ETV Bharat / politics

ସମ୍ବଲପୁରରେ ମହାଲଢେଇ; ମୈଦାନରେ ଦୁଇ ହେଭିୱେଟ, ସହଜ ହେବନି ଧର୍ମେନ୍ଦ୍ର ଓ ବବିଙ୍କ ପାଇଁ ବିଜୟ - PRANAB VS DHARMENDRA

author img

By ETV Bharat Odisha Team

Published : Mar 29, 2024, 3:42 PM IST

High profile Contest in Sambalpur: ସମ୍ବଲପୁରରେ ହେବ ମହାଲଢ଼େଇ । ଗୋଟିଏ ପଟେ ବିଜେପିର ହେଭିୱେଟ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟପଟେ ବିଜେଡିର ପାୱାରଫୁଲ ପ୍ରଣବ ପ୍ରକାଶ । ବାଜିରେ ଲାଗିଛି ଦୁଇ ହେଭିୱେଟ ନେତାଙ୍କ ସମ୍ମାନ । ଏମିତିରେ ଉଭୟ ନେତା ସମ୍ବଲପୁର ଲୋକସଭା କ୍ଷେତ୍ରରେ ବାସିନ୍ଦା ହୋଇନଥିବା ବେଳେ, କାହାକୁ ସଂସଦ ପଠାଇବେ ସମ୍ବଲପୁର ଭୋଟର ? ଅଧିକ ପଢନ୍ତୁ

High profile Contest in Sambalpur
High profile Contest in Sambalpur

ସମ୍ବଲପୁରରେ ମହାଲଢେଇ

ସମ୍ବଲପୁର: ଏଥର ସମ୍ବଲପୁରରେ ହେବ ମହାଲଢେଇ । ମୁହାଁମୁହିଁ ହେବେ ବିଜେପି ଓ ବିଜେଡିର ଦୁଇ ହେଭିୱେଟ । ମୈଦାନ ପ୍ରସ୍ତୁତ, ଯୋଦ୍ଧା ବି ତୟାର । ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବା ଚର୍ଚ୍ଚା ବହୁ ଦିନ ଧରି ଲାଗି ରହିଥିବା ବେଳେ, ଶେଷରେ ମେଣ୍ଟ ହେବ ନାହିଁ ବୋଲି ନିଶ୍ଚିତ କରିଥିଲେ ଦୁଇ ଦଳ l କିନ୍ତୁ ଏହାପରେ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବ ବୋଲି l ତେବେ ବିଜେଡି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଏହା ଜଣାପଡୁଛି ଯେ ଅନ୍ତତଃ ସମ୍ବଲପୁର ଲୋକସଭା ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ହେବାର ସମ୍ଭାବନା କ୍ଷୀଣ ।

ଏଥର ବିଗ୍ ଫାଇଟ୍ ଦେଖିବ ସମ୍ବଲପୁର । କାରଣ ଏଠାରୁ ଗୋଟିଏ ପଟେ ବିଜେପିରୁ ମୋଦି ଓ ଅମିତ ଶାହାଙ୍କ ଖାସ୍ କୁହାଯାଉଥିବା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବାବେଳେ ଅନ୍ୟ ପଟେ ଅଛନ୍ତି ବିଜେଡିର ପାୱାରଫୁଲ, ନମ୍ବର ଟୁ ନେତା ପ୍ରଣବ ପ୍ରକାଶ ଦାସ l ତେଣୁ ସମ୍ବଲପୁର ଆସନରେ ବର୍ତ୍ତମାନ ଉଭୟ ନେତାଙ୍କ ସମ୍ମାନ ବାଜିରେ ଲାଗିଛି l ଏଥିପାଇଁ ଏଠାରେ କଡ଼ା ଟକ୍କର ହେବାକୁ ଥିବାବେଳେ ଏଠାରେ ବିଜୟ ଉଭୟ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ପାଇଁ ସହଜ ହେବ ନାହିଁ ବୋଲି ରାଜନୀତି ସମୀକ୍ଷକ କହୁଛନ୍ତି l ସେପଟେ ଉଭୟ ନେତା ହେଭିୱେଟ ହୋଇଥିବାରୁ ବର୍ତ୍ତମାନ ସମ୍ବଲପୁର ସିଟ୍ କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିର ଫୋକସରେ ରହୁଛି l


