବାଉଁଶ ପୋଲ। ଖରା, ବର୍ଷା ଶୀତ ସବୁବେଳେ ଏହି ନଦୀ ପାରି ହେଲେ ଚାଲେ ଲୋକଙ୍କ ପରିବାର । ସରକାର କରିଥିବା ଘୋଷଣା ପୂରଣ ନହେବାରୁ ଲୋକ ବର୍ତ୍ତମାନ ସାହୁଛନ୍ତି ଦୁର୍ବିସହ ଅବସ୍ଥା ।

ତେବେ କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏହି ବାଉଁଶ ପୋଲ ଉପରେ ରାଉରକେଲା ସହ ଯୋଡି ହେବା ପାଇଁ ସହାରା ନେଉଛନ୍ତି। ହେଲେ ବର୍ଷା ଦିନ କଥା ନ କହିବା ଭଲ । ବର୍ଷା ଯୋଗୁଁ ନଦୀ ପାଣି ଫୁଲିବାରୁ କାଠ ପୋଲ ଭାଙ୍ଗିଯାଏ । ଫଳରେ ମାତ୍ର ୪୦୦ ମିଟର ରାସ୍ତାକୁ 35 କିଲୋମିଟର ବାଟ ଦେଇ ବୁଲିବାକୁ ପଡେ। ସେହିପରି ରୋଗୀ, ଚାଷୀ ,ଛାତ୍ରଛାତ୍ରୀ ସଭିଏଁ ଏହି ବାଉଁଶ ପୋଲକୁ ଭରସା। ପ୍ରତିଦିନ ଶହ ଶହ ଲୋକେ ଏହି ବାଉଁଶ ପୋଲ ଦେଇ କରୁଛନ୍ତି ଯାତାୟାତ। ଆଜିବି ପ୍ରଶାସନ ବା ରାଜ୍ୟ ସରକାରଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଲୋକଙ୍କୁ ଦେଖିବାକୁ ପଡୁଛି ଏଭଳି ଅବସ୍ଥା। ତେବେ କେବେ ପୂରଣ ହେବ ସରକାରଙ୍କ ଘୋଷଣା ଏନେଇ ଚାହିଁ ବସିଛନ୍ତି ଗ୍ରାମବାସୀ ।

ଗତ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଏଠାରେ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ବର୍ଷ ପରେ ବର୍ଷ ବିତିଥିଲା ଇଟା ଖଣ୍ଡିଏ ମଧ୍ୟ ପଡିନଥିଲା । ଯାହାକୁ ନେଇ ଦେଖାଦେଇଥିଲା ଜନଅସନ୍ତୋଷ । ଏହାକୁ ନେଇ ବହୁ ବିବାଦ ପରେ ଗତ 2022 ମସିହାରେ ସରକାର ପ୍ରାୟ 313କୋଟି ଟଙ୍କାରେ କୋଏଲ ବ୍ୟାରେଜ ନିର୍ମାଣ ହେବା ନେଇ ଘୋଷଣା କରିଥିଲେ। ଏହାପରେ କାର୍ଯ୍ୟ ଆରମ୍ଭ ହୋଇଛି ସତ କିନ୍ତୁ ବର୍ତ୍ତମାନ ଦେଢ଼ ବର୍ଷ ବିତି ଗଲାଣି ହେଲେ କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଅସମ୍ପୂର୍ଣ୍ଣ । ତିରିଶ ମାସରେ ନିର୍ମାଣ ହୋଇଯିବା ନେଇ ଘୋଷଣା କରିଥିଲେ ତେବେ ବର୍ତ୍ତମାନ କାର୍ଯ୍ୟକୁ ଦେଖିଲେ ସମୟ ଭିତରେ ଏହା ପୂର୍ଣ୍ଣ ହେବା ନେଇ ଦେଖାଦେଉଛି ଆଶଙ୍କା ।

ଏହା ମଧ୍ୟ ପଢନ୍ତୁ- 150 ମିଟର ବାଟ ପାଇଁ ବୁଲୁଛନ୍ତି 50 କିମି ! 4ବର୍ଷ ହେଲା ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

ଏନେଇ ପାନପୋଷ ଉପଜିଲ୍ଲାପାଳ କହିଛନ୍ତି, "ବର୍ତ୍ତମାନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଖୁବ ଶୀଘ୍ର ଶେଷ ହେବ । ସମସ୍ତ ଲୋକେ ଏହାର ସୁଫଳ ପାଇବେ ଏବଂ ଏହା ରାଉରକେଲା ସହରର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ।" ତେବେ କେବେ ପୂରଣ ହେବ କୋଏଲ ବ୍ୟାରେଜ ପ୍ରକଳ୍ପ ଏବଂ କେବେ ଲୋକେ ପାଇବେ ଏହାର ସୁଫଳ ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.