ETV Bharat / state

ମାଲକାନଗିରିକୁ ଫେରିଲେ ୨ ରାମଭକ୍ତ, ପାଦରେ ଚାଲି ଚାଲି ଯାଇଥିଲେ ଅଯୋଧ୍ୟା

author img

By ETV Bharat Odisha Team

Published : Jan 28, 2024, 9:41 PM IST

ମାଲକାନଗିରିକୁ ଫେରିଲେ ୨ ରାମଭକ୍ତ, ପାଦରେ ଚାଲି କରି ଯାଇଥିଲେ ଅଯୋଧ୍ୟା
ମାଲକାନଗିରିକୁ ଫେରିଲେ ୨ ରାମଭକ୍ତ, ପାଦରେ ଚାଲି କରି ଯାଇଥିଲେ ଅଯୋଧ୍ୟା

Two Ram Devotees Welcomed in Malkangiri : ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ମାଲକାନଗିରିର ୨ ରାମଭକ୍ତ । ଏକମାସ ଧରି ଯାତ୍ରା କରିଥିଲେ ଦିନେଶ ପଟ୍ଟନାୟକ ଏବଂ ଭଗବାନ ଦୁର୍ଗ । ଅଧିକ ପଢନ୍ତୁ

ମାଲକାନଗିରିକୁ ଫେରିଲେ ୨ ରାମଭକ୍ତ, ପାଦରେ ଚାଲି କରି ଯାଇଥିଲେ ଅଯୋଧ୍ୟା

ମାଲକାନଗିରି: ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ମାଲକାନଗିରିର ୨ ରାମଭକ୍ତ । ଗତ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରିର ୨ ଯୁବକ ଦିନେଶ ପଟ୍ଟନାୟକ ଏବଂ ଭଗବାନ ଦୁର୍ଗ ଗତ ଡିସେମ୍ବର ମାସ ୨୪ ତାରିଖରେ ମାଲକାନଗିରିର ତମସା ନଦୀଠାରୁ ଅଯୋଧ୍ୟା ନଗରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଉଭୟ ପ୍ରତ୍ୟେକ ଦିନ ପ୍ରାୟ ୪୦ରୁ ୫୦ କିଲୋମିଟର ପାଦରେ ଚାଲି ଚାଲି ଜାନୁଆରୀ ୨୧ ତାରିଖରେ ଅଯୋଧ୍ୟା ନଗରୀରେ ପହଞ୍ଚିଥିଲେ ।

ଏହାପରେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ନଗରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମନ୍ଦିର ଭିତରକୁ ଯାଇ ସେମାନେ ରାମଲାଲାଙ୍କୁ ଦର୍ଶନ କରିଥିଲେ । ପରେ ସେମାନେ ଅଯୋଧ୍ୟା ନଗରୀରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ରବିବାର ସକାଳେ ମାଲକାନଗିରି ଫେରିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ସହରର ଶହ ଶହ ସାଧାରଣ ଜନତା, ରାମଭକ୍ତ ଏବଂ ସମାଜସେବୀ ବ୍ୟାଣ୍ଡ୍ ବାଜା ଏବଂ ଜୟ ଶ୍ରୀରାମ ଧ୍ଵନି ସହିତ ଶୋଭାଯାତ୍ରା କରି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉଭୟଙ୍କୁ ଦେଖିବା ପାଇଁ ପରିବାରବର୍ଗ ଅପେକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ରାମଲାଲାଙ୍କ ଭକ୍ତିରେ ବିଭୋର ମୁସଲିମ ଭକ୍ତ, ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା ଯାତ୍ରା

ସୂଚନାଯୋଗ୍ୟ ଯେ ଉଭୟ ଦିନେଶ ଓ ଭଗବାନ ହାତରେ ପ୍ରଭୁ ରାମଙ୍କର ଧ୍ୱଜା ଏବଂ ମୁଖରେ ଜୟ ଶ୍ରୀରାମ ନାରା ଦେଇ ଉଭୟ ଏହି ଯାତ୍ରାରେ ବାହାରିଥିଲେ । ଏହା ସହିତ ସେମାନେ ପରିବେଶ ସୁରକ୍ଷା ଭଳି ମହତ୍ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ସେହିପରି ମାଲକାନଗିରି ଭଳି ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ରହିଛି ପ୍ରଭୁ ଶ୍ରୀରାମଙ୍କ ପଦଚିହ୍ନ । ଲୋକ କଥା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ ବନବାସ ସମୟରେ ନିଜ ପତ୍ନୀ ମାତା ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହିତ ଏହି ଅଞ୍ଚଳରେ କିଛି ସମୟ ବସବାସ କରିଥିଲେ ।

ମାଲକାନଗିରି ଜିଲ୍ଲା ଖଇରପୁଟର ବଣ୍ଡାଘାଟୀରେ ରହିଛି ସୀତା କୁଣ୍ଡ, ଯେଉଁଠାରେ ଦେବୀ ସୀତା ସ୍ନାନ କରିଥିଲେ । ସେହିପରି ଏଠାରେ ଧାର୍ମିକ ମାନ୍ୟତାପ୍ରାପ୍ତ ବାଲିପାହାଡ଼ ମଧ୍ୟ ରହିଛି । ପୁରାତନ କଥାନୁସାରେ ଜିଲ୍ଲା ସଦର ବ୍ଲକ ଠାରେ ରହିଛି ତାମସା ନଦୀ, ଯେଉଁଠି ପ୍ରଭୁ ରାମ ଏବଂ ସୀତା ମାତା ଗମନ କରିଥିଲେ । ତେବେ ଉପାନ୍ତ ମାଲକାନଗିରି ଜିଲ୍ଲାରୁ ପାଦରେ ଚାଲି ଚାଲି ଅଯୋଧ୍ୟା ନଗରୀକୁ ଯାଇ ରାମଲାଲାଙ୍କୁ ଦର୍ଶନ କରିଥିବାରୁ ସ୍ଥାନୀୟ ଜନସାଧାରଣ ଗର୍ବ ଅନୁଭବ କରୁଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.