ETV Bharat / state

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ, ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

author img

By ETV Bharat Odisha Team

Published : Feb 1, 2024, 10:55 AM IST

Veterinary Doctors Association Strike
Veterinary Doctors Association Strike

Veterinary Doctors Association Strike: ୪ ଦଫା ଦାବି ନେଇ ୧୪ ଦିନରେ ପହଞ୍ଚିଛି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଚିକିତ୍ସା ଅଭାବରୁ ମରୁଛନ୍ତି ଗୃହପାଳିତ ପଶୁ ପକ୍ଷୀ । ଅଧିକ ପଢନ୍ତୁ

Veterinary Doctors Association Strike

ମାଲକାନଗିରି: ୪ ଦଫା ଦାବି ନେଇ ୧୪ ଦିନରେ ପହଞ୍ଚିଛି ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଫଳରେ ରାଜ୍ୟରେ ପ୍ରାଣୀ ସେବା ବ୍ୟବସ୍ଥା ଏକ ପ୍ରକାରେ ଠପ୍ ହୋଇଯାଇଛି । ଏନେଇ ମାଲକାନଗିରି ସହର ସମେତ ଜିଲ୍ଲା ଗ୍ରାମାଞ୍ଚଳର ବହୁ ପ୍ରାଣୀ ଚିକିତ୍ସା ଅଭାବରୁ ଛଟପଟ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହାକୁ ନେଇ ସହରର ସାମାଜସେବୀମାନେ ଆସି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନ ପାଇଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତକାଲି ମଧ୍ୟ ଚିକିତ୍ସା ଅଭାବରୁ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ବେଳେ ଏକ ଛେଳି ଗତ 3 ଦିନ ଧରି ଛଟପଟ ହେଉଥିବା ଦେଖାଯାଇଛି । ତେବେ ଛେଳିର ଚିକିତ୍ସା କରାଯାଉ ନ ଥିବାରୁ ମାଲିକ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏହାର ସମାଧାନର ବାଟ ବାହାର କରିବାକୁ ଦାବି କରିଛନ୍ତି । ଏଥିସହ ନୂତନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏନେଇ ଜିଲ୍ଲାପାଳ ତିନିଦିନ ମଧ୍ୟରେ ଏହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଯଦି ଆଗାମୀ ତିନି ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ପ୍ରାଣୀଙ୍କ ମୃତ୍ୟୁକୁ ଆନ୍ଦୋଳନରତ ପ୍ରାଣୀ ଚିକିତ୍ସକ ଦୁଃଖ ପ୍ରକାଶ କରିବା ସହ ସରକାର ଦାବି ପ୍ରତି ଦୃଷ୍ଟି ଦେଲେ, କାର୍ଯ୍ୟରେ ଯୋଗ ଦେବୁ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୧୪ ଦିନରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ; ନିଆଳିରେ ବିପର୍ଯ୍ୟସ୍ତ ପ୍ରାଣୀ ଚିକିତ୍ସା ସେବା

ସୂଚନା ଯୋଗ୍ୟ ଯେ, ଗତ ୧୮ ତାରିଖରୁ ୪ ତଫା ଦାବି ନେଇ ମାଲକାନଗିରି ଜିଲ୍ଲାର ପ୍ରାଣୀ ଚିକିତ୍ସକମାନେ ସମୂହ ଛୁଟିରେ ଅଛନ୍ତି । ଦାବି ମଧ୍ୟରେ ପ୍ରାଣୀ ସେବା କ୍ଷେତ୍ରରେ ରୂପାନ୍ତରିତ କରି ୨୪ ଘଣ୍ଟିଆ ସେବା ବ୍ୟବସ୍ଥା, ବିଶେଷଜ୍ଞ ବ୍ୟବସ୍ଥା, ଜଟିଳ ରୋଗରେ ପୀଡ଼ିତ ପ୍ରାଣୀଙ୍କୁ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା, କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ଭଳି ପଦୋନ୍ନତି, କେନ୍ଦ୍ର ସରକାରଙ୍କ ପ୍ରାଣୀ ଚିକିତ୍ସକଙ୍କ ହାରରେ ଏନ.ପି.ଏ ପ୍ରଦାନ, ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି ଓ କ୍ୟାଡ଼ର ପୁନଃର୍ଗଠନ ଆଦି ଅନ୍ତର୍ଭୁକ୍ତ । ତେବେ ସରକାର କେବେ ପ୍ରାଣୀ ଚିକିତ୍ସକଙ୍କ ଦାବି ପୂରଣ କରି ପ୍ରାଣୀଙ୍କ ଅକାଳରେ ଯାଉଥିବା ଜୀବନ ବଞ୍ଚାଇବେ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.