କେତେ ଦୂର ଗ୍ରହଣ କରିବେ ଭୋଟର: ପ୍ରଣବ ଓ ଧର୍ମେନ୍ଦ୍ର ଉଭୟ ସମ୍ବଲପୁର ଲୋକସଭା କ୍ଷେତ୍ରର ସ୍ଥାୟୀ ବାସିନ୍ଦା ହୋଇନଥିବା ବେଳେ ଏଠାକାର ଭୋଟର କେତେ ଦୂର ପର୍ଯ୍ୟନ୍ତ ଗ୍ରହଣ କରିବେ ତାହା ପରବର୍ତ୍ତୀ ସମୟ କହିବ । ଅବଶ୍ୟ ଧର୍ମେନ୍ଦ୍ର ପ୍ରଧାନ ପଡୋଶୀ ଅନୁଗୋଳ ଜିଲ୍ଲା ତାଳଚେର (ଢ଼େଙ୍କାନାଳ ଲୋକସଭା କ୍ଷେତ୍ର) ବାସିନ୍ଦା । ପୂର୍ବରୁ ୨୦୦୪ରେ ସେ ଦେବଗଡ଼ ଲୋକସଭାରେ ସାଂସଦ ଭାବେ ବିଜୟୀ ହୋଇ ସାରିଛନ୍ତି । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ଼ ଛେଣ୍ଡିପଦା ବିଧାନସଭା ସିଟ୍ ସମ୍ବଲପୁର ଲୋକସଭା ଆସନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ହୁଏତ ବାହାରିଆ ନେତା ମୁଦ୍ଦା ବାଧକ ସାଜିବ ନାହିଁ l

ସେହିପରି ବିଗତ ଦିନରେ ଧର୍ମେନ୍ଦ୍ର ତଥା ତାଙ୍କ ଧର୍ମପତ୍ନୀ ସମ୍ବଲପୁର ଅଞ୍ଚଳକୁ ଘନ ଘନ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେନ୍ଦ୍ରୀୟ ଅନୁଦାନ ଆଣିବା କ୍ଷେତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଅଞ୍ଚଳବାସୀଙ୍କ ତାଙ୍କୁ ଗ୍ରହଣ କରିଛନ୍ତି ବୋଲି ବିଜେପି କହିଆସୁଛି l ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ ଚଷା ଜାତିର ହୋଇଥିବାରୁ ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକ, ଛେଣ୍ଡିପଦା ଅଞ୍ଚଳର ଚାଷୀ ଭୋଟ ତାଙ୍କ ସପକ୍ଷରେ ରହିପାରେ, ତଥା ମୋଦି ଫ୍ୟାକ୍ଟର, କେନ୍ଦ୍ର ସରକାରଙ୍କ ଯୋଜନା ଆଦି ଧର୍ମେନ୍ଦ୍ରଙ୍କୁ ଟିକେ ଆଗୁଆ ରଖିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l


ଅନ୍ୟପଟେ ପ୍ରବଣ ପ୍ରକାଶ ଓରଫ ବବି ଦାସ ସମ୍ବଲପୁର ସହ ତାଙ୍କର ପୁରୁଣା ସଂପର୍କ ଥିବା ଏବଂ ଝାଡୁଆପଡ଼ାରେ ତାଙ୍କର ସମ୍ପର୍କୀୟଙ୍କ ଘର ବୋଲି ଗତ କିଛି ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ତାଙ୍କ ବାପା ସମ୍ବଲପୁରରେ ରହି ଜିଏମ କଲେଜରେ ପାଠ ପଢୁଥିଲେ ବୋଲି ମଧ୍ୟ ବିଜେଡି ପକ୍ଷରୁ ଅନେକ ଥର କୁହାଯାଇଛି l ଏହାସହ ସେ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି । ତେଣୁ ଏଠିକାର ସାଂଗଠନିକ ଗତିବିଧ‌ି ଉପରେ ତାଙ୍କର ଭଲ ପକଡ଼ ରହିଛି l ତେଣୁ ଚଳିତ ନିର୍ବାଚନରେ ଏହା ତାଙ୍କୁ ଦଳକୁ ଏକଜୁଟ କରିବାରେ ସହାୟକ ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

