ETV Bharat / state

ରେଲୱେ ଷ୍ଟେସନକୁ ନାହିଁ ସବୁଦିନିଆ ରାସ୍ତା, ନିର୍ମାଣ କରିବାକୁ ଦାବି - Subarnapur Road Problem

author img

By ETV Bharat Odisha Team

Published : Mar 28, 2024, 10:14 AM IST

Road Problem
Road Problem

Road Problem: ସୁବର୍ଣ୍ଣପୁର ସହରର ସିଙ୍ଗାରି ମୌଜାରେ ଥିବା ରେଳଷ୍ଟେସନ ଯିବା ପାଇଁ ନାହିଁ ରାସ୍ତା । ଗମନାଗମନ ସହିତ ରାସ୍ତାରେ ବିଜୁଳି ଓ ଛକରେ ପିଇବା ପାଣି ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ରାସ୍ତା ନିର୍ମାଣ କରିବାକୁ ଦାବି

ସୁବର୍ଣ୍ଣପୁର: ଜିଲ୍ଲାବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇଛି । ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ରେଳଗାଡି ଗଡ଼ିଛି । ହେଲେ ରେଳଷ୍ଟେସନ ଯିବାକୁ ଏଯାଏଁ ରାସ୍ତା ସୁଗମ ହୋଇପାରିନାହିଁ । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ ।

ସୁବର୍ଣ୍ଣପୁର ସହରର ସିଙ୍ଗାରି ମୌଜାରେ ରହିଥିବା ଷ୍ଟେସନକୁ ସବୁ ଦିନିଆ ରାସ୍ତା ନିର୍ମାଣ କରାଯାଇ ପାରିନାହିଁ । ତେଣୁ ଏବେ ସିଙ୍ଗାରି ଗାଁ ଭିତର ଦେଇ ଯାଇଥିବା ସଂକୋଚିଆ ରାସ୍ତାରେ ଯାତ୍ରୀମାନେ ଷ୍ଟେସନକୁ ଯିବା ଆସିବା କରୁଛନ୍ତି । ଯାତ୍ରୀମାନେ ସହରର ବ୍ଲକ ଛକରୁ ବଲାଙ୍ଗୀର-ସୁବର୍ଣ୍ଣପୁର 57 ନମ୍ବର ଜାତୀୟ ରାଜପଥରେ ଦୁଇ କିଲୋମିଟର ଯିବା ପରେ ବାମ ପଟରେ ଥିବା ସିଙ୍ଗାରି ଗାଁ ରାସ୍ତାରେ ଯାତାୟାତ କରୁଛନ୍ତି । ସେହିପରି ବ୍ଲକ ଛକରୁ ପଟାଭାଡ଼ି ଦେଇ ସିଙ୍ଗାରି ଗାଁ ରାସ୍ତାରେ ଯାତ୍ରୀମାନଙ୍କୁ ଯିବାକୁ ହେଉଛି । ଆଉ ରାତ୍ରି ସମୟରେ ଅନ୍ଧାରୁଆ ମାଟି ରାସ୍ତାରେ ଯାତ୍ରୀମାନେ ଯିବା ଆସିବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସଦର ମହକୁମା ଠାରୁ ଉଭୟ ରାସ୍ତାରେ ପ୍ରାୟ ୪ କିଲୋମିଟର ଗଲେ ଯାତ୍ରୀମାନେ ରେଲୱେ ଷ୍ଟେସନକୁ ପହଞ୍ଚୁ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ ।

ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଲୱେ ଷ୍ଟେସନକୁ ସବୁ ଦିନିଆ ରାସ୍ତା, ରାସ୍ତାରେ ବିଜୁଳି ବ୍ୟବସ୍ଥା ସହିତ ଛକରେ ପାନୀୟ ଜଳ ସୁବିଧା କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଉପସ୍ଥାପନ କରିଛନ୍ତି । ଏନେଇ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ପୂର୍ତ୍ତ ବିଭାଗ ତଥା ସଦର ପୌର ପରିଷଦକୁ ଷ୍ଟେସନକୁ ଗମନାଗମନର ସୁବିଧା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମାଳ ମାଳ ସମସ୍ୟା ଘେରରେ ଆଢେଣୀଗଡ଼, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ପ୍ରକାଶ ଥାଉକି, ସଦର ମହକୁମା ଠାରୁ ବଲାଙ୍ଗୀର ଜିଲ୍ଲାକୁ 50 କିଲୋମିଟର ରେଳ ଯାତ୍ରା ସୁଗମ ହୋଇଛି । ଦୀର୍ଘ ଦିନରୁ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣର ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ୫୦କିମି ରେଳପଥ ନିର୍ମାଣ ପରେ ଚାରୋଟି ନୂଆ ରେଳର ଯାତାଯାତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୩ ତାରିଖରେ ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱର-ବଲାଙ୍ଗୀର ସୁପର ଫାଷ୍ଟ ଏକ୍ସପ୍ରେସକୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ବେଳେ ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଏକ ସାପ୍ତାହିକ ଟ୍ରେନ ମଧ୍ୟ ଚଳାଚଳ କରୁଛି ।

ଏଥିସହ ପ୍ରତିଦିନ ବଲାଙ୍ଗୀର-ସୁବର୍ଣ୍ଣପୁରକୁ ୨ଟି ପାସେଞ୍ଜର ଟ୍ରେନ ପ୍ରତିଦିନ ଚଳାଇବାକୁ ରେଳ ବିଭାଗ ଘୋଷଣା କରିଛି । ବ୍ରିଟିଶ ଅମଳରୁ ସରକାରୀ ଫାଇଲ ଭିତରେ ପଡି ରହିଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ସୁବର୍ଣ୍ଣପୁରରୁ ବଲାଙ୍ଗୀର 50 କିଲୋମିଟର ଟ୍ରେନ ଚାଲିବା ପରେ ଯାତ୍ରୀମାନେ ଟ୍ରେନରେ ଯିବା ଆସିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ରେଳ ଲାଇନ ଯୋଗେ ସୁବର୍ଣ୍ଣପୁର ପୂର୍ବ ଓଡିଶା ସହିତ ଯୋଡି ହୋଇ ଥିବାରୁ ଜିଲ୍ଲାର ଅର୍ଥନୈତିକ ବିକାଶ ଆଗକୁ ବେଶ ସମୃଦ୍ଧ ହେବ ବୋଲି ଜନସାଧାରଣ ଆଶା କରୁଛନ୍ତି । ତେବେ ସୁବର୍ଣ୍ଣପୁର ସହରରୁ ଷ୍ଟେସନ ପର୍ଯ୍ୟନ୍ତ ଗମନାଗମନ ସହିତ ରାସ୍ତାରେ ବିଜୁଳି ଓ ଛକରେ ପିଇବା ପାଣି ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.