ETV Bharat / state

ମାଳ ମାଳ ସମସ୍ୟା ଘେରରେ ଆଢେଣୀଗଡ଼, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

author img

By ETV Bharat Odisha Team

Published : Feb 23, 2024, 8:14 AM IST

Updated : Feb 23, 2024, 8:28 AM IST

ମାଳ ମାଳ ସମସ୍ୟା ଘେରରେ ଆଢେଣୀଗଡ଼, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ
ମାଳ ମାଳ ସମସ୍ୟା ଘେରରେ ଆଢେଣୀଗଡ଼, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

Adenigarh Problems: ସରକାରୀ ସହାୟତାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳ ଲୋକେ । ବୌଦ୍ଧ ହରଭଙ୍ଗା ବ୍ଲକର ଆଢେଣୀଗଡ଼ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଆମ୍ବୁଲାନ୍ସ ଯିବାକୁ ନାହିଁ ରାସ୍ତା । ଅଧିକ ପଢନ୍ତୁ

ମାଳ ମାଳ ସମସ୍ୟା ଘେରରେ ଆଢେଣୀଗଡ଼, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ବୌଦ୍ଧ: ଜିଲ୍ଲାର ସୀମାନ୍ତ ପଞ୍ଚାୟତରେ ଥିବା ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପାନୀୟଜଳ, ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକର ଆଢେଣୀଗଡ଼ ପଞ୍ଚାୟତରୁ । ସେପଟେ ଗତ ପାଞ୍ଚ ଦିନ ହେଲା ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ ମଧ୍ୟ କୌଣସି ସୁଫଳ ଦେଖିବାକୁ ମିଳୁନାହିଁ ।

ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ । ଆଢେଣୀଗଡ଼ ପଞ୍ଚାୟତ ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଏଠାରେ ସରକାରୀ ସହାୟତା ସାତ ସପନ ପାଲଟିଛି । ଏହି ଅଞ୍ଚଳକୁ ଯିବା ପାଇଁ ଭଲ ରାସ୍ତା ନ ଥିବାବେଳେ ପିଇବା ପାଇଁ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ନାହିଁ । ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଛି । ଯାହାଫଳରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି । ପ୍ରଶାସନ ପାଖରେ ଅଞ୍ଚଳବାସୀ ବାରମ୍ବାର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଅରଣ୍ୟ ଘେରା ଆଢେଣୀଗଡ଼ରେ ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ପଞ୍ଚାୟତର ଅଧିକାଂଶ ଅଧିବାସୀ ଆଦିବାସୀ ଓ ଜନଜାତି ସମ୍ପ୍ରଦାୟର । ଦେଶ ସ୍ବାଧିନତା ହେବାର ଦୀର୍ଘ ବର୍ଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳ ବିକାଶର ଆଲୋକ ଠିକରେ ଦେଖିନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଚାୟତବାସୀ । ଏହାସହ ଆଗାମୀ ଦିନରେ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହି ପଞ୍ଚାୟତର କଣ୍ଡରା, କାଚପାଜୁ, ବାଙ୍କପାଜୁ, ଫାଲପାଜୁ, ଲେଙ୍ଗେରପାଜୁ, ମାଣ୍ଡାଲି, ଛତ୍ରପଡା, ରହସାହି, ସୁଲଗା, ବାଲେଜୁ, ସବେରୀ ଭଳି ବଣ ଜଙ୍ଗଲ ଘେରା ଗ୍ରାମ ରହିଛି । ଯେଉଁଠାକୁ କେବଳ ପାଦଚଲା ରାସ୍ତା ସଂଯୋଗ କରୁଛି ।
ଏହା ମଧ୍ୟ ପଢନ୍ତୁ ......ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

ସେପଟେ ଗତ ପଞ୍ଚାୟତ ନିର୍ବାଚନରେ କାଚପାଜୁ ଓ୍ବାର୍ଡର ଅଧିବାସୀ ରାସ୍ତା ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଥିଲେ । ଗତ ୩ ଦିନ ତଳେ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ କାଚପାଜୁ ଗ୍ରାମରେ ପହଞ୍ଚି ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କଣ୍ଡରା କାଚପାଜୁକୁ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । 12 କୋଟି 16 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ପଞ୍ଚାୟତରେ ଖୁବ ଶୀଘ୍ର ରାସ୍ତା ନିର୍ମାଣ ହେବାକୁ ଯାଉଛି ।

ଇଟିଭି ଭାରତ ,ବୌଦ୍ଧ

Last Updated :Feb 23, 2024, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.