ରାଜିନୀତି ବିଶ୍ଳେଷକ ରାଜାରାମ ପାଢ଼ୀଙ୍କ ମତରେ, 'ବବିଙ୍କୁ ସମ୍ବଲପୁରର ପ୍ରାର୍ଥୀ କରାଯାଇ ଧର୍ମେନ୍ଦ୍ରଙ୍କୁ କେବଳ ସମ୍ବଲପୁର ସିଟରେ ଆବଦ୍ଧ କରି ରଖିବାକୁ ବିଜେଡି ଏକ ରାଜନୈତିକ ଚାଲ୍ l ଏହାଦ୍ୱାରା ଧର୍ମେନ୍ଦ୍ର ଜଣେ ଜାତୀୟସ୍ତରୀୟ ନେତା ହୋଇଥିଲେ ମଧ୍ୟ ଅନ୍ୟ କୌଣସି ସ୍ଥାନକୁ ପ୍ରଚାର କରିବାକୁ ଯାଇ ନପାରନ୍ତି l ତେଣୁ ଏଥର ସମ୍ବଲପୁରରେ ଧର୍ମେନ୍ଦ୍ର ଓ ବବି ମଧ୍ୟରୁ ଉଭୟଙ୍କ ପାଇଁ ବିଜୟ ସହଜ ହେବନି l'

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ସିଟ୍ ଧର୍ମେନ୍ଦ୍ରଙ୍କ ପାଇଁ କେତେ ସୁରକ୍ଷିତ ? ଜାଣନ୍ତୁ ରାଜନୀତି ସମୀକ୍ଷକଙ୍କ ମତ - Political Scenario In Sambalpur

ଚାଷୀ ଭୋଟ ନେଇ ବିଜେଡି ନେତା ରୋହିତ ପୂଜାରୀ କହିଛନ୍ତି ଯେ, ଚାଷୀ ଭାଇଭଉଣୀମାନେ ବିକାଶକୁ ଦେଖୁଛନ୍ତି । ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ପ୍ରତି ତାଙ୍କର ଭଲ ପାଇବା ରହିଛି । ଯଦି ବିଜେପି ଜାତି ନାଁରେ ଭୋଟ ପାଇବାକୁ ଆଶା ରଖିଛି, ସେମିତି କିଛି ହେବନି । ଧର୍ମେନ୍ଦ୍ର ପ୍ରଧାନ ଭୁଲ୍ ସଂସଦୀୟ କ୍ଷେତ୍ର ବାଛିଛନ୍ତି । ରେଢାଖୋଲ, ଛେଣ୍ଡିପଦା, ଆଠମଲ୍ଲିକରେ ବିଜେପିର କିଛି ସଂଗଠନ ନାହିଁ । ବିଜେଡି ସମ୍ବଲପୁର ଲୋକସଭା ସିଟ୍‌ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ନେତା । ସେପଟେ ଜିଲ୍ଲା ବିଜେପି ସଭାପତି ରିରୀଶ ପଟେଲ ଧର୍ମେନ୍ଦ୍ରଙ୍କ ବିଜୟ ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ।

ରାଜନୈତିକ କ୍ୟାରିଅର: ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର 2000 ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ପାଲଲହଡାରୁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ଏହାପରେ 2004ରେ ସେ ଦେବଗଡ଼ ଲୋକସଭା ସିଟରୁ ପ୍ରାର୍ଥୀ ହୋଇ ସାଂସଦ ମଧ୍ୟ ହୋଇଥିଲେ l ଏହାପରେ 2012ରେ ବିହାର ଓ 2018ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି l ଅନ୍ୟପଟେ ପ୍ରଣବ ପ୍ରକାଶ ଦାସ 2009, 2014 ଓ 2019ରେ ଯାଜପୁରରୁ ଲଗାତାର 3 ଥର ବିଜେଡି ବିଧାୟକ ଭାବେ ବିଜୟୀ ହୋଇଛନ୍ତି l ତେଣୁ ଆଗାମୀ ନିର୍ବାଚନ ଉଭୟ ତୁଙ୍ଗ ନେତାଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି l


ସମ୍ବଲପୁରର ରାଜନୈତିକ ଇତିହାସ: ଦୁଇ ହେଭିୱେଟଙ୍କ ରାଜନୈତିକ ଇତିହାସ ଉପରେ ନଜର ପକେଇଲେ ଗତ 3ଟି ନିର୍ବାଚନରେ ସମ୍ବଲପୁର କୌଣସି ରାଜନୈତିକ ଦଳ ଲଗାତାର ଭାବେ ବିଜୟକୁ ଦୋହରାଇ ନାହାଁନ୍ତି l 2009ରେ କଂଗ୍ରେସର ଅମରନାଥ ପ୍ରଧାନ, 2014ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ଓ 2019ରେ ବିଜେପିର ନୀତେଶ ଗଙ୍ଗଦେବ ବିଜୟୀ ହୋଇଛନ୍ତି l ତେଣୁ ଏଥର କ'ଣ ହେବ କିଛି ଠିକ ନାହିଁ l ସମ୍ବଲପୁର ଲୋକସଭା ଆସନରେ କୁଚିଣ୍ଡା, ରେଢ଼ାଖୋଲ, ସମ୍ବଲପୁର ଓ ରେଙ୍ଗାଲି ସ‌ହ ଦେବଗଡ଼ ଜିଲ୍ଲାର ଦେବଗଡ଼ ଏବଂ ଅନୁଗୋଳର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ର ରହିଛି l ସମ୍ବଲପୁର ଲୋକସଭା ସିଟ୍ ଗତଥର ବିଜେପି ହାତକୁ ଯାଇଥିବା ବେଳେ ବିଜେଡି ହାତରେ 4 ଏବଂ ବିଜେପି ହାତରେ 3 ବିଧାନସଭା ରହିଛି । 2019 ବିଧାନସଭା ନିର୍ବାଚନରେ କୁଚିଣ୍ଡା, ରେଢ଼ାଖୋଳ, ଆଠମଲ୍ଲିକ ଓ ଛେଣ୍ଡିପଦା ବିଜେଡି ହାତରେ ଏବଂ ସମ୍ବଲପୁର, ରେଙ୍ଗାଲି ଓ ଦେବଗଡ଼ ବିଜେପି ହାତରେ ରହିଥିଲା l ତେବେ ଆଠମଲ୍ଲିକ ଛଡା ଅନ୍ୟ ସବୁ ସିଟରେ ଅତି କମ୍ ବ୍ୟବଧାନରେ ବିଜୟ ପରାଜୟ ନିର୍ଦ୍ଧାରିତ ହୋଇଥିଲା l

ଅନ୍ୟପଟେ 2014ରେ ସମ୍ବଲପୁର ଲୋକସଭା ଆସନରେ ବିଜେଡିର ନଗେନ୍ଦ୍ର ପ୍ରଧାନ ବିଜେପିର ସୁରେଶ ପୂଜାରୀଙ୍କୁ 30,576 ଖଣ୍ଡ ଭୋଟରେ ପରାଜିତ କରିଥିଲେ । 2019ରେ ବିଜେପି ନୀତେଶ ଗଙ୍ଗଦେବ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କ ଠାରୁ ମାତ୍ର 9162 ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେଣୁ ଏଥର ରାଜନୈତିକ ସମୀକରଣ କିଛି ବି ହୋଇପାରେ ବୋଲି ଚର୍ଚ୍ଚା ହେଉଛି l


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.