ETV Bharat / state

ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪, ଡାଇଲଗରେ ଦିୱାନା କଲେ ଗୁଲଶନ ଗ୍ରୋଭର

author img

By ETV Bharat Odisha Team

Published : Feb 16, 2024, 4:34 PM IST

Updated : Feb 16, 2024, 5:01 PM IST

ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪, ଡାଇଲଗରେ ଦିୱାନା କଲେ ଗୁଲଶନ ଗ୍ରୋଭର
ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪, ଡାଇଲଗରେ ଦିୱାନା କଲେ ଗୁଲଶନ ଗ୍ରୋଭର

Tribal Sports Festival 2024 Concluded: ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪ । ବର୍ଷା ଯୋଗୁଁ ବାତିଲ ହେଲା ଫାଇନାଲ ମ୍ୟାଚ । ତେବେ ଶେଷ ସନ୍ଧ୍ୟାରେ ଧୁମ ମଚାଇଲେ ବଲିଉଡ ଷ୍ଟାର ଗୁଲଶନ ଗ୍ରୋଭର ଓ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଅଧିକ ପଢନ୍ତୁ

ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪, ଡାଇଲଗରେ ଦିୱାନା କଲେ ଗୁଲଶନ ଗ୍ରୋଭର

ରାଇରଙ୍ଗପୁର: ଉଦଯାପିତ ହେଲା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪ । ସ୍ବତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଦ୍ବାରା ଜନଜାତି କ୍ରୀଡ଼ା ମହୋତ୍ସବ ୨୦୨୪ ୧୩ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗତକାଲି ଅର୍ଥାତ୍ ଫେବୃଆରୀ ୧୫ ତାରିଖରେ ଉଦଯାପିତ ହୋଇଛି। ତେବେ ବର୍ଷା ହେତୁ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇପାରିଲା ନାହିଁ । ତଥାପି ଏହି ମହୋତ୍ସବର ଶେଷ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ସମେତ ବଲିଉଡ ଷ୍ଟାର ଗୁଲଶନ ଗ୍ରୋବର ଓ ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡା ସାମିଲ ହୋଇଥିବା ବେଳେ ନିଜ ଦମଦାର ଡାଇଲଗ ସହ ଲୋକଙ୍କୁ ଦିୱାନା କରିଥିଲେ ଗୁଲଶନ ଗ୍ରୋଭର ।

ରାଇରଙ୍ଗପୁର ସହରର କଚେରୀ ପଡିଆଠାରେ ମହାଆଡମ୍ୱର ସହ ଏହି ଜନଜାତି କ୍ରୀଡ଼ା ମହୋତ୍ସବ ଆୟୋଜିତ ହୋଇଥିଲା । ଏହି କ୍ରୀଡ଼ା ଉତ୍ସବରେ ଜିଲ୍ଲାର ୨୬ଟି ଫୁଟବଲ ଦଳ ଭାଗ ନେଇଥିଲେ । କାର୍ଯ୍ୟକ୍ରମଟି ପ୍ରଥମେ ପଞ୍ଚାୟତ ସ୍ତରରେ ଆରମ୍ଭ ହୋଇ ପରେ ପଞ୍ଚାୟତର ବଛା ବଛା ଟିମକୁ ନେଇ ୨୬ ଟି ପଞ୍ଚାୟତ ସମିତି ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଗତକାଲି ଉଦଯାପନୀ ସନ୍ଧ୍ୟାରେ ରାଇରଙ୍ଗପୁର ସହରରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେବାରୁ ଗତକାଲି ହେବାକୁ ଥିବା ଫୁଟବଲ ଫାଇନାଲ ମ୍ୟାଚ ବାତିଲ କରାଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଫାଇନାଲ ମ୍ୟାଚ ହେବା ନେଇ ଘୋଷଣା କରାଯାଇଥିବା ବେଳେ ଉକ୍ତ ଫୁଟବଲ ପ୍ରତିଯୋଗିତାରେ ବିଜେତା ଦଳକୁ ୧ ଲକ୍ଷ, ରନର୍ସ ଅପ ଟିମ୍‌କୁ ୫୦ ହଜାର, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୨୫ ହଜାର କରି ଅର୍ଥରାଶି ପ୍ରଦାନ କରାଯିବ । ଏହାଛଡ଼ା ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ମନୋନୀତ ହୋଇଥିବା ଖେଳାଳିଙ୍କୁ ବୁଲେଟ ମୋଟର ସାଇକେଲ, ଶ୍ରେଷ୍ଠ ଗୋଲ ରକ୍ଷକଙ୍କୁ ୨୫ ହଜାର ଓ ଶ୍ରେଷ୍ଠ ଡ଼ିଫେଣ୍ଡରଙ୍କୁ ୨୫ ହଜାର କରି ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ତେବେ ଉଦଯାପନୀ ଉତ୍ସବ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବଲିଉଡ ଷ୍ଟାର ଗୁଲଶନ ଗ୍ରୋଭର ସାମିଲ ହୋଇଥିବା ବେଳେ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ମଞ୍ଚରେ ଗୁଲଶନ ଗ୍ରୋଭରଙ୍କ ଜୟ ଆଦିବାସୀ ନାରା ସହ ଫିଲ୍ମି ଡାଇଲଗ ଏବଂ ଦିଲ୍ ଗାର୍ଡେନ ଗାର୍ଡେନ ହୋ ଗୟା ଡାଇଲଗ ଦର୍ଶକଙ୍କ ମନ ମୋହିଥିଲା । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, 'ସମସ୍ତଙ୍କ ହିରୋ ସବୁ ଜନତାଙ୍କ ହିରୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ରାଇରଙ୍ଗପୁରବାସୀଙ୍କ ପାଇଁ ଏହି ଖେଳ କାର୍ଯ୍ୟକ୍ରମ କରାଯାଉଛି ।'

ଏହା ମଧ୍ୟ ପଢନ୍ତୁ: ରାଇରଙ୍ଗପୁରରେ ଜନଜାତି କ୍ରୀଡ଼ା ମହୋତ୍ସବ, ୨୬ ଫୁଟବଲ ଦଳ ସାମିଲ

ଏଥିସହ ଏହି ଅବସରରେ ନିଜ ଗୀତ ମାଧ୍ୟମରେ ମଞ୍ଚରେ ନିଆଁ ଲଗାଇଥିଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଗାୟିକାଙ୍କ ସୁନ୍ଦର ସୁନ୍ଦର ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ । ସେପଟେ ଏହି ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଓ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ କାର୍ଯ୍ୟକାରୀ ଜନହିତକର ଯୋଜନା ସବୁ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଚେୟାରମେନ ଭାରତୀ ହାଁସଦା, ଏସଡିସି ଚେୟାରମ୍ୟାନ୍ ଡ. ଦେବାଶିଷ ମାଣ୍ଡି, ରାଇରଙ୍ଗପୁର ପୌରପାଳିକା ଚେୟାରମ୍ୟାନ୍ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ପିଏଆଇଟିଡିଏଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated :Feb 16, 2024, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.