ETV Bharat / state

ବିଜେପି ପ୍ରତିଷ୍ଠା ଦିବସରେ ସମ୍ବଲପୁରରେ ଧର୍ମେନ୍ଦ୍ର, ଜୟନାରାୟଣଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ - BJP Foundation Day

author img

By ETV Bharat Odisha Team

Published : Apr 6, 2024, 6:55 PM IST

BJP Foundation Day
BJP Foundation Day

BJP Foundation Day: ସମ୍ବଲପୁରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପି ପ୍ରତିଷ୍ଠା ଦିବସ ପାଳିଲେ ଧର୍ମେନ୍ଦ୍ର । କହିଲେ ଏକ ଛୋଟ ମଞ୍ଜିରୁ ଆଜି ବିଶାଳ ବଟ ବୃକ୍ଷରେ ପରିଣତ ହୋଇଛି ବିଜେପି । ପୃଥିବୀର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶରେ ଆଜି ଏହି ଦଳ ସବୁଠାରୁ ବଡ଼ ପାର୍ଟି ହୋଇପାରିଛି । ଅଧିକ ପଢ଼ନ୍ତୁ

BJP Foundation Day

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ହେବା ପରେ ଆଜି ଦ୍ଵିତୀୟ ଥର ପାଇଁ ସମ୍ବଲପୁର ଗସ୍ତରେ ଆସିଥିଲେ । ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ପ୍ରତିଷ୍ଠା ଦିବସରେ ସେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ପ୍ରମୁଖଙ୍କ ସହ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

ଆଜି ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନ ପ୍ରାୟ ୧୧ଟା ସମୟରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଚେରୀ ରୋଡ଼ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ତେବେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଧର୍ମେନ୍ଦ୍ରଙ୍କୁ ସ୍ବାଗତ କରିବାକୁ ଛିଡା ହୋଇଥିବାବେଳେ ଧର୍ମେନ୍ଦ୍ର ଜୟନାରାୟଣଙ୍କ ପାଦ ଛୁଇଁ ନମସ୍କାର କରିବା ସହ ଆଶୀର୍ବାଦ ନେଇଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୟନାରାୟଣ ମିଶ୍ର ପ୍ରମୁଖ ଦଳୀୟ କାର୍ଯ୍ୟାଳୟ ପରିସରରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ଆଗାମୀ ନିର୍ବାଚନକୁ ନେଇ କର୍ମୀ ଓ ନେତାଙ୍କ ସହ ବୈଠକ କରିଥିଲେ ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, "ଆଜିର ଦିନଟି ବିଜେପି ତଥା ଦଳର କର୍ମୀମାନଙ୍କ ପାଇଁ ଏକ ପବିତ୍ର ଦିନ । ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ବିଜେପି ଦଳ ପ୍ରତିଷ୍ଠା ହୋଇଥିଲା । ଏହି ପାର୍ଟି ଏକ ଛୋଟ ମଞ୍ଜିରୁ ଆଜି ବିଶାଳ ବଟ ବୃକ୍ଷରେ ପରିଣତ ହୋଇଛି । ପୃଥିବୀର ସବୁଠୁ ବଡ଼ ଲୋକତାନ୍ତ୍ରିକ ଦେଶରେ ଆଜି ଏହି ଦଳ ସବୁଠାରୁ ବଡ଼ ପାର୍ଟି ହୋଇପାରିଛି । ଚାଇନାର କମ୍ୟୁନିଷ୍ଟ ପାର୍ଟିକୁ ମଧ୍ୟ ବିଜେପି ପଛରେ ପକାଇ ଦେଇଛି । ବିଜେପିର ସଂଗଠନର କାୟା ଆଜି ଭାରତବର୍ଷର ୬ ଲକ୍ଷ ଗ୍ରାମକୁ ପହଞ୍ଚି ପାରିଛି । ଏହି ସଂଗଠନର ଉଦ୍ଦେଶ୍ୟ ଗରିବ କଲ୍ୟାଣ, ଲୋକ କଲ୍ୟାଣ ଓ ବଞ୍ଚିତ କଲ୍ୟାଣ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଯୁବକ, ମହିଳା, ଅନ୍ନଦାତାଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି । ବର୍ତ୍ତମାନ ଦେଶରେ ଲୋକସଭା ଓ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଏଥିପାଇଁ ବିଜେପି ଲୋକଙ୍କ ନିକଟକୁ ଯାଉଛି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରୁଛି ।" ଆଜିର ଏହି ପବିତ୍ର ଦିନରେ ନରେନ୍ଦ୍ର ମୋଦିଙ୍କ ସୁଶାସନ ପ୍ରଣାଳୀ କେନ୍ଦ୍ର ଓ ରାଜ୍ୟରେ ସ୍ଥାପିତ ହେଉ ବୋଲି ଆଜି ସଂକଳ୍ପ ନିଆ ଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ - PRANAB VS DHARMENDRA

ସମ୍ବଲପୁର ଜିଲ୍ଲାରେ ବିଜେଡି ଓ କଂଗ୍ରେସ ସେମାନଙ୍କର ବିଧାନସଭା ପ୍ରାର୍ଥୀ ଏପର୍ଯ୍ୟନ୍ତ ଘୋଷଣା କରିନଥିବା ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, "ଆମେ ଅନ୍ୟଦଳ କଥା କହିବୁ ନାହିଁ, ଆମେ ଆମ ପ୍ରସଙ୍ଗ, ଆମ ବିକାଶ ଓ ନରେନ୍ଦ୍ର ମୋଦିଙ୍କ ବିଶ୍ବସନୀୟତାକୁ ନେଇ ଲୋକଙ୍କ ପାଖକୁ ଯିବୁ ।" ଆଜି ବିଜେପିର ପ୍ରସଙ୍ଗ ଆଧାରିତ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ଛୁଇଁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟପଟେ ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷକୁ ନେଇ ସେ କହିଛନ୍ତି, "ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି ଦଳୀୟ ବ୍ୟବସ୍ଥା ତଥା ଦଳୀୟ ପରମ୍ପରାକୁ ବିଶ୍ବାସ ରଖିକି ନିଜର ନେତୃତ୍ବ ଜାହିର କରିବା ପାଇଁ । ହେଲେ ଏହି ଦଳ ଏକ ଶୃଙ୍ଖଳିତ ଦଳ । ଆମେ ଦେଶରେ ସେବା ଦାୟିତ୍ଵରେ ଅଛୁ, ଆମେ ଏକଜୁଟ ହୋଇ କାମ କରିବୁ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.