ETV Bharat / state

କାହା ପାଇଁ ଆବାସ ଯୋଜନା ? ନଜର ଆଢୁଆଳରେ ପ୍ରକୃତ ହିତାଧିକାରୀ

author img

By ETV Bharat Odisha Team

Published : Feb 4, 2024, 2:28 PM IST

ମିଳୁନି ପକ୍କା ଘର
ମିଳୁନି ପକ୍କା ଘର

Awas Yojana:କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ସିହୋପଡା ଗାଁର ଲୋକଙ୍କ ପାଇଁ ଆବାସ ଘର ପାଲଟିଛି ସାତ ସପନ । ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ଦୁଇ ପରିବାର । ଅଧିକ ପଢନ୍ତୁ

ମିଳୁନି ପକ୍କା ଘର

କେନ୍ଦ୍ରାପଡା: ଗରିବ ଲୋକଙ୍କ ଥଇଥାନ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହେଉଛି । ଦେଶରେ ଅଦ୍ୟାବଧି ୩ କୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକ ଲାଭ ଉଠାଇଥିବା ଅନ୍ତରୀଣ ବଜେଟ ଉପସ୍ଥାପନରେ କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ "ବିଜୁ ପକ୍କାଘର" ଯୋଜନାରେ ବାର୍ଷିକ କୋଟି କୋଟି ବ୍ୟୟ ବରାଦ ହେଉଛି । ହେଲେ ଏସବୁ ସତ୍ତ୍ୱେ ସାଧାରଣ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ସିହୋପଡା ଗାଁର ଗୋବର୍ଦ୍ଧନ ଜେନା ଓ ଝୁମୁରୀ ମଲ୍ଲିକଙ୍କ କଥା ।

ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି ଏହି ୨ ପରିବାରଙ୍କ ଜୀବନ । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ଖରା ଓ ରାତିରେ ସୂର୍ଯ୍ୟ ଦେଖାଯାଉଛି ଏହି ଘର ଭିତରେ । ଆଉ ବର୍ଷା ଓ ଖରାଦିନ କଥା ନ କହିଲେ ଭଲ । ଅସହାୟଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ । ଫଳରେ ନିଜ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ସିହୋପଡା ଗାଁର ଗୋବର୍ଦ୍ଧନ ଓ ଝୁମୁରୀ । ସରକାରୀ ଘରଖଣ୍ଡେ ପାଇଁ ଦୀର୍ଘଦିନ ହେବ ପଞ୍ଚାୟତରୁ ବ୍ଲକ ଯାଏ ଧାଇଁ ଧାଇଁ ନୟାନ୍ତ ହେଲେ ବି ଫଳ ଶୂନ ।

ଗୋବର୍ଦ୍ଧନଙ୍କ ପରିବାର କହିଲେ ସ୍ତ୍ରୀ ଓ ତିନି ଝିଅ । ଏହି ପରିବାରର ପାଞ୍ଚ ଜଣଙ୍କ ପାଇଁ କେବଳ ରାସନ୍ ଚାଉଳ ହିଁ ଭରସା । ପିଲାମାନଙ୍କୁ ପାଠ ପଢାଇବା କାଠିକର ପାଠ ହୋଇଥିବା ବେଳେ ଘର ଖଣ୍ଡେ ନ ଥିବାରୁ ନାହିଁ ନ ଥିବା ହିନସ୍ଥା ଭୋଗୁଛନ୍ତି । ଏନେଇ ସରକାରୀ ଘରଖଣ୍ଡେ ପାଇଁ ଦୀର୍ଘଦିନ ହେବ ପଞ୍ଚାୟତରୁ ବ୍ଲକ ଯାଏ ଧାଇଁ ଧାଇଁନୟାନ୍ତ ହେଲେଣି । ଏମିତିକି ବ୍ଲକ ପ୍ରଶାସନର ତିନି ତିନି ବାର "ପଲ୍ଲୀରେ ପ୍ରଶାସନ" କାର୍ଯ୍ୟକ୍ରମରେ ଘର ଖଣ୍ଡିଏ ପାଇଁ ଦରଖାସ୍ତ ଦେଇଥିଲେ ବିତାଙ୍କ କଥା କେହି ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋବର୍ଦ୍ଧନ । ଏଥିସହ ପ୍ରକୃତ ଗରିବ ହିତାଧିକାରୀଙ୍କ ପାଇଁ ସରକାରୀ ଆବାସ ସାତ ସପନ ହୋଇ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସଟସର୍କିଟରେ ଜଳିଗଲା ଘର, ସରକାରୀ ସହାୟତା ଅପେକ୍ଷାରେ ସୁର

ସେହିପରି ଝୁମୁରୀ ମଲ୍ଲିକଙ୍କ ସ୍ବାମୀ ଗତବର୍ଷ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିଲେ । ଏଯାବତ ତାଙ୍କୁ ସରକାରୀ ଅର୍ଥରାଶି ମିଳି ପାରିନାହିଁ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁରେ ପରିବାରକୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମିଳୁଥିବା ଅର୍ଥରାଶି ମଧ୍ୟ ପାଇନାହାନ୍ତି ଝୁମୁରୀ । ଅନ୍ୟପଟେ ଦୁଇଟି କୁନି କୁନି ପିଲାଙ୍କୁ ଧରି ଭଙ୍ଗା ଘରେ ପଡି ରହିଥିବା ଝୁମୁରୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି । ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ଝିଅର ଚିକିତ୍ସା ପାଇଁ ମଧ୍ୟ ଅର୍ଥ ନାହିଁ । ସ୍ୱାମୀଙ୍କ ବର୍ଷିକିୟା ଶୁଦ୍ଧିକ୍ରିୟା ପାଇଁ ଟଙ୍କାଟିଏ ନ ଥିବାରୁ ସେ ବାଧ୍ୟ ହୋଇ ପର ଆଗରେ ହାତ ପାତୁଥିବା କହିଛନ୍ତି ।

ତେବେ ଏନେଇ ରାଜକନିକା ବିଡ଼ିଓଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଏବେ ଅବଗତ ହେଲେ ଓ ଏହା ଉପରେ ତଦନ୍ତ କରାଯାଇ ଯାହା ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାରେ ଜଣେ ନୁହେଁ କି ଦୁଇଜଣ ନୁହେଁ ଏକାଧିକ ପରିବାର ଆବାସ ପକ୍କାଘର ମିଳୁ ନ ଥିବା ଅଭିଯୋଗ ଆସୁଛି । ତେଣୁ ଯୋଗ୍ୟ ହିତାଧୀକାରୀଙ୍କୁ କେବେ ପକ୍କାଘର ପ୍ରଦାନ କରାଯାଉଛି ତାକୁ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.