ETV Bharat / state

ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣା; ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହାସଂଘର ବିକ୍ଷୋଭ

author img

By ETV Bharat Odisha Team

Published : Feb 20, 2024, 10:43 AM IST

ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା
ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା

Laxmi Majhi Death Case: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରଠାରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାଜ୍ୟ ଆଦିବାସୀ ମହାସଂଘ । ଅଧିକ ପଢ଼ନ୍ତୁ

ଲକ୍ଷ୍ମୀ ମାଝୀ ହତ୍ୟା ଘଟଣା

ରାୟଗଡ଼ା: ବହୁଚର୍ଚ୍ଚିତ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରଠାରେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ସୋମବାର ରାଜ୍ୟ ଆଦିବାସୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ଆଦିବାସୀ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଆଦିବାସୀ ମହାସଂଘ ।

ଲକ୍ଷ୍ମୀ ମାଝୀ ହତ୍ୟା ଘଟଣାକୁ ନେଇ ରାଜ୍ୟ ଆଦିବାସୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ଡିସେମ୍ବର ୧୧ ତାରିଖରେ ଲକ୍ଷ୍ମୀ ମାଝୀଙ୍କ ହତ୍ୟା କରାଯାଇଥିଲା । ଇତିମଧ୍ୟରେ ଘଟଣାକୁ ଦୁଇ ମାସ ଅତିକ୍ରମ କରିଥିଲେ ମଧ୍ୟ ଏଯାବତ୍ ହତ୍ୟାକାରୀଙ୍କୁ ଠାବ କରାଯାଇ ନାହିଁ । ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଦାୟିତ୍ଵ ନେଇଥିଲେ ହେଁ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇପାରି ନାହାନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଉ ।‌ ଯଦି ତୁରନ୍ତ ସିବିଆଇ ତଦନ୍ତ ଆରମ୍ଭ ନହୁଏ ତେବେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ସହିତ ଜିଲ୍ଲା ଅଚଳ କରାଯିବ ବୋଲି ଚେତାବନୀ ଦେଇଛି ମହାସଂଘ । ଏହି ଅବସରରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଦାବିପତ୍ର ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର 11 ତାରିଖ ଦିନ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରଠାରେ ଥିବା ମାଆ ଗୃହର ପରିଚାଳିକା ଲକ୍ଷ୍ମୀ ମାଝୀଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚନ୍ଦ୍ରପୁର ପୋଲିସ ଉଦ୍ଧାର କରିଥିଲା । କ୍ରାଇମ ବ୍ରାଞ୍ଚ ଟିମର ଏହାର ତଦନ୍ତ କରୁଥିବା ବେଳେ ଦିଲ୍ଲୀରୁ ଦୁଇ ଜଣିଆ ସେଣ୍ଟ୍ରାଲ ଫରେନସିକ ଟିମ ଆସି ତଦନ୍ତ ଚଲାଇଥିଲେ ମଧ୍ୟ ଏ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଲକ୍ଷ୍ମୀଙ୍କ ଶରୀରରେ କିଭଳି ନିଆଁ ଲାଗିଲା ତାହାକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି । ଏଭଳି ସ୍ଥିତିରେ ଜିଲ୍ଲା ପୋଲିସ କେନ୍ଦ୍ରୀୟ ଫରେନସିକ ଲ୍ୟାବର ସହାୟତା ଲୋଡିଥିଲା । ବିଗତ ୫୦ ଦିନ ମଧ୍ୟରେ ତିନି ଥର କ୍ରାଇମବ୍ରାଞ୍ଚ ଟିମ ଚନ୍ଦ୍ରପୁର ଯାଇ ଫେରିଥିବା ବେଳେ ହତ୍ୟାର ସୁରାକ ସାମାନ୍ୟ ମିଳିପାରି ନାହିଁ । ତେବେ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କଲା କିମ୍ବା ସେ କାହିଁକି ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ଏସବୁ ପ୍ରଶ୍ନ ଏବେ ସନ୍ଦେହ ଘେରରେ ରହିଥିବା ବେଳେ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚିତ କରିପାରିନି ରାୟଗଡା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷ୍ମୀ ମାଝୀ ଓ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡ; ଅଭିଯୁକ୍ତଙ୍କ ଗିରଫ ଦାବିରେ ‌ଆଦିବାସୀ ମହାସଙ୍ଘର ଜିଲ୍ଲା ବନ୍ଦ

ଆଦିବାସୀ ମହାସଂଘର ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟ ଆଦିବାସୀ ମହାସଂଘ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଜିଲ୍ଲା ସଭାପତି ଆପଲାସ୍ୱାମୀ କାଡ୍ରାକା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା, କାଉନସିଲର ମଞ୍ଜୁଳା ମିଣିଆକା, ଆଦିବାସୀ ନେତା ଭଗବାନ ମାଝୀ, ଜିତୁ ଜାକାସିକା, ବସନ୍ତ ପେଦେଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛି ରାଜ୍ୟ ଆଦିବାସୀ ମହାସଂଘ